ପ୍ରଥମ ଟି-୨୦ : ଇଣ୍ଡିଜ୍‌ଠାରୁ ୪ ରନ୍‌ରେ ଭାରତ ପରାସ୍ତ

ଟାରୌବା (ତ୍ରିନିଦାଦ୍‌) : ଗୁରୁବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ଘରୋଇ ୱେଷ୍ଟଇଣ୍ଡିଜ୍‌। ଭାରତୀୟ ବ୍ୟାଟିଂ ବିଫଳ ହେବାରୁ ଇଣ୍ଡିଜ୍‌ଠାରୁ ଭାରତ ୪ ରନ୍‌ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୭ ୱିକେଟ ହରାଇ ୧୪୯ ରନ୍‌ କରିଥିଲା। ନିକୋଲାସ୍ ପୁରନ୍ ଓ ଅଧିନାୟକ ରୋଭ୍‌ମ୍ୟାନ ପୱେଲଙ୍କ ଉପଯୋଗୀ ଇନିଂସ ଯୋଗୁଁ ୱେଷ୍ଟଇଣ୍ଡିଜ୍‌ ଏହି ସ୍କୋର୍‌ କରି ପାରିଥିଲା। ପରେ ତିଳକ ବର୍ମାଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ଭାରତ ୯ ୱିକେଟ ହରାଇ ୧୪୫ ରନ୍‌ କରି ପାରିଥିଲା। ଏହି ବିଜୟ ସହ ୫ ମ୍ୟାଚ୍‌ର ଟି୨୦ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌ ୧-୦ରେ ଆଗୁଆ ହୋଇଛି। ରବିବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।
୧୫୦ ରନ୍‌ ଲକ୍ଷ୍ୟରେ ଭାରତ ୩ୟ ଓଭରରେ ପ୍ରଥମ ୱିକେଟ ହରାଇଥିଲା। ଛକା ମାରିବା ପ୍ରୟାସରେ ଶୁବ୍‌ମାନ ଗିଲ୍‌ ୩ ରନ୍‌କରି ଷ୍ଟମ୍ପ୍‌ଡ ହୋଇଥିଲେ। ଦିିନିକିଆ ଶୃଙ୍ଖଳାରେ ୩ଟି ଅର୍ଦ୍ଧଶତକ ମାରିଥିବା ଈଶାନ୍ କିଷନ୍‌ ୬ ରନ୍‌କରି ବିଦାୟ ନେଇଥିଲେ। ୬ ଓଭର ପାୱରପ୍ଲେ ଶେଷରେ ଭାରତ ୨ ୱିକେଟରେ ୪୫ ରନ୍‌ କରିଥିଲା। ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ରେ ତିଳକ ବର୍ମା କ୍ରିଜ୍‌କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ଦୁହେଁ ଦ୍ରୁତ ୩୯ ରନ୍‌ ଯୋଡ଼ିବା ପରେ ସୂର୍ଯ୍ୟ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ୨୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ଛକାମାରିବା ପ୍ରୟାସରେ ପରବର୍ତ୍ତୀ ଓଭରରେ ତିଳକ ଆଉଟ୍‌ ହୋଇଥିଲେ। ତିଳକ ବର୍ମା ୨୨ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୯ ରନ୍‌ କରିଥିଲେ। ୫ ଓଭରରୁ ୩୭ ରନ୍‌ ଆବଶ୍ୟକ ଥିବା ବେଳେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଥିଲେ। ହାର୍ଦିକ ୧୯ ବଲ୍‌ରୁ ୩ଟି ଚୌକା ସହ ୧୯ ରନ୍‌ କରିଥିଲେ। ୨ଟି ବଲ୍‌ ପରେ ସଞ୍ଜୁ ସାମ୍‌ସନ ୧୨ ରନ୍‌କରି ରନ୍‌ଆଉଟ୍‌ ହୋଇ ଯାଇଥିଲେ। ଅକ୍ଷର ପଟେଲ ୧୧ ବଲ୍‌ରୁ ୧୩ ରନ୍‌ କରିଥିଲେ। ଶେଷ ଓଭରରୁ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ଭାରତ ମାତ୍ର ୫ ରନ୍‌ କରି ପାରିଥିଲା। ଓବେଡ୍‌ ମ୍ୟାକ୍‌କୟ, ଜେସନ୍ ହୋଲ୍‌ଡର ଓ ରୋମାରିଓ ସେଫର୍ଡ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜେସନ୍‌ ହୋଲ୍‌ଡର ପ୍ଲେୟର ଅଫ୍ ମ୍ୟାଚ୍‌ ହୋଇଥିଲେ।
ୱେଷ୍ଟଇଣ୍ଡିଜ୍‌ ଟସ୍ ଜିତି ବ୍ୟାଟିଂ କରିଥିଲା। ୪ ଓଭରରେ ୨୯ ରନ୍‌ ହେବା ପରେ ତାଙ୍କ ପ୍ରଥମ ଓଭରରେ ୨ ଓପ୍‌ନରଙ୍କୁ ଆଉଟ୍‌ କରିଥିଲେ ୟୁଜବେନ୍ଦ୍ର ଚହଲ। କାଏଲ୍‌ ମେୟର୍ସ ୧ ଏବଂ ବ୍ରାଣ୍ଡନ୍‌ କିଙ୍ଗ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୮ ରନ୍‌କରି ବିଦାୟ ନେଇଥିଲେ। ନିକୋଲାସ୍ ପୁରନ୍ ଆସି ପ୍ରଥମ ୨ଟି ବଲ୍‌ରୁ ଚୌକା ଓ ଛକା ମାରିଥିଲେ। ଜନ୍‌ସନ ଚାର୍ଲସ ୩ ରନ୍‌କରି ଆଉଟ୍‌ ହୋଇଥିଲେ। ନିକୋଲାସ୍ ପୁରନ୍ ଓ ଅଧିନାୟକ ରୋଭ୍‌ମ୍ୟାନ ପୱେଲ ଦ୍ରୁତ ୩୮ ରନ୍‌ ଯୋଡ଼ିଥିଲେ। ବାମହାତି ପୁରନ୍ ୩୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୧ ରନ୍‌ କରି ଆଉଟ୍‌ ହୋଇଥଲେ। ରୋଭ୍‌ମ୍ୟାନ ପୱେଲ ୩୨ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୮ ରନ୍‌ କରିଥିଲେ। ସିମ୍ରନ୍ ହେତ୍‌ମେୟର ପ୍ରଥମ ବଲ୍‌ରେ ଚୌକା ମାରିଥିଲେ ହେଁ ୧୨ ବଲ୍‌ରୁ ୧୦ ରନ୍‌କରି ଆଉଟ୍‌ ହୋଇଥିଲେ। ଫଳରେ ଶେଷ ୩ ଓଭରରୁ ୱେଷ୍ଟଇଣ୍ଡିଜ୍‌ ମାତ୍ର ୨୧ ରନ୍‌ କରି ପାରିଥିଲା। ଅର୍ଶଦୀପ ସିଂହ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ମୁକେଶ କୁମାର ଓ ତିଳକ ବର୍ମା ଟ୍ବେଣ୍ଟି୨୦ ପଦାର୍ପଣ କରିଥିଲେ।

Comments are closed.