ନୂଆଦିଲ୍ଲୀ: କାନାଡ଼ାରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ପଞ୍ଜାବର ଲୁଧିଆନା ମୂଳ ବାସିନ୍ଦା ଯୁବରାଜ ଗୋୟଲ। ୨୮ ବର୍ଷୀୟ ଯୁବରାଜ ୨୦୧୯ରେ ପଢ଼଼ିବା ଲାଗି କାନାଡ଼ା ଯାଇଥିଲେ। ନିକଟରେ ସେ କାନାଡ଼ାର ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ। ସେଠାରେ ସେ ଜଣେ ସେଲ୍ସ ଏକଜିକ୍ୟୁଟିଭ ଭାବେ କାମ କରୁଥିଲେ।
ଜୁନ ୭ ତାରିଖ ସକାଳ ପ୍ରାୟ ୮ଟା ୪୫ ମିନିଟରେ ସୁରେ ଅଞ୍ଚଳ ଅନ୍ତର୍ଗତ ୧୬୪ ଷ୍ଟ୍ରିଟ୍ର ୯୦୦ ବ୍ଲକରେ କିଛି ଦୁର୍ବୃତ୍ତ ଯୁବରାଜଙ୍କୁ ଗୁଳି କରି ହତ୍ୟା କରିଥିଲେ। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। କ’ଣ ପାଇଁ ଯୁବରାଜଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ଏ ଦିଗରେ ତଦନ୍ତ ଚାଲିଥିବା ରୟାଲ କାନାଡିଆନ ମାଉଣ୍ଟେଡ୍ ପୁଲିସ କହିଛି। ଯୁବରାଜଙ୍କ ବାପା ଜଣେ ଜାଳେଣି କାଠ ବ୍ୟବସାୟୀ ଏବଂ ତାଙ୍କ ମା’ ଜଣେ ଗୃହିଣୀ।



