ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟ୍ବେଣ୍ଟି-୨୦ ଆଜି

ଟାରୌବା (ତ୍ରିନିଦାଦ୍‌) : ଗୁରୁବାରଠାରୁ ଏଠାରେ ଭାରତୀୟ ଦଳର ୱେ​‌ଷ୍ଟଇଣ୍ଡିଜ୍‌ ଗସ୍ତର ୩ୟ ଚରଣ ଆରମ୍ଭ ହେବ। ଗୁରୁବାର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ୩ଟି ଫର୍ମାଟ ମଧ୍ୟରୁ ଟି୨୦ରେ ୱେଷ୍ଟଇଣ୍ଡିଜ୍‌ ଅପେକ୍ଷାକୃତ ଶକ୍ତିଶାଳୀ ଦଳ। ଘରୋଇ ୱେଷ୍ଟଇଣ୍ଡିଜ୍‌ ତା’ର ଦଳରେ ପ୍ରମୁଖ ଟି୨୦ ଖେଳାଳିଙ୍କୁ ସାମିଲ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ପରି ପୁରୁଖା ଖେଳାଳିଙ୍କୁ ବିଶ୍ରାମ ଦେଇଛି। ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧୀନ ଭାରତୀୟ ଦଳରେ ଅଧିକାଂଶ ଯୁବ ଖେଳାଳି ରହିଛନ୍ତି। ତଥାପି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶୃଙ୍ଖଳା ଜିତିବା ପାଇଁ ଏହି ଯୁବ ଭାରତୀୟ ଦଳ ସମର୍ଥ। ଅନ୍ୟପକ୍ଷରେ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାର ନିରାଶାକୁ ଭୁଲି ଟ୍ବେଣ୍ଟି୨୦ରେ ଭଲ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍‌। ମୋଟଉପରେ ଏହି ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ଓ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ଆଇପିଏଲ୍‌ ଖେଳୁଥିବା ୱେଷ୍ଟଇଣ୍ଡିଜ୍‌ର ବେଶ୍‌ କିଛି ଖେଳାଳି ଦଳରେ ରହିଛନ୍ତି। ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତିବା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଜିତି ସ୍ବଦେଶ ଫେରିବା ଲକ୍ଷ୍ୟ ଭାରତ ରଖିଛି। ଭାରତର ଏହା ୨୦୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ହେବ। କେବଳ ପାକିସ୍ତାନ (୨୨୩) ଭାରତଠାରୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛି।
ବ୍ରାୟାନ୍ ଲାରା ଷ୍ଟାଡିୟମ୍‌ରେ ଏହା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ହେବ। ପୂର୍ବରୁ ଏଠାରେ ଖେଳା ଯାଇଥିବା ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ମୋଟଉପରେ ଉଭୟ ଦଳଙ୍କ ମଧ୍ୟରେ ୨୦୧୧ରୁ ଅଦ୍ୟାବଧି ୮ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳାଯାଇଛି। ଏଥିରୁ ଭାରତ ୬ଟି ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ମାତ୍ର ୨ଟି ଜିତିଛି। ୨୦୨୨ରେ ମଧ୍ୟ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ରେ ୫ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳି ଏହାକୁ ୪-୧ରେ ଜିତି ପାଇଥିଲା। ଉଭୟ ଦଳଙ୍କ ମଧ୍ୟରେ ଗତ ୧୭ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୱେଷ୍ଟଇଣ୍ଡିଜ୍‌ ମାତ୍ର ୨ଟି ଜିତିଛି। ଏହିଥିରୁ ଉଭୟ ଦଳଙ୍କ ମଧ୍ୟରେ ଫରକ ଅନୁମେୟ। ରୋଭ୍‌ମାନ୍ ପୱେଲ୍‌ ନେତୃତ୍ବାଧୀନ ଇଣ୍ଡିଜ୍‌ ଦଳରେ ଉପଅଧିନାୟକ କାଏଲ୍‌ ମେୟର୍ସ, ନିକୋଲାସ୍ ପୁରନ୍ ଓ ସିମ୍ରନ୍ ହେତ୍‌ମେୟରଙ୍କ ପରି ବ୍ୟାଟ୍‌ସମ୍ୟାନ୍ ରହିଛନ୍ତି। ଏମାନେ ଫ୍ରାଞ୍ଚାଇଜି ଟି୨୦ ଲିଗ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ନିକଟରେ ଆମେରିକାରେ ମେଜର ଲିଗ୍‌ କ୍ରିକେଟ୍‌ରେ ପୁରନ୍ ଭଲ ବ୍ୟାଟିଂ କରିଥିଲେ। ଗତ ସପ୍ତାହରେ ପୁରନ୍ ମାତ୍ର ୫୫ ବଲ୍‌ରୁ ଅପରାଜିତ ୧୩୭ ରନ୍‌ କରିଥିଲେ। ମେୟର୍ସଙ୍କ ସହ ବ୍ରାଣ୍ଡନ୍‌ କିଙ୍ଗ୍‌ ଇନିଂସ ଓପନ୍‌ କରିପାରନ୍ତି। ହେଲେ ଦିନିକିଆ ଶୃଙ୍ଖଳାର ୩ଟିଯାକ ମ୍ୟାଚ୍‌ରେ କିଙ୍ଗ୍‌ ବିଫଳ ହୋଇଥିଲେ। ମଧ୍ୟକ୍ରମକୁ ଦୃଢ଼ତା ଦେବା ପାଇଁ ଜନ୍‌ସନ ଚାର୍ଲସ କିମ୍ବା ସୈ ହୋପ୍‌ ଖେଳିପାରନ୍ତି। ପରେ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ ନିକୋଲାସ୍ ପୁରନ୍, ସିମ୍ରନ୍ ହେତ୍‌ମେୟର ଓ ରୋଭ୍‌ମାନ୍ ପୱେଲ୍‌ ଅଛନ୍ତି। ଦୁଇ ଅଲ୍‌ରାଉଣ୍ଡର ଭାବେ ରୋଷ୍ଟନ୍ ଚେଜ୍‌ ଓ ଜେସନ୍ ହୋଲ୍‌ଡର ଖେଳିପାରନ୍ତି। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ ରୋମାରିଓ ସେଫର୍ଡ ଓ ଓଡିଅନ୍ ସ୍ମିଥ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ଆକିଲ୍‌ ହୋସେନ୍ ଏକମାତ୍ର ସ୍ପିନର ଭାବେ ଖେଳିବେ। ଫାଷ୍ଟବୋଲର ଭାବେ ଆଲ୍‌ଜାରି ଜୋଶେଫ୍‌ ଓ ଓସାନେ ଥମାସ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ମୋଟଉପରେ ଟ୍ବେଣ୍ଟି୨୦ ପାଇଁ ୱେଷ୍ଟଇଣ୍ଡିଜ୍‌ର ଏକ ଭଲ ଦଳ ରହିଛି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ଖେଳାଳି ଭାରତୀୟ ଦଳରେ ରହିଛନ୍ତି। ଭାରତ ପାଇଁ ଯଶସ୍ବୀ ଜୟସୱାଲ ଓ ଶୁବ୍‌ମାନ ଗିଲ୍‌ ଇନିଂସ ଓପନ୍‌ କରିବେ। ସୂର୍ଯ୍ୟକୁମାର ଯାଦବ ମଧ୍ୟକ୍ରମ ବ୍ୟାଟିଂର ରାଜା। ତାଙ୍କର ଟି୨୦ ଷ୍ଟ୍ରାଇକ୍‌ରେଟ୍‌ ୧୭୫.୭୬। ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ତିଳକ ବର୍ମା ଆନ୍ତର୍ଜାତିକ ପଦାର୍ପଣ କରିପାରନ୍ତି। ୱିକେଟ ରକ୍ଷକ ଭାବେ ଈଶାନ୍ କିଷନ୍ ଓ ସଞ୍ଜୁ ସାମ୍‌ସନଙ୍କ ମଧ୍ୟରୁ ଜଣେ ଖେଳିବେ। ଦିନିକିଆ ଶୃଙ୍ଖଳାରେ ବସିବା ପରେ ୟୁଜବେନ୍ଦ୍ର ଚହଲ ଏହି ମ୍ୟାଚ୍‌ ଖେଳିପାରନ୍ତି। ୨ୟ ସ୍ପିନର ଭାବେ କୁଲଦୀପ ଯାଦବ ଖେଳିବେ। ଦିନିକିଆ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ମୁକେଶ କୁମାର ପେସ୍‌ ବୋଲର ଭାବେ ଖେଳିବା ନିଶ୍ଚିତ। ଫଳରେ ଗୋଟିଏ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ପଦାର୍ପଣ କରିବାର କୃତିତ୍ବ ଅର୍ଜନ କରିବେ ବଙ୍ଗଳାର ମୁକେଶ କୁମାର। ଅନ୍ୟ ପେସ୍‌ ବୋଲର ସ୍ଥାନ ପାଇଁ ଆଭେସ୍ ଖାଁ ଓ ଉମ୍ରାନ୍ ମାଲିକ୍‌ଙ୍କ ମଧ୍ୟରେ ମୁକାବିଲା ହେବ।

Comments are closed.