ଧର୍ମଶାଳା: ପଞ୍ଜାବ କିଙ୍ଗ୍ସର ଆଇପିଏଲ ଟ୍ରଫି ସ୍ବପ୍ନ ପୁଣି ଥରେ ଅଧୁରା ରହିଛି। ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲର ପ୍ଲେ ଅଫ ଦୌଡ଼ରୁ ପଞ୍ଜବ କିଙ୍ଗ୍ସକୁ ବିଦା କରିଛି। ଶୁକ୍ରବାର ଧର୍ମଶାଳାରେ ଖେଳାଯାଇଥିବା ୬୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୪ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ପ୍ଳେ ଅଫ ଦୌଡ଼ ଆଶାକୁ ବଜାୟ ରଖିଥିବାବେଳେ ପଞ୍ଜାବ ବିଦାୟ ନେଇଛି। ରାଜସ୍ଥାନ ୧୪ଟି ମ୍ୟାଚରୁ ୭ଟି ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚରୁ ୬ଟି ବିଜୟ ଓ ୮ଟି ପରାଜୟ ସହ ଅଭିଯାନ ଶେଷ କରିଛି।
ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଜିତେଶ ଶର୍ମା, ସାମ କରନ ଓ ସାହାରୁଖ ଖାନଙ୍କ ଉପଯୋଗୀ ଇନିଂସ ବଳରେ ୧୮୭ରନ କରିଥିଲା। ଜବାବରେ ରାଜସ୍ଥାନ ଦେବଦତ୍ତ ପାଡିକଲ ୫୧ ଓ ଯଶସ୍ବୀ ଜସୱାଲଙ୍କ ୫୦ ରନ ବଳରେ ଦୁଇଟି ବଲ ପୂର୍ବରୁ ୧୮୯ରନ କରି ବିଜୟୀ ହୋଇଥିଲା।
୧୮୮ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଜସ୍ଥାନ ୧୨ରନରେ ଜୋଶ ବଟ୍ଲର(୦)ଙ୍କ ୱିକେଟ ହରାଇଥିଲା। ଦ୍ବିତୀୟ ୱିକେଟରେ ଦେବଦତ୍ତ ପାଡିକଲ ଓ ଯଶସ୍ବୀ ଜସୱାଲ ଦୃଢତାର ସହିତ ବ୍ୟାଟିଂ କରିଥିଲେ। ଉଭୟେ ୭୩ରନ ସଂଗ୍ରହ କରିଥିଲେ। ୮୫ରନ ସ୍କୋର ଥିବାବେଳେ ପାଡିକଲ ୫୧ରନ କରି ଆଉଟ୍ ହୋଇଥିଲେ। ୯୦ରନ ସ୍କୋର ଥିବାବେଳେ ସଞ୍ଜୁ ସାମସନ ମାତ୍ର ୨ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଜସୱାଲ ଓ ସିମରନ ହେତମେୟାର ୪୭ରନ ସଂଗ୍ରହ କରିଥିଲେ। ୧୩୭ରନ ସ୍କୋର ଥିବାବେଳେ ଜସୱାଲ ୫୦ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ରିୟାନ ପରାଗ ଓ ହେତମେୟାର ୩୨ରନ ସଂଗ୍ରହ କରିଥିଲେ। ୧୬୯ରନରେ ପରାଗ ୨୦ରନ କରି ଆଉଟ୍ ହୋଇଥିଲେ। ୧୭୯ରନରେ ହେତମେୟାର ୪୬ରନ କରି ଆଉଟ୍ ହୋଇଥିଲେ। ଶେଷ ଓଭରରେ ରାଜସ୍ଥାନକୁ ୯ରନ ଆବଶ୍ୟକ ଥିବାବେଳେ ଧ୍ରୁବ ଜୁରେଲ ଛକା ମାରି ବିଜୟୀ କରାଇଥିଲେ। ଜୁରେଲ ୧୦ରନ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କାଗିସୋ ରାବଡା ୨ଟି ୱିକେଟ ନେଇଥିଲେ।
କର ବା ମର ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରର ଦ୍ବିତୀୟ ବଲରେ ୱିକେଟ ହରାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶତକ ଅର୍ଜନ କରିଥିବା ପ୍ରଭସିମ୍ରନ ସିଂହ ମାତ୍ର ୨ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଶିଖର ଧାୱନ ଓ ଅର୍ଥବା ତାଇଡେ ସ୍କୋରକୁ ୩୮ରନରେ ପହଞ୍ଚାଇଥିଲେ। ଅର୍ଥବା ୧୯ରନ କରି ଆଉଟ୍ ହୋଇଥିଲେ। ଧାୱନ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ। ୪୬ରନ ସ୍କୋର ଥିବାବେଳେ ଧାୱନ ୧୭ରନ କରି ଆଉଟ୍ ହୋଇଥିଲେ। ୫୦ରନ ମଧ୍ୟରେ ଦଳ ୪ଟି ୱିକେଟ ହରାଇଥିଲା। ଲିୟାମ ଲିଭିଙ୍ଗଷ୍ଟୋନ ୯ରନ କରି ଆଉଟ୍ ହୋଇଥିଲେ। ୫ମ ୱିକେଟରେ ସାମ କରନ ଓ ଜିତେଶ ଶର୍ମା ସ୍ଥିତିକୁ ସମ୍ଭାଳିଥିଲେ। ଉଭୟେ ୬୪ରନ ଯୋଡିଥିଲେ। ସ୍କୋର ୧୧୪ରନ ଥିବାବେଳେ ଜିତେଶ ୪୪ରନ କରି ଆଉଟ୍ ହୋଇଥିଲେ। କରନ ଓ ସାହାରୁଖ ଖାନ ୬ଷ୍ଠ ୱିକେଟରେ ୩୭ଟି ବଲରୁ ଅବିଭାଜିତ ୭୩ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୮୭ରନରେ ପହଞ୍ଚାଇଥିଲେ। କରନ ୩୧ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୪୯ ଓ ସାହାରୁଖ ୨୩ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୪୧ରନ କରି ଅପରାଜିତ ରହିଥିଲେ। ରାଜସ୍ଥାନ ପକ୍ଷରୁ ନବଦୀପ୍ ସୈନି ୩ ଟି ୱିକେଟ ନେଇଥିଲେ।



