ବିଦ୍ୟୁତ୍ ଟ୍ରାନ୍ସଫରମର ସଜାଡ଼ିବା ବେଳେ ଠିକା କର୍ମଚାରୀ ଗୁରୁତର, ଏମକେସିଜିରେ ଭର୍ତ୍ତି
ଚାନ୍ଦିପୁଟ : ବିଦ୍ୟୁତ ବିଭାଗର ସାମାନ୍ୟ ଅସାବଧାନତା ଯୋଗୁଁ ଆଜି ପୁଣି ଆଉ ଏକ ଅଘଟଣ ଘଟିଛି। ବିଦ୍ୟୁତ ଟ୍ରାନ୍ସଫରମରରେ ଫ୍ୟୁଜ ସଜାଡ଼ିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଟିପିଏସଡିଓଏଲରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ କିରଣ କୁମାର ନାୟକ।
ସୁଚନା ଅନୁଯାୟୀ, ଗତ ଦୁଇ ଦିନ ହେବ ଚାନ୍ଦିପୁଟ ଗ୍ରାମ ନିକଟସ୍ଥ ଆକିଲି ଗ୍ରାମର ନୁଆସାହିରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ହେତୁ ଗ୍ରାମବାସୀ ବିଭାଗକୁ ଅଭିଯୋଗ କରିଥିଲେ । ବୁଧବାର ଚନ୍ଦ୍ରଗିରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆକିଲି ଗ୍ରାମରେ ବିଦ୍ୟୁତ୍ କର୍ମଚାରୀ କିରଣ ନାୟକ ଓ ତାଙ୍କ ଦୁଇ ସହକର୍ମୀ ପହଞ୍ଚି ସ୍ଥିତି ନିରୀକ୍ଷଣ କରିବା ପରେ ଫ୍ୟୁଜ ସଜାଡ଼ିବା ପାଇଁ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ସାହୁଙ୍କୁ ଏଲସି ମାଗିଥିଲେ। ହେଲେ ଉକ୍ତ ବିଦ୍ୟୁତ୍ ଟ୍ରାନ୍ସଫରମରରେ ସଂଯୋଗ ବିଦ୍ୟୁତ ଚନ୍ଦ୍ରଗିରି ସବଷ୍ଟେସନରୁ ଆସିଥିବା ବେଳେ ଭୁଲବଶତଃ ମୋହନା ସବଷ୍ଟେସନରୁ ଏଲସି ଗୃହୀତ ହୋଇଥିଲା । ଯାହାଫଳରେ ଉକ୍ତ ୧୧କେଭି କ୍ଷମତା ସମ୍ପୁର୍ଣ୍ଣ ବିଦ୍ୟୁତ୍ ଟ୍ରାନ୍ସଫରମରରେ ବିଦ୍ୟୁତ ଥିଲେ ମଧ୍ୟ ବିଦ୍ୟୁତ ନଥିବା ଭାବି କିରଣ ନାୟକ ଟ୍ରାନ୍ସଫରମର ଖୁଣ୍ଟରେ ଫ୍ୟୁଜ ସଜାଡ଼ିବା ପାଇଁ ଚଡିଥିଲେ। ଯାହାଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରଗିରି ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ସାହୁ ଓ ତାଙ୍କ ଟିମ୍ ପହଞ୍ଚି ଆହତ କିରଣଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ତାଙ୍କ ଶରୀରର ଅନେକାଂଶ ପୋଡିଯାଇଥିବା ହେତୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ଡାକ୍ତର ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରିଥିଲେ।
Comments are closed.