ଏସୀୟ କ୍ରୀଡ଼ାରେ ଭାଗ ନେବାକୁ ଭାରତୀୟ କ୍ରିକେଟ୍ ଦଳକୁ ମିଳିଲା ଅନୁମତି
ମୁମ୍ବଇ : ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚୀନ୍ର ହାଙ୍ଗଝାଓ ସହରରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳକୁ ବିସିସିଆଇର ଆପେକ୍ସ କାଉନ୍ସିଲ ଅନୁମତି ପ୍ରଦାନ କରିଛି। ଏସୀୟ କ୍ରୀଡ଼ାରେ ପୁରୁଷ ବିଭାଗ କ୍ରିକେଟ୍ ମ୍ୟାଚ୍ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏଥିରେ ଭାଗ ନେବାକୁ ଥିବା ଭାରତୀୟ ପୁରୁଷ ଦଳରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବ। ଅନ୍ୟପକ୍ଷରେ ମହିଳା ବିଭାଗ କ୍ରିକେଟ୍ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଏକ ଶକ୍ତିଶାଳୀ ଭାରତୀୟ ମହିଳା ଦଳ ଭାଗ ନେବ।
ଏସୀୟ କ୍ରୀଡ଼ା ଆୟୋଜନ ସମୟରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାରୁ ଏସୀୟ କ୍ରୀଡ଼ା ନିମନ୍ତେ ଭାରତୀୟ ପୁରୁଷ ଦଳ ପଠାଇବା କଷ୍ଟକର, ତେବେ ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ଏହି କ୍ରୀଡ଼ା ପ୍ରତିଯୋଗିତା ନିମନ୍ତେ ଭାରତୀୟ ପୁରୁଷ ଦଳ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ଏସୀୟ କ୍ରୀଡ଼ାରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ଜିତିବ ବୋଲି ବିସିସିଆଇ ତରଫରୁ ଆଶାବ୍ୟକ୍ତ କରାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ଘରୋଇ ସୟଦ ମୁସ୍ତାକ ଅଲ୍ଲି ଟି୨୦ ଟ୍ରଫିରେ ଆଇପିଏଲ୍ ଭଳି ଇମ୍ପାକ୍ଟ ଖେଳାଳି ନିୟମ ଲାଗୁ କରାଯିବାକୁ ଶୁକ୍ରବାର ବିସିସିଆଇ ଆପେକ୍ସ କାଉନ୍ସିଲ ମଞ୍ଜୁରୀ ଦେଇଛି।
Comments are closed.