ୱାଶିଂଟନ: ଛାତ୍ର ଭିସାରେ ଆମେରିକା ଯାଇ ସେଠାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଙ୍କ ଭିସା ରଦ୍ଦ କରି ସ୍ବଦେଶ ପଠାଇବା ପ୍ରକ୍ରିୟା ଜାରି ରଖିଛି ଟ୍ରମ୍ପ ପ୍ରଶାସନ। ବିଭିନ୍ନ ଆଳ ଦେଖାଇ ବିଦେଶୀ ଛାତ୍ରଙ୍କ ଭିସା ରଦ୍ଦ କରାଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବିଶ୍ବବିଦ୍ୟାଳୟ ପରିସରରେ କୌଣସି ଧାରଣାରେ ସାମିଲ ହେବା, ଟ୍ରାଫିକ ନିୟମ ଭଙ୍ଗ କରିବା ଆଦି ଅଭିଯୋଗରେ ଛାତ୍ର ଭିସା ରଦ୍ଦ କରାଯାଉଛି। ସେଭଳି ଛାତ୍ରଙ୍କୁ ତୁରନ୍ତ ଆମେରିକା ଛାଡ଼ି ଚାଲି ଯିବାକୁ ଇ-ମେଲ୍ ଜରିଆରେ ନିର୍ଦେଶ ଦିଆଯାଉଛି।
ଟ୍ରମ୍ପ ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ୱେନ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଭାରତୀୟ ଛାତ୍ର ଚିନ୍ମୟ ଦେଓ ସ୍ଥାନୀୟ ଏକ ଅଦାଲତରେ ମାମଲା ରୁଜୁ କରିଛନ୍ତି। ତାଙ୍କ ସହ ଚୀନର ଦୁଇ ଓ ନେପାଳର ଜଣେ ଛାତ୍ର ଆମେରିକାର ସୁରକ୍ଷା ସଂସ୍ଥା ଓ ଦେଶାଟନ ବିଭାଗ ଅଧିକାରୀଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଥିବା ଜଣାପଡ଼ିଛି। ଏହି ଛାତ୍ରମାନଙ୍କ ତରଫରୁ ଆମେରିକାନ୍ ସିଭିଲ ଲିବର୍ଟିଜ୍ ୟୁନିୟନ ସଂସ୍ଥା ମିଚିଗାନ ଜିଲା ଅଦାଲତରେ ଏହି ମାମଲା ରୁଜୁ କରିଛି। ଟ୍ରମ୍ପ ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଛାତ୍ର ଭିସା ରଦ୍ଦ କରିବା ସହ ଆମେରିକା ଛାଡ଼ି ଚାଲି ଯିବାକୁ ନିର୍ଦେଶ ଦେଇଥିବା ସଂପୃକ୍ତ ଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ସେମାନେ କୌଣସି ପ୍ରକାର ଆଇନ ଭଙ୍ଗ କରିନଥିବା ସହ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ କୌଣସି ପ୍ରକାର ରାଜନୈତିକ ସମାବେଶରେ ଯୋଗ ଦେଇନଥିଲେ। ଟ୍ରମ୍ପ ପ୍ରଶାସନ ସେମାନଙ୍କ ଭିସା ରଦ୍ଦ କରିବା ବେଆଇନ ବୋଲି ଛାତ୍ରମାନଙ୍କ ତରଫରୁ ଦର୍ଶାଯାଇଛି। ଏଥିସହ ଅଦାଲତ ସେମାନଙ୍କ ଛାତ୍ର ଭିସା କାଏମ ରଖିବାକୁ ଟ୍ରମ୍ପ ପ୍ରଶାସନକୁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ରୁଜୁ କଲେ ଭାରତୀୟ ଛାତ୍ର
Popular Categories



