ମୋହାଲି ଟେଷ୍ଟରେ ଭାରତର ଇନିଂସ ବିଜୟ

ମୋହାଲି ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି। ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଇନିଂସ ଓ ୨୨୨ ରନ୍‌ରେ ବିଜୟୀ ହୋଇଛି। ମ୍ୟାଚର ତୃତୀୟ ଦିନରେ ଭାରତ ଏହି ଚମତ୍କାର ବିଜୟ ହାସଲ କରିଛି। ମ୍ୟାଚର ତୃତୀୟ ଦିନରେ ଶ୍ରୀଲଙ୍କା ୧୦୮/୪ରୁ ଖେଳ ଆରମ୍ଭ କରି ପ୍ରଥମ ଇନିଂସରେ ମାତ୍ର ୧୭୪ ରନ୍‌ରେ ଅଲଆଉଟ୍ ହୋଇଥିଲା। ଫଲୋଅନର ସମ୍ମୁଖିନ ହୋଇ ଦ୍ବିତୀୟ ଇନିଂସରେ ମଧ୍ୟ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଥିଲା। ଏହି ବିଜୟ ସହିତ ଭାରତ ୧-୦ରେ ସିରିଜରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ଭାରତ ଗତକାଲି ମ୍ୟାଚର ଦ୍ବିତୀୟ ଦିନରେ ୫୭୪/୮ରେ ପାଳି ଘୋଷଣା କରିଥିଲା । ତେବେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ଓ ବୋଲିଂ ସଫଳତା ବଳରେ ଭାରତ ଏହି ଦମଦାର ବିଜୟ ହାସଲ କରିଛି।

ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ଅପରାଜିତ ୧୭୫ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରଥମ ଇନିଂସରେ ୧୩ ଓଭରରେ ୪୧ରନ ଦେଇ ୫ ୱିକେଟ୍ ଓ ଦ୍ବିତୀୟ ଇନିଂସରେ ୧୬ ଓଭରରେ ୪୬ ରନ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ। ଗୋଟିଏ ମ୍ୟାଚରେ ଅପରାଜିତ ୧୭୫ ରନ ସହ ୯ ୱିକେଟ୍ ନେଇଥିବା ଜାଡେଜା ପ୍ଳେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

୨ୟ ଦିନ ଶେଷରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୧୦୮ ରନ୍‌ କରିଥିଲା । ଶ୍ରୀଲଙ୍କା ପ୍ରଥମ ଇନିଂସ ଆରମ୍ଭ କରି ଓପ୍‌ନିଂ ଯୋଡ଼ିରେ ୪୮ ରନ୍‌ କରିଥିଲା। ୧୭ ରନ୍‌କରି ଅଭିଜ୍ଞ ଓପ୍‌ନର ଲାହିରୁ ଥିରିମାନେ ପ୍ରଥମେ ଆଉଟ ହୋଇଥିଲେ। ଭଲ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେଙ୍କୁ ତାଙ୍କ ପ୍ରଥମ ଓଭରରେ ଆଉଟ କରିଥିଲେ ରବୀନ୍ଦ୍ର ଜାଡ଼େଜା। ବାମହାତି କରୁଣାରତ୍ନେ ୫ଟି ଚୌକା ସହ ୨୮ ରନ୍‌ କରିଥିଲେ। ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌ ବେଶ୍‌ କିଛି ସମୟ କ୍ରିଜ୍‌ରେ ରହି ସେଟ୍‌ ହୋଇ ଯାଇଥିଲେ ହେଁ ଯଶପ୍ରୀତ୍ ବୁମ୍‌ରାଙ୍କ ଶିକାର ହୋଇଥିଲେ । ମାଥ୍ୟୁସ୍‌ ୩୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌ କରିଥିଲେ। ଧନଞ୍ଜୟ ଡି ସିଲ୍‌ଭା ଏକ ବେପରୁଆ ସଟ୍‌ ଖେଳି ୧ ରନ୍‌କରି ବିଦାୟ ନେଇଥିଲେ। ଷ୍ଟମ୍ପ୍‌ ଅପସାରଣ ବେଳକୁ ଯୁବ ବ୍ୟାଟ୍‌ସମ୍ୟାନ ପାଥୁମ୍ ନିଶଙ୍କା ୪ଟି ଚୌକା ସହ ୨୬ ଏବଂ ଚରିତ ଆସାଲାଙ୍କା ୧ ରନ୍‌ରେ ଅପରାଜିତ ଥିଲେ।

 

 

Comments are closed.