ରାଜସ୍ଥାନକୁ ପୁଣି ଜିତାଇଲେ ବଟ୍ଲର
ମୁମ୍ବଇ: କ୍ରମାଗତ ୫ମ ମ୍ୟାଚ୍ରେ ଓପ୍ନର ଜୋସ୍ ବଟ୍ଲର ଅର୍ଦ୍ଧଶତକ ମାରିଛନ୍ତି। ଫଳତଃ ଆଇପିଏଲ୍-୧୧ରେ ରାଜସ୍ଥାନ ରୟାଲ୍ସ କ୍ରମାଗତ ୩ୟ ବିଜୟ ହାସଲ କରିଛି। ରବିବାର ସନ୍ଧ୍ୟାରେ ମୁମ୍ବଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇ ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ ଖେଳିବା ଆଶା ବଜାୟ ରଖିଛି। ଏଭିନ୍ ଲୁଇସ୍ଙ୍କ ଅର୍ଦ୍ଧଶତକ ଏବଂ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂକରି ୬ ୱିକେଟରେ ୧୬୮ ରନ୍ କରିଥିଲା। ପରେ ଜୋସ୍ ବଟ୍ଲରଙ୍କ ଅପରାଜିତ ୯୪ ରନ୍ ବଳରେ ୧୮ ଓଭରରେ ୩ ୱିକେଟ ହରାର ରାଜସ୍ଥାନ ବିଜୟୀ ହୋଇଥିଲା। ୧୨ଶ ମ୍ୟାଚ୍ରେ ରାଜସ୍ଥାନ ୬ଷ୍ଠ ବିଜୟ ହାସଲ କରିଛି। ୧୨ଶ ମ୍ୟାଚ୍ରେ ମୁମ୍ବଇ ୭ମ ପରାଜୟ ଭୋଗି ସଙ୍କଟରେ ପଡ଼ିଯାଇଛି।
ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୬୯ ରନ୍ର ବିଜୟଲକ୍ଷ୍ୟ ଥିବା ବେଳେ ଅଷ୍ଟ୍ରେଲୀୟ ଓପ୍ନର ଡି ଆର୍ସି ସର୍ଟ ପୁଣି ବିଫଳ ହୋଇ ୪ ରନ୍କରି ଆଉଟ ହୋଇ ଯାଇଥିଲେ। ପରେ ଫର୍ମରେ ଥିବା ଜୋସ୍ ବଟ୍ଲର ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨ୟ ୱିକେଟ ପାଇଁ ୭୪ ବଲ୍ରୁ ୯୫ ରନ୍ ଯୋଗ କରିଥିଲେ। ରାହାଣେ ୩୬ ବଲ୍ରୁ ୩୭ ରନ୍କରି ଆଉଟ ହୋଇ ଯାଇଥିଲେ। ପରେ ବଟ୍ଲରଙ୍କ ସହ ସଞ୍ଜୁ ସାମ୍ସନ ରାଜସ୍ଥାନକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ରାହାଣେ ଆଉଟ ହେବା ପରେ ବଟ୍ଲର ଗିଅର ବଦଳାଇ ସଟ୍ ଖେଳିବା ଆରମ୍ଭ କରିଥିଲେ। ବଟ୍ଲର ଓ ସାମ୍ସନ ୩ୟ ୱିକେଟ ପାଇଁ ୨୮ ବଲ୍ରୁ ୬୧ ରନ୍ ଯୋଡ଼ିଥିଲେ। ସାମ୍ସନ ୧୪ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍କରି ଆଉଟ ହୋଇଥିଲେ। କ୍ରମାଗତ ୫ଟି ମ୍ୟାଚ୍ରେ ଅର୍ଦ୍ଧଶତକ ମାରିଥିବା ବଟ୍ଲର ୫୩ ବଲ୍ରୁ ୫ଟି ଛକା ଓ ୯ଟି ଚୌକା ସହ ୯୪ ରନ୍କରି ଅପରାଜିତ ରହି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୨ଟି ୱିକେଟ ପାଇଥିଲେ।
ଏହି ‘କର ବା ମର’ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନେଇଥିଲା। ଗତବର୍ଷର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସର ଓପ୍ନର ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଏହାର ମଧ୍ୟକ୍ରମ ଦଳକୁ ନିରାଶ କରିଥିଲା। ମୁମ୍ବଇର ଓପ୍ନିଂ ଯୋଡ଼ି ୧୧ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହି ୮୭ ରନ୍ର ମଜ୍ଭୁତ ଭାଗିଦାରୀ କରିଥିଲେ। ଚଳିତ ସିଜିନ୍ରେ ଚମତ୍କାର ଫର୍ମରେ ଥିବା ମୁମ୍ବଇର ଓପ୍ନର ସୂର୍ଯ୍ୟକୁମାର ଯାଦବ ପୁଣି ଏକ ଭଲ ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାର ୩୧ ବଲ୍ରୁ ୭ଟି ଚୌକା ସହ ୩୮ ରନ୍ କରିଥିଲେ। ଅଧିନାୟକ ରୋହିତ ଶର୍ମା ପ୍ରଥମ ବଲ୍ରେ ଆଉଟ ହୋଇ ଯାଇଥିଲେ। ୱେଷ୍ଟଇଣ୍ଡିଜ୍ର ଓପ୍ନର ଲୁଇସ୍ ୧୪ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିଥିଲେ। ବାମହାତି ଲୁଇସ୍ ୪୨ ବଲ୍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ବିସ୍ଫୋରକ ୬୦ ରନ୍ କରିଥିଲେ। ଏହାସହ ସହ ମୁମ୍ବଇ ଇଣ୍ଡିଆନ୍ସ ଜଲ୍ଦି ୩ଟି ୱିକେଟ ହରାଇଥିଲା। ବାମହାତି ଈଶାନ୍ କିଷନ୍ ୧୧ ବଲ୍ରୁ ଗୋଟିଏ ଚୌକା ସହ ୧୨ ରନ୍ କରିଥିଲେ। ଅନ୍ୟ ବାମହାତି କ୍ରୁନାଲ ପାଣ୍ଡ୍ୟା ୩ ରନ୍କରି ବିଦାୟ ନେଇଥିଲେ। ତେବେ ସାନଭାଇ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରୟାସ ଯୋଗୁଁ ମୁମ୍ବଇ ୧୬୮ ରନ୍ରେ ପହଞ୍ଚି ପାରିଥିଲା। ଶେଷ ଓଭରରେ ଆଉଟ ହୋଇଥିବା ହାର୍ଦିକ ୨୧ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୬ ରନ୍ କରିଥିଲେ। ବେନ୍ କଟିଙ୍ଗ୍ ୧୦ ରନ୍କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ର ପେସ୍ ବୋଲର ଜୋଫ୍ରା ଆର୍ଚର ଓ ଇଂଲଣ୍ଡର ପେସ୍ ବୋଲର ବେନ୍ ଷ୍ଟୋକ୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ।