www.samajalive.in
Saturday, December 6, 2025
15.1 C
Bhubaneswar

ଭୁବନେଶ୍ୱର ଭିତ୍ତିଭୂମି ବିକାଶ ଏମିତି… ସର୍ଭେରେ ସୀମିତ ରିଙ୍ଗରୋଡ଼

ଭୁବନେଶ୍ୱର : ରାଜଧାନୀରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଏହାସହ ତାଳ ଦେଇ ଟ୍ରାଫିକ୍ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ ଜନସଂଖ୍ୟା ହେତୁ ରାଜଧାନୀରେ ଭିତ୍ତିଭୂମି ବିକାଶ ଏକପ୍ରକାର ଅପରିହାର୍ଯ୍ୟ ହୋଇ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଟାଉନ୍ ପ୍ଲାନିଂ ସ୍କିମ୍ ଅଧୀନରେ ଚାରିଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ଼ ନିର୍ମାଣ ଲାଗି ବିଡିଏ ପକ୍ଷରୁ ୨୦୧୫ରେ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର ମଧ୍ୟ କରିଥିଲେ। ମାତ୍ର ଏହି ପ୍ରକଳ୍ପ କେବଳ ସର୍ଭେରେ ଅଟକିଯାଇଛି।

ସୂଚନାେଯାଗ୍ୟ ଯେ ୨୦୧୦ରେ ଆଇଆଇଟି-ଖଡ଼ଗପୁର ପକ୍ଷରୁ କମ୍ପ୍ରିହେନସିଭ ଡେଭଲପ୍ମେଣ୍ଟ ପ୍ଲାନ୍ (ସିଡିପି) ପ୍ରସ୍ତୁତ କରାଯାଇଥିଲା। ଏଥିସହ ଓଡ଼ିଶା କ୍ୟାପିଟାଲ ରିଜିଅନ୍ ଡେଭଲପ୍ମେଣ୍ଟ ଅଥରିଟି (ଓସିଆରଡିଏ) ଗଠନ କରାଯାଇ ସେଥିରେ ବିଡିଏ, ସିଡିଏ ଏବଂ ପିକେଡିଏକୁ ସାମିଲ କରାଯାଇଥିଲା। ଭୁବନେଶ୍ୱରେ ଜନସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ଏହାର ଉପକଣ୍ଠ ଅଞ୍ଚଳକୁ ସଂଯୋଗ କରିବା ଲାଗି ସଡ଼କ ପଥର ଆବଶ୍ୟକତା ରହିଛି। ତେଣୁ ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ଅଞ୍ଚଳକୁ ସଂଯୋଗ କରିବା ଲାଗି ବିଡିଏ ପକ୍ଷରୁ ୬୪.୮୦ କିମି ଲମ୍ବର ଏକ ରିଙ୍ଗ୍‌ରୋଡ଼ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ଉଭୟ ବିଡିଏ ଏବଂ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହାକୁ ନିର୍ମାଣ କରାଯିବାର ପ୍ରସ୍ତାବ ରହିଥିଲା। ପ୍ରସ୍ତାବିତ ରିଙ୍ଗ୍‌ରୋଡ଼ ୧୬ନଂ ଜାତୀୟ ରାଜପଥର ପାହାଳରୁ ବାହାରି ଉତ୍ତରା, ରେତଙ୍ଗ, ତମାଣ୍ଡୋ, ସମ୍ ହସ୍ପିଟାଲ, ନନ୍ଦନକାନନ, ବାରଙ୍ଗ ଦେଇ ପୁଣି ପାହାଳରେ ଆସି ମିଶିବ। ଏହି ରାସ୍ତା ନିର୍ମାଣ ଲାଗି ସେତେବେଳେ ୨୦୦୦ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିଲା ବେଳେ କିଲୋ ମିଟର ପିଛା ୧୫ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବ ରହିଥିଲା। ୨୦୦୦ କୋଟି ଟଙ୍କାରୁ ପ୍ରସ୍ତାବିତ ରାସ୍ତାର ନିର୍ମାଣ ଲାଗି ୧୨୦୦ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଜମି ଅଧିଗ୍ରହଣ ଲାଗି ୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।

- Advertisement -

ବିଡିଏ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ ପାଖାପାଖି ୩୩୧ ଏକର ଜମି ଉପରେ ରିଙ୍ଗ୍‌ରୋଡ଼ ନିର୍ମାଣ ହେବ। ଏଥିରୁ ବିଡିଏ ମାଲିକାନାରେ ୭୦.୩୭ ଏକର ଜମି ରହିଥିବାବେଳେ ବାକି ୨୬୦ ଏକର ଘରୋଇ ଜମି ରହିଛି। ଘରୋଇ ଜମିକୁ ସରକାର ଅଧିଗ୍ରହଣ କରିବେ। ଟେଣ୍ଡର ପରେ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଘରୋଇ ସଂସ୍ଥା ଦ୍ୱାରା ରିଙ୍ଗରୋଡ଼ର ନକ୍ସା ପ୍ରସ୍ତୁତ କରାଇଥିଲେ ମଧ୍ୟ ଆଇଆଇଟି-ଖଡ଼ଗପୁର ଦ୍ୱାରା ପ୍ରସ୍ତୁତ ସିଡିପି ସହିତ ତାହା ମେଳ ଖାଇନଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଚୂଡ଼ାନ୍ତ ପ୍ରକଳ୍ପ ଅନୁମୋଦନ ହେବା ପରେ ବିଡିଏ ପକ୍ଷରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା। ମାତ୍ର ଆଜିଯାଏ ରିଙ୍ଗରୋଡ଼ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ।

ପ୍ରକଳ୍ପ ସମ୍ପର୍କରେ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି, ୨୦୧୮-୧୯ରେ ଯୋଜନା ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା। ବିଡିଏ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗର ଦାୟିତ୍ବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଯନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ଅଧୀନରେ ଥିବା ଅଞ୍ଚଳ ବର୍ତ୍ତମାନ ସର୍ଭେସ୍ତରରେ ରହିଛି। ଧଉଳିଠାରୁ ତମାଣ୍ଡୋ ପର୍ଯ୍ୟନ୍ତ ସର୍ଭେ ସରିଛି। ଟାଉନ ପ୍ଲାନିଂ (ଟିପି) ସ୍କିମ୍‌ରେ ବିଡିଏ କାମ କରୁଥିବାବେଳେ ଯେଉଁସବୁ ଅଞ୍ଚଳ ଗ୍ରିନ୍‌ ଜୋନ୍‌ରେ ରହିଛି ସେଠାରେ ବିଡିଏ ଜମି ଅଧିଗ୍ରହଣ କରୁଛି। ତେବେ ବିଡିଏ ପକ୍ଷରୁ କେବଳ ନକ୍ସା ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories