www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟମ୍ୟାଚ୍

ଇନ୍ଦୋର : ଗତ କିଛିବର୍ଷ ହେଲା ଟେଷ୍ଟ କ୍ରିକେଟ୍‌ରେ ରାଜୁତି କରୁଛି ଭାରତୀୟ ଦଳ। ୨୦୧୩ରୁ ଅଦ୍ୟାବଧି ଘରୋଇମାଟିରେ ଭାରତ ୩୨ଟି ଟେଷ୍ଟମ୍ୟାଚ୍ ଖେଳି ୨୬ଟି ଜିତିଛି, ୫ଟି ଡ୍ର ରଖିଛି ଏବଂ ଗୋଟିଏ ହାରିଛି। ଏବେ ବିରାଟ କୋହଲିଙ୍କ ଦଳ ଆଇସିସି ମାନ୍ୟତାରେ ୧ନଂ ସ୍ଥାନରେ ଅଛି। ଗୁରୁବାରଠାରୁ ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ୍‌ରେ ଭ୍ରମଣକାରୀ ବାଂଲାଦେଶର ମୁକାବିଲା କରିବାକୁ ଯାଉଛି ଭାରତ। ଟେଷ୍ଟ ମାନ୍ୟତାରେ ବାଂଲାଦେଶ ଏ​‌ବେ ୯ମ ସ୍ଥାନରେ ରହିଛି। ତେଣୁ ଏହି ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ପୋଛିବା ଲାଗି ଭାରତ ପ୍ରବଳ ଦାବିଦାର ରହିଛି। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍ ଅନ୍ତର୍ଗତ ଏହା ଭାରତର ୩ୟ ଟେଷ୍ଟ ସିରିଜ୍ ହେବ। ପୂର୍ବରୁ ୱେଷ୍ଟଇଣ୍ଡିଜ୍ (୩) ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ଟେଷ୍ଟ ସିରିଜ୍‌ରେ ୫ଟି ମ୍ୟାଚ୍ ଖେଳିଛି। ଏହି ୫ଟିଯାକ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଫଳରେ ସର୍ବାଧିକ ୨୪୦ ପଏଣ୍ଟ ସହ ଭାରତ ଟେବୁଲ ଶୀର୍ଷରେ ରହିଛି। ପୁଣି ୨୦୧୯ରେ ଏହା ଭାରତର ୬ଷ୍ଠ ଟେଷ୍ଟମ୍ୟାଚ୍ ହେବ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟମ୍ୟାଚ୍ ବର୍ଷା ଯୋଗୁଁ ଭାରତ ଡ୍ର ରଖିଥିଲା। ଭାରତମାଟିରେ ଉଭୟ ଦଳଙ୍କ ମଧ୍ୟରେ ଏହା ୨ୟ ଟେଷ୍ଟମ୍ୟାଚ୍ ହେବ। ୨୦୧୭ରେ ହାଇଦରାବାଦରେ ଉଭୟ ଦଳ ଶେଷଥର ପାଇଁ ଖେଳିଥିଲେ। ଚଳିତବର୍ଷ କ୍ରମାଗତ ୬ଷ୍ଠ ଟେଷ୍ଟମ୍ୟାଚ୍ ଜିତିବା ଲାଗି ଭାରତ ବଡ଼ ଫେଭରିଟ୍‌।
ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଗତମାସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ଟିଯାକ ମ୍ୟାଚ୍‌ରେ ବିପୁଳ ବିଜୟ ହାସଲ କରିଥିଲା। ପ୍ରଥମଥର ଇନିଂସ ଓପନ୍‌କରି ରୋହିତ ଶର୍ମା ୪ଟି ଇନିଂସରୁ ୫୨୯ ରନ୍ କରିଥିଲେ। ଉକ୍ତ ସିରିଜ୍‌ ଖେଳିଥିବା ବାମହାତି ସ୍ପିନର ଶାହ୍‌ବାଜ ନଦ୍ଦିମ୍‌ଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଦଳରେ ରହିଛନ୍ତି। କୁଲଦୀପ ଯାଦବ ଫିଟ୍‌ ହେବା ପରେ ନଦ୍ଦିମ୍‌ଙ୍କ ସ୍ଥାନ ନେଇଛନ୍ତି। ବାଂଲାଦେଶ ବିପକ୍ଷରେ ଭାରତ ୯ଟି ଟେଷ୍ଟ ଖେଳି ୭ଟି ଜିତିଥିବା ବେଳେ ବର୍ଷା ବାଧାପ୍ରାପ୍ତ ବାକି ୨ଟି ଟେଷ୍ଟ ଡ୍ର ରହିଛି। ବାଂଲାଦେଶ ଅଦ୍ୟାବଧି ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଖାତା ଖୋଲି ପାରିନାହିଁ। ଆଫ୍‌ଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳି ବାଂଲାଦେଶ ୨୨୪ ରନ୍‌ରେ ପରାସ୍ତ ହୋଇଛି। ପୁଣି ସାକିବ୍ ଅଲ୍‌ ହାସନ୍‌ ଓ ଓପ୍‌ନର ତମିମ୍ ଇକ୍‌ବାଲ ଦଳରେ ନାହାନ୍ତି। ମୋମିନୁଲ୍‌ ହକ୍ ପ୍ରଥମଥର ପାଇଁ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ମୁସ୍‌ଫିକୁର ରହିମ୍ ଓ ମହମ୍ମଦୁଲ୍ଲା ଦଳର ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍। ପୁଣି ମୁସ୍ତାଫିଜୁର ରେହ୍‌ମାନ ଦଳର ପ୍ରମୁଖ ପେସ୍ ବୋଲର ହୋଇଥିବା ବେ​ଳେ ତାଙ୍କର ଟେଷ୍ଟମ୍ୟାଚ୍ ରେକର୍ଡ ସେତେ ଭଲ ନୁହେଁ। ତେଣୁ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଯଦି ବାଂଲାଦେଶ ପ୍ରତିଦ୍ବନ୍ଦ୍ବିତାମୂଳକ ହୁଏ; ଏହା ପାଇଁ ବଡ଼ କୃତିତ୍ବ ହେବ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ସ୍ପିନର ପ୍ରାଧାନ୍ୟ ବିସ୍ତାର କରିବେ ବୋଲି ସମସ୍ତେ ଆଶା ରଖିଥିବା ବେଳେ ଭାରତୀୟ ପେସ୍ ବୋଲର ଚମତ୍କାର ବୋଲିଂ କରିଥିଲେ। ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଉମେଶ ଯାଦବ ଚମ୍ପିଆନ୍‌ଙ୍କ ପରି ବୋଲିଂ କରିଥିଲେ। ଇନ୍ଦୋରର ପିଚ୍ ଭାରତୀୟ ପେସ୍ ବୋଲରଙ୍କ ପାଇଁ ସହାୟକ ହୋଇପାରେ। ଯଦି ଭାରତ ଏହି ମ୍ୟାଚ୍‌ରେ ୫ ଜଣ ବୋଲରଙ୍କୁ ଖେଳାଇବା କଥା ଚିନ୍ତାକରେ; ତେବେ ୩ୟ ପେସ୍ ବୋଲର ଭାବେ ଈଶାନ୍ତ ଶର୍ମା ଖେଳିବେ। ଦୁଇ ସ୍ପିନର ଆର୍. ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ମୁକାବିଲା କରିବା ବାଂଲାଦେଶ ବ୍ୟାଟ୍‌ସମ୍ୟାନଙ୍କ ଲାଗି କାଠିକର ପାଠ ହୋଇପାରେ। ପୁଣି ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି, ଚେତେଶ୍ବର ପୂଜାରାଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଫର୍ମରେ ଥିବା ବେଳେ ସେମାନଙ୍କୁ ରୋକିବା ବାଂଲାଦେଶ ବୋଲରଙ୍କ ପାଇଁ ନିଶ୍ଚୟ କଷ୍ଟକର ହେବ। ତଥାପି ସ୍ପିନ୍ ଉପଯୋଗୀ ପିଚ୍‌ରେ ମେହ୍‌ଦି ହାସନ୍ ମିରାଜ୍ ଓ ତାଇଜୁଲ୍‌ ଇସ୍‌ଲାମ ଭଲ ବୋଲିଂ କରିଛନ୍ତି। ଏହି ଗ୍ରାଉଣ୍ଡରେ ମାତ୍ର ଗୋଟିଏ ଟେଷ୍ଟମ୍ୟାଚ୍ ଖେଳାଯାଇଛି। ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨୧ ରନ୍‌ରେ ଭାରତ ଜିତିଥିଲା। ଆଉ ୩ଟି ଶିକାର ହାସଲକଲେ; ଋଦ୍ଧିମାନ ଶାହା ଟେଷ୍ଟମ୍ୟାଚ୍‌ରେ ୧୦୦ ଶିକାରରେ ପହଞ୍ଚିବେ। ପୁଣି ଆଉ ୨୫ ରନ୍‌କଲେ ଅଜିଙ୍କ୍ୟ ରାହାଣେ ୪୦୦୦ ଟେଷ୍ଟ ରନ୍ ପୂରଣ କରିବେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories