ଇନରହ୍ୱିଲ କ୍ଲବ ଅଧ୍ୟକ୍ଷାଙ୍କ ଆଠଗଡ କ୍ଲବ ପରିଦର୍ଶନ
ଆଠଗଡ : ଇନରହ୍ୱିଲ କ୍ଲବ ୩୨୬ନଂ ଜିଲ୍ଲାର ଅଧ୍ୟକ୍ଷା ରସିକା ବାହାଦୂର ସୋମବାର ଆଠଗଡ ଇନରହ୍ୱିଲ କ୍ଲବ ପରିଦର୍ଶନ କରି ସେମାନଙ୍କର କାର୍ଯ୍ୟାବଳୀର ସମୀକ୍ଷା କରିବା ସହ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପ ଠାରେ ଆଠଗଡ ଇନରହ୍ୱିଲ କ୍ଲବ ସଭାନେତ୍ରୀ ମଞ୍ଜୁଲତା ମାହାଳିକଙ୍କ ପୌରୋହିତ୍ୟରେ ଏହି ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷା ଶ୍ରୀମତୀ ବାହାଦୂର ଉଦ୍ବୋଧନ ଦେଇ ଆନ୍ତର୍ଜାତୀୟ ଇନରହ୍ୱିଲ କ୍ଲବର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସମାଜ ସେବା ସହିତ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା ଏବଂ ମହିଳାମାନଙ୍କ ସାକ୍ଷରତା ହାର ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଠଗଡ ଇନରହ୍ୱିଲ କ୍ଲବର ବିଗତ ବର୍ଗଗୁଡିକର କାର୍ଯ୍ୟକଳାପ ସମୀକ୍ଷା କରି ଅଧ୍ୟକ୍ଷା ଶ୍ରୀମତୀ ବାହାଦୂର ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ। କ୍ଲବର ସଭାନେତ୍ରୀ ଶ୍ରୀମତୀ ମହାଳିକ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରିଥିବାବେଳେ ସଂପାଦିକା ନିରଜ ନଳିନୀ ବେହେରା କ୍ଲବର ବିବରଣୀ ଉପସ୍ଥାପନ କରିଥିଲେ। ପୂର୍ବତନ ସଭାନେତ୍ରୀ ପୁଲିନ ମିଶ୍ର ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରାରମ୍ଭରେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟଙ୍କ ସହିତ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ବାହାଦୂର ଦୋରଡସ୍ଥିତ ଡଃ ବ୍ରଜବିହାରୀ ମହାନ୍ତି ମାନସିକ ଅନଗ୍ରସର କଲ୍ୟାଣ ଟ୍ରଷ୍ଟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଅବସ୍ଥାନ କରି ଶିକ୍ଷାଲାଭ କରୁଥିବା ବହୁ ମାନସିକ ଅନଗ୍ରସରଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଠଗଡ କ୍ଲବ ପକ୍ଷରୁ ସେମାନଙ୍କୁ ଟି-ସାର୍ଟ ଓ ବିସ୍କୁଟ ବଣ୍ଟନ କରିଥିଲେ। କଲ୍ୟାଣ ମଣ୍ଡପଠାରେ ସ୍ଥାନୀୟ କଳାକାର ଭାମିକା ଦାସ ଓ ଏସ ମୂଲ୍ୟାଙ୍କନା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କ୍ଲବର ମୁଖପତ୍ର ସଂପାଦିକା ଦୀପାଳି ଦାସ, କୋଷାଧ୍ୟକ୍ଷା ମନୋଜିନୀ ପଣ୍ଡାଙ୍କ ସମେତ ସୋନିପ୍ରଭା ପଟ୍ଟନାୟକ, କଳ୍ପଲତା ଦାଶ, ରାଜେଶ୍ୱରୀ ଗୋସ୍ୱାମୀ, ଗାୟତ୍ରୀ ଆଚାର୍ଯ୍ୟ, ଜସ୍ମିନ ପଟ୍ଟନାୟକ ଓ ସ୍ୱପ୍ନାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ବରିଷ୍ଠ ସଦସ୍ୟା ମଞ୍ଜୁଳା ଦାସ, ସୁଷମା ମିଶ୍ର, ବୀଣାପାଣି ଦାସଙ୍କୁ ଅଧ୍ୟକ୍ଷା ସମ୍ବର୍ଦ୍ଧିତ କରିଥିଲେ । ନୂତନ ଭାବେ ସଭ୍ୟା ହୋଇଥିବା ଡାକ୍ତର ସମୀକ୍ଷା ଚୌଧୁରୀ ଓ ଅନିତା ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଧ୍ୟକ୍ଷା ସ୍ୱାଗତ କରିଥିଲେ।
Comments are closed.