ଭାରତ-ଇଣ୍ଡିଜ୍ ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି
ଟାରୌବା : କ୍ରିକେଟ ଦୁନିଆରେ ସମସ୍ତେ ଧରି ନେଇଥିଲେ ଯେ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୩ ମ୍ୟାଚ୍ର ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛିନେବ। ହେଲେ ପ୍ରଥମ ଦିନିକିଆରେ ପରାସ୍ତହେବା ପରେ ୱେଷ୍ଟଇଣ୍ଡିଜ୍ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ଅନଭିଜ୍ଞ ଭାରତୀୟ ବ୍ୟାଟିଂ ଲାଇନ୍ର ଫାଇଦା ଉଠାଇଥିଲା। କାରଣ ଭାରତ ଉଭୟ ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଥିଲା। ପୁଣି ମହମ୍ମଦ ସିରାଜ୍ଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ମଧ୍ୟ ଦୁର୍ବଳ ହୋଇ ଯାଇଥିଲା। ଫଳରେ ଭାରତ ଉଭୟ ବିଭାଗରେ ବିଫଳ ହୋଇଥିଲା। ଓପ୍ନିଂ ଯୋଡ଼ିରେ ଭାରତ ୯୦ ରନ୍ କରିଥିଲା ନିଶ୍ଚୟ। ଶୁବ୍ମାନ ଗିଲ୍ ଆଉଟ୍ ହେବା ସହ ୯୧ ରନ୍ରେ ୧୦ଟିଯାକ ୱିକେଟ ହରାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍ ଅତି ସାଧାରଣ ପ୍ରଦର୍ଶନ କରି ୧୮୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଓପ୍ନିଂ ଯୋଡ଼ିରେ ୫୩ ରନ୍ କରିବା ପରେ ୩୮ ରନ୍ରେ ୪ଟି ୱିକେଟ ହରାଇଥିଲା। ହେଲେ ଅଧିନାୟକ ସୈ ହୋପ୍ ଓ କିସି କାର୍ଟି ଚତୁରତାର ସହ ବ୍ୟାଟିଂକରି ଦଳକୁ ଜିତାଇଥିଲେ। ଫଳରେ ଶୃଙ୍ଖଳା ୧-୧ ସ୍ଥିତିରେ ପହଞ୍ଚିଛି। ମଙ୍ଗଳବାର ଏଠାରେ ୩ୟ ଦିନିକିଆ ଖେଳାଯିବ। ଏହାକୁ ଜିତି ୧୭ ବର୍ଷ ପରେ ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିବାକୁ ୱେଷ୍ଟଇଣ୍ଡିଜ୍ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୧୩ଟି ଦିନିକିଆ ଶୃଙ୍ଖଳା ହାରିନଥିବା ଭାରତ ଏହି ଧାରା ବଜାୟ ରଖିବାକୁ ଚାହିଁବ।
କେହି ଆଶା କରିନଥିଲେ ମଧ୍ୟ ୯ଟି ମ୍ୟାଚ୍ ପରେ ୱେଷ୍ଟଇଣ୍ଡିଜ୍ଠାରୁ ଦିନିକିଆ ହାରିଛି। ୨ ମାସରେ ଘରୋଇମାଟିରେ ଭାରତ ବିଶ୍ବକପ୍ ଖେଳିବାକୁ ଯାଉଥିବା ବେଳେ ଏହି ଶୃଙ୍ଖଳା କଦାପି ହାରିବାକୁ ଚାହିଁବ ନାହିଁ। ତେଣୁ ୩ୟ ଦିନିକିଆରେ ଘାଇଲା ବାଘ ପରି ଏହା ୱେଷ୍ଟଇଣ୍ଡିଜ୍କୁ ଆକ୍ରମଣ କରିବ। ବ୍ରାୟାନ୍ ଲାରା ଷ୍ଟାଡିୟମ୍ରେ ଏହା ସର୍ବପ୍ରଥମ ଦିନିକିଆ ମ୍ୟାଚ୍ ହେବ। ଏଠାରେ ଖେଳା ଯାଇଥିବା ଏକମାତ୍ର ଟ୍ବେଣ୍ଟି୨୦ରେ ୱେଷ୍ଟଇଣ୍ଡିଜ୍କୁ ଭାରତ ପରାସ୍ତ କରିଥିଲା। ଏଠାକାର ପିଚ୍ କିପରି ରହିବ; ତାହା କହିବା କଷ୍ଟକର ନିଶ୍ଚୟ। ତଥାପି ପିଚ୍ ଧିମା ରହିବ ଓ ସ୍ପିନରଙ୍କ ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ମ୍ୟାଚ୍ରେ ଅଳ୍ପ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ୨ୟ ମ୍ୟାଚ୍ରେ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କହିଥିଲେ ଯେ ଗୋଟିଏ ମ୍ୟାଚ୍ ନୁହେଁ; ଆମର ଲକ୍ଷ୍ୟ ଏସିଆ କପ୍ ଓ ବିଶ୍ବକପ୍ ଉପରେ ରହିଛି। ପରୋକ୍ଷରେ ସେ ସୂଚନା ଦେଇଥିଲେ ଯେ ଗୋଟିଏ ମ୍ୟାଚ୍ ହାରିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇ ନପାରନ୍ତି। ପ୍ରଥମ ମ୍ୟାଚ୍ରେ ରୋହିତ ୭ନଂ ସ୍ଥାନରେ ବ୍ୟାଟିଂ କରିଥିବା ବେଳେ କୋହଲି ବ୍ୟାଟିଂ କରିବାକୁ ଆସିନଥିଲେ। ୩ୟ ଦିନିକିଆେର ଏହି ଦୁଇ ବ୍ୟାଟିଂ ମହାରଥୀଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମ୍ସନ ଦଳକୁ ନିରାଶ କରିଛନ୍ତି। ତଥାପି ଦୁହିଁଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଉମ୍ରାନ୍ ମାଲିକ୍ ଉଭୟ ମ୍ୟାଚ୍ରେ ଦୁର୍ବଳ ବୋଲିଂ କରିଥିବାରୁ ତାଙ୍କ ସ୍ଥାନରେ ଜୟଦେବ ଉନାଦ୍କତ ଖେଳିବା କଥା ଆଲୋଚନା ହେଉଛି। ହେଲେ ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇବା ସମ୍ଭାବନା ଅଧିକ। ବିଜୟୀ ୱେଷ୍ଟଇଣ୍ଡିଜ୍ ମଧ୍ୟ ଏକାଦଶରେ କୌଣସି ପରିବର୍ତ୍ତନ କରିବ ନାହିଁ। ବ୍ରିଜ୍ଟାଉନ୍େର ଈଶାନ୍ କିଷନ୍ ଓ ୱେଷ୍ଟଇଣ୍ଡିଜ୍ ଅଧିନାୟକ ସୈ ହୋପ୍ଙ୍କୁ ଛାଡ଼ି ଉଭୟ ଦଳର କେହି ଭଲ ବ୍ୟାଟିଂ କରିନାହାନ୍ତି। ଗତ ୨ ବର୍ଷ ହେଲା ସୈ ହୋପ୍ ୱେଷ୍ଟଇଣ୍ଡିଜ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇ ରହିଛନ୍ତି। ଓପ୍ନିଂରୁ ମଧ୍ୟକ୍ରମକୁ ଖସିବା ପରେ ହୋପ୍ଙ୍କ ଆଭ୍ରେଜ୍ ବଢ଼ିଛି। ତାଙ୍କୁ ଜଲ୍ଦି ଆଉଟ କରିବାକୁ ଭାରତୀୟ ଦଳ ପ୍ରୟାସ କରିବ। କାଏଲ୍ ମେୟର୍ସ ମଧ୍ୟ ଦ୍ରୁତଗତିେର ସ୍କୋର୍ କରିପାରନ୍ତି। ଆଉ ୬୫ ରନ୍ କଲେ ସୈ ହୋପ୍ ୫୦୦୦ ଦିନିକିଆ ରନ୍ ପୂରଣ କରିବେ। ୧୧୩ ଦିନିକିଆ ଇନିଂସରେ ଏପରି କଲେ ହୋପ୍ ପାକିସ୍ତାନର ବାବର ଆଜମ୍ ଓ ଦକ୍ଷିଣ ଆଫ୍ରିକାର ହାସିମ୍ ଆମ୍ଲାଙ୍କ ପରେ ୩ୟ ଦ୍ରୁତତମ ୫୦୦୦ ଦିନିକିଆ ରନ୍ ପୂରଣ କରିବେ। ଆଉ ୧୦୨ ରନ୍ କଲେ କୋହଲି ୧୩୦୦୦ ଦିନିକିଆ ରନ୍ ପୂରଣ କରିବେ। ଆଉ ୬ଟି ୱିକେଟ ନେଲେ ରବୀନ୍ଦ୍ର ଜାଡ଼େଜା ୨୦୦ ଦିନିକିଆ ୱିକେଟ ପୂରଣ କରିବେ।
Comments are closed.