ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ ; ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ପ୍ରତିଷ୍ଠା କରିଛି ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ। ପ୍ରଥମଥର ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ ଦେଶ ପାଇଁ ପଦକ ନିଶ୍ଚିତ କରିଛି। ସୋମବାର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଭାରତୀୟ ମହିଳା ଦଳ ଫାଇନାଲରେ ପହଞ୍ଚିବା ସହ ଅତିକମ୍‌ରେ ଏକ ରୌପ୍ୟ ପଦକ ପାଇବା ନିଶ୍ଚିତ କରିଛି। ଲଭ୍‌ଲି ଚୌବେ, ପିଙ୍କି, ନୟନମଣି ସାଇକିଆ ଓ ରୁପାରାଣୀ ତିର୍କିଙ୍କୁ ନେଇ ଗଠିତ ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ ସୋମବାର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୧୬-୧୩ ପଏଣ୍ଟରେ ପରାସ୍ତ କରିଛି। ମଙ୍ଗଳବାର ହେବାକୁ ଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା ଲନ୍‌ ବୋଲ୍‌ ଦଳ ଖେଳିବ।
ଏହା ପୂର୍ବରୁ ଲନ୍‌ ବୋଲ୍‌ରେ କୌଣସି ଭାରତୀୟ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ପହଞ୍ଚି ପାରିନଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ୨ ଥର ପଛୁଅା ରହିବା ପରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇ ପାରିଥିଲା। ଭାରତ ଆରମ୍ଭରୁ ୪-୬ରେ ପଛୁଆ ଥିବା ବେଳେ କ୍ରମାଗତ ୩ ପଏଣ୍ଟ ନେଇ ୭-୬ରେ ଆଗୁଆ ହୋଇ ଯାଇଥିଲା। ପରେ ଭାରତ ୧୦-୭ରେ ଆଗୁଆ ହୋଇଥିଲେ। ପରେ ନ୍ୟୁଜିଲାଣ୍ଡ ଲଢ଼ୁଆ ପ୍ରଦର୍ଶନ କରି ୩ ପଏଣ୍ଟ ହାସଲ କରିବା ସହ ସ୍କୋର୍‌କୁ ୧୦-୧୦ କରିଥିଲା। ପରେ ନ୍ୟୁଜିଲାଣ୍ଡ ୧୨-୧୦ରେ ଆଗୁଆ ଥିବା​‌ ବେଳେ ଭାରତ ୨ ପଏଣ୍ଟ ଜିତି ସ୍କୋର୍‌କୁ ୧୨-୧୨ କରିଥିଲା। ଶେଷଆଡ଼କୁ ଭାରତ ୧୨-୧୩ରେ ପଛୁଆ ଥିଲେ ହେଁ ଏହାକୁ ୧୩-୧୩ କରି ପାରିଥିଲା। ପରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ୩ ପଏଣ୍ଟ ହାସଲକରି ୧୬-୧୩ରେ ମୁକାବିଲାକୁ ଜିତି ଐତିହାସିକ ପ୍ରଥମ ଫାଇନାଲ ଖେଳିବା ନିଶ୍ଚିତ କରିଥିଲେ।

kalyan agarbati

Comments are closed.