ନୂଆଦିଲ୍ଲୀ : ଭାରତୀୟ ନୌବାହିନୀରେ ଦୀର୍ଘ ୨୯ ବର୍ଷ ଧରି ସେବା କରିଆସୁଥିବା ଯୁଦ୍ଧବିମାନବାହୀ ଭାରତୀୟ ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ‘ବିରାଟ’ ଶନିବାର ତା’ର ଶେଷଯାତ୍ରା ଆରମ୍ଭ କରିଛି। ମୁମ୍ବଇର ଗେଟ୍ ୱେ ଅଫ୍ ଇଣ୍ଡିଆରେ ବିରାଟକୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି। ଆଜିଠାରୁ ‘ବିରାଟ’ ଗୁଜରାଟର ଆଲଙ୍ଗ ଡକ୍ୟାର୍ଡ ଅଭିମୁଖେ ଯାତ୍ରା କରିଛି। ସେଠାରେ ପହଞ୍ଚିବା ପରେ ଏହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦିଆଯିବ। ବ୍ରିଟିଶ୍ ରୟାଲ ଆର୍ମିରେ ଏଚଏମଏସ-ହର୍ମସ୍ ନାମରେ କାର୍ଯ୍ୟାରମ୍ଭ କରିଥିବା ଏହି ଯୁଦ୍ଧପୋତର ନାମକରଣ ୧୨ ମେ ୧୯୮୭ ମସିହାରେ ଆଇଏନଏସ-ବିରାଟରେ ପରିବର୍ତ୍ତିତ ହୋଇ ସେବେଠାରୁ ନୌସେନାରେ ସାମିଲ କରାଯାଇଥିଲା। ଭାରତୀୟ ନୌସେନାରେ ଦୀର୍ଘ ୨୯ ବର୍ଷ ଓ ଏହା ପୂର୍ବରୁ ବ୍ରିଟେନ୍ ରୟାଲ ଆର୍ମିରେ ୨୭ ବର୍ଷ ଅର୍ଥାତ୍ ମୋଟ ୫୬ ବର୍ଷଧରି ସାମୁଦ୍ରିକ ସୁରକ୍ଷା ଦିଗରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବା ସର୍ବାଧିକ କାର୍ଯ୍ୟକ୍ଷମ ଏହି ବିଶାଳ ଯୁଦ୍ଧପୋତ ମାର୍ଚ୍ଚ ୨୦୧୭ରେ ଆଇଏନଏସରୁ ସେବାନିବୃତ୍ତ ହୋଇଥିଲା।
ବିରାଟକୁ ନ ଭାଙ୍ଗି ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବା ତଥା ଏକ ବୃହତ୍ ରେସ୍ତେଁାରାରେ ପରିବର୍ତ୍ତନ କରାଯିବା ନେଇ ଆରମ୍ଭରୁ କେତେକ ଉଦ୍ୟମ ରହିଥିଲା। ମାତ୍ର ଏଭଳି କୌଣସି ପ୍ରସ୍ତାବ କାର୍ଯ୍ୟକାରୀ
ହୋଇପାରି ନଥିଲା। ଶେଷରେ ଏହାକୁ ନିଲାମ କରାଯାଇଥିଲା ଓ ଗୁଜରାତର ଆଲଙ୍ଗ ସ୍ଥିତ ଶ୍ରୀରାମ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ପଟେଲ ଏହି ପୁରୁଣା ଯୁଦ୍ଧପୋତକୁ ୩୮କୋଟି ୫୪ ଲକ୍ଷ ଟଙ୍କାରେ କିଣି ନେଇଥିଲେ। ଶୁକ୍ରବାର ଏହା ଗୁଜରାଟ ଅଭିମୁଖେ ଯାତ୍ରା କରିବାର ଥିଲା; ମାତ୍ର ଗୋଟିଏ ଦିନ ପାଇଁ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା। ଯଦି ସାମୁଦ୍ରିକ ପାଣିପାଗ ଠିକ୍ ରୁହେ; ତେବେ ଆସନ୍ତା ସୋମବାର (୨୧ ତାରିଖ)ରେ ଏହା ଆଲଙ୍ଗ ଡର୍କୟାର୍ଡରେ ପହଞ୍ଚିବ। ଏହାକୁ ଭାଙ୍ଗିବା ଲାଗି ଅତିକମ୍ରେ ୯ରୁ ୧୨ ମାସ ସମୟ ଲାଗିବ। ଗୁଜରାଟରେ ପହଞ୍ଚିବା ପରେ ଏହାକୁ ଭାଙ୍ଗିବା ଲାଗି ସୁପ୍ରିମକୋର୍ଟଙ୍କ ୨୦୧୩ ମାର୍ଗଦର୍ଶିକା ଅନୁଯାୟୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ଲୋଡ଼ାଯିବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଆଜିର ବିଦାୟ ସମୟରେ ଏକ ହେଲିକପ୍ଟର ଆକାଶମାର୍ଗରୁ ଚକ୍କର କାଟି ବିରାଟକୁ ଅନ୍ତିମ ଯାତ୍ରାର ମେଲାଣି ଦେଇଥିଲା।
ବିରାଟର ଇତିହାସକୁ ଦେଖିଲେ ବ୍ରିଟେନ୍ର ପ୍ଲେମାଉଥ୍ଠାରୁ ଏହାକୁ ଭାରତୀୟ ନୌସେନା ଜଳାବତରଣ କରାଇଥିଲା। ୧୯୮୬ ଭାରତ-ଶ୍ରୀଲଙ୍କା ଚୁକ୍ତି ଭଙ୍ଗରୁ ସୃଷ୍ଟ ଶ୍ରୀଲଙ୍କା ସମସ୍ୟା ପରେ ୧୯୮୯ ମସିହାରେ ବିରାଟ ଶାନ୍ତି ପ୍ରୟାସ ଲାଗି ଜୁପିଟର ଅପରେସନ୍ ନାଁରେ ବୃହତ୍ ସାମରିକ କାର୍ଯ୍ୟ କରିଥିଲା ବିରାଟ। ୨୦୦୧-୨୦୦୨ ସଂସଦ ଭବନ ଆକ୍ରମଣ ପରେ ସୃଷ୍ଟ ସ୍ଥିତିରେ ବିରାଟ କରିଥିଲା ଅପରେସନ୍ ପରାକ୍ରମ। ଫେବୃଆରୀ ୨୦୧୬ ବିଶାଖପଟ୍ଟନମ୍ରେ ଅନ୍ତର୍ଜାତୀୟ ଫ୍ଲିଟ୍ ରିଭ୍ୟୁରେ ସାମିଲ ହୋଇ ବିରାଟ ଶେଷ ଅପରେସନ୍ କରିଥିଲା। ଏହାବ୍ୟତୀତ ଆମେରିକା ନୌସେନା ସହ ମାଲବାର ମିଳିତ ସମରାଭ୍ୟାସ, ଜର୍ମାନ୍ ସହ ବରୁଣ, ଓମାନ୍ ସହ ନସିମ୍ ଅଲ୍ ବାହାର୍ ଏବଂ ବାର୍ଷିକ ଥିଏଟର୍ ଲେଭଲ୍ ଅପରେସନାଲ ଏକ୍ସରସାଇଜ୍ (ଟପେକ୍ସ) ଆଦି ସମରାଭ୍ୟାସ କରିଥିଲା।
ବିକ୍ରାନ୍ତ ପରେ ବିରାଟ ଥିଲା ଦ୍ବିତୀୟ ଯୁଦ୍ଧବିମାନବାହୀ ଯୁଦ୍ଧପୋତ। ବିରାଟରେ ସମରାଭ୍ୟାସ କରିଥିବା ୪ ଭାରତୀୟ ଅଧିକାରୀ ଦେଶର ନୌସେନା ମୁଖ୍ୟ ହୋଇପାରିଥିଲେ। ‘ଗ୍ରାଣ୍ଡ ଓଲ୍ଡ ଲେଡି’ ରୂପେ ପରିଚିତ ବିରାଟ ୧୫୦୦ ନୌସେନା କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ଅପରେସନ୍ କରିବାର କ୍ଷମତା ରଖିଥିଲା। ବ୍ରିଟିସ୍ ନୌସେନାରେ ଏହି ଯୁଦ୍ଧଜାହାଜ ଏଚଏମଏସ ହର୍ମସ୍ ନାଁରେ ୧୯୫୯ରୁ ୧୯୮୪ (୨୫ ବର୍ଷ) କାମ କରିବାବେଳେ ୧୯୮୨ ଫକ୍ଲ୍ୟାଣ୍ଡ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ୧୯୮୬ରେ ଭାରତୀୟ େନୗସେନାରେ ସାମିଲ ହେବ ପରେ ଆଗାମୀ ୭ ବର୍ଷ ଲାଗି କାର୍ଯ୍ୟକ୍ଷମ ରହିବା ଆଶା କରାଯାଉଥିଲା। ମାତ୍ର ଏହା ପାଖାପାଖି ୩୦ ବର୍ଷର ନିରନ୍ତର ସେବା ପ୍ରଦାନ କରିପାରିଥିଲା। ସମୁଦ୍ରରେ ୨୨୫୮ ଦିନ, ୨୨୬୨୨ ଘଣ୍ଟାର ଫ୍ଲାଇଁ ଅପରେସନ୍ ସହ ୫୯୦୦୦୦ ନ୍ୟୁଟିକାଳ ମାଇଲ ଅତିକ୍ରମଣ କରିଥିଲା। ସି-ହ୍ୟାରିୟର ଫାଇଟ୍ର, ସି-କିଙ୍ଗ ୪୨ ବି/ସି, ଚେତକ୍, କାମୋଭ୍-୩୧ ଭଳି ଯୁଦ୍ଧବିମାନ ସହ ଏଏଲଏଚ ହେଲିକପ୍ଟର ଭଳି ୨୫ ବିମାନକୁ ନିଜ ଛାତିରୁ ଉଡାଇ ପାରିଥିଲା ବିରାଟ।
୨୭,୮୦୦ ଟନ୍ ଓଜନ ବିଶିଷ୍ଟ ବିରାଟର ବଏଲର ଏକାଦିକ୍ରମେ ୮୦,୦୦୦ ଘଣ୍ଟା ଚାଲିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନିର୍ମିତ ହୋଇଥିବାର ଏହା ଥିଲା ଏକମାତ୍ର ଯୁଦ୍ଧଜାହାଜ। ଏହାକୁ ନିଲାମ ନକରି ଏକ ନୌସେନା ସ୍ମାରକୀ କରିଥିଲେ ଅଧିକ ଭଲ ହୋଇଥାନ୍ତା ବୋଲି ବିରାଟର ବିଦାୟ ପରେ ଏନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସବୁ ଆରମ୍ଭର ଅନ୍ତ ଭଳି ବିରାଟର ଅନ୍ତିମ ଯାତ୍ରା ଭାରତୀୟ ନୌବାହିନୀ ଇତିହାସେର ଏକ ସ୍ବର୍ଣ୍ଣିମ ଅଧ୍ୟାୟର ପରିସମାପ୍ତି ଘଟାଇଛି।



