ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ
ଅଷ୍ଟ୍ରେଲିଆକୁ ସାନ୍ତ୍ବନା : ୩ୟ ଦିନିକିଆରେ ପରାଜୟ ସତ୍ତ୍ବେ ୨-୧ରେ ଶୃଙ୍ଖଳା ଜିତିଲା ଭାରତ
ରାଜକୋଟ୍ : ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପରାଜୟ ସହ ବିଶ୍ବକପ ପ୍ରସ୍ତୁତି ଶେଷ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ବୁଧବାର ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ୬୬ରନରେ ଭାରତକୁ ପରାସ୍ତ କରିଛି। ଶୃଙ୍ଖଳାକୁ ପୂର୍ବରୁ ଭାରତ ଜିତି ସାରିଥିଲେ ମଧ୍ୟ ଶେଷ ମ୍ୟାଚରେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆକୁ ବିଶ୍ବକପ ପୂର୍ବରୁ ସାନ୍ତ୍ବନା ମିଳିଥିବାବେଳେ ଭାରତର ଦୁର୍ବଳ ବୋଲିଂ ପଦାରେ ପଡିଛି। ଅନ୍ତିମ ମ୍ୟାଚରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ଶୃଙ୍ଖଳା ୨-୧ରେ ବିଜୟୀ ହୋଇଛି। ପୂର୍ବରୁ ଭାରତ ପ୍ରଥମ ଓ ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଥିଲା।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ମିଚେଲ ମାର୍ଶ, ମାର୍ନୁସ ଲାବୁସାନେ, ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ଙ୍କ ଅର୍ଦ୍ଧଶତକ ବଳରେ ୩୫୨ରନ କରିଥିଲା। ଜବାବରେ ଭାରତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୨୮୬ରନ କରିବାକୁ ସକ୍ଷମ ହୋଇଥିଲା।
୩୫୩ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ସହ ୱାଶିଂଟନ ସୁନ୍ଦର ଓପନ୍ କରିବାକୁ ଓହ୍ଲାଇଥିଲେ। ଉଭୟେ ପ୍ରଥମ ୱିକେଟରେ ୭୪ରନ ସଂଗ୍ରହ କରିଥିଲେ। ୱାଶିଂଟନ ୧୮ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ରୋହିତ ଓ ବିରାଟ କୋହଲି ୭୦ରନ ଭାଗିଦାରୀ କରିିଥିଲେ। ୧୪୪ରନ ସ୍କୋରରେ ରୋହିତ ୮୧ରନ କରି ଆଉଟ୍ ହୋଇଥିଲେ। ୧୭୧ରନ ସ୍କୋର ଥିବାବେଳେ ବିରାଟ ୫୬ରନ କରି ଆଉଟ୍ ହୋଇଥିଲେ। ଚତୁର୍ଥ ୱିକେଟରେ ଶ୍ରେୟାସ ଆୟର ଓ ଲୋକେଶ ରାହୁଲ ୫୨ରନ ସଂଗ୍ରହ କରିଥିଲେ। ୨୨୩ରନ ସ୍କୋର ଥିବାବେଳେ ରାହୁଲ ୨୬ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମାତ୍ର ୮ରନ କରି ଆଉଟ୍ ହୋଇଥିଲେ। ୨୪୯ରନ ସ୍କୋର ଥିବାବେଳେ ଆୟର ୪୮ରନ କରି ଆଉଟ୍ ହୋଇଥିଲେ। ରବୀନ୍ଦ୍ର ଜାଡେଜାଙ୍କ ୩୫ରନ ବଳରେ ଭାରତ ୨ ଟି ବଲ ବାକି ଥାଇ ୨୮୬ରନରେ ଅଲ୍ଆଉଟ୍ ହୋଇଯାଇଥିଲା।ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ ୪ଟି ଓ ଜୋଶ ହାଜେଲଉଡ୍ ଦୁଇଟି ୱିକେଟ ନେଇଥିଲେ ।
ଅଷ୍ଟ୍ରେଲିଆ ଟସ୍ ଜିିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ମିଚେଲ ମାର୍ଶ ଓ ଡେଭିଡ୍ ୱାର୍ଣ୍ଣର ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ ଉଭୟେ ୭୮ରନ ଭାଗିଦାରୀ କରିଥିଲେ। ୱାର୍ଣ୍ଣର ୫୬ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଷ୍ଟିଭ୍ ସ୍ମିଥ୍ ଓ ମାର୍ଶ ୧୧୯ଟି ବଲରୁ ୧୩୭ରନ ଭାଗିଦାରୀ କରିଥିଲେ। ସ୍କୋର ୨୧୫ରନ ଥିବାବେଳେ ମାର୍ଶ ୯୬ରନ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟର ପତନ ୨୪୨ରନରେ ଘଟିଥିଲା। ସ୍ମିଥ୍ ୭୪ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟରେ ମାର୍ନୁସ ଲାବୁସାନେ ଓ ଆଲେକ୍ସ କେରୀ ୨୫ରନ ସଂଗ୍ରହ କରିଥିଲେ। ୨୬୭ରନରେ ଅଷ୍ଟ୍ରେଲିଆ ୪ର୍ଥ ୱିକେଟ ହରାଇଥିଲା। କେରୀ ୧୧ରନ କରି ଆଉଟ୍ ହୋଇଥିଲେ। ୨୮୧ରନରେ ପଞ୍ଚମ ୱିକେଟର ପତନ ଘଟିଥିଲା। ଦଳକୁ ଫେରିଥିବା ଗ୍ଲେନ ମ୍ୟାକ୍ସୱେଲ ମାତ୍ର ୫ରନ କରି ଆଉଟ୍ ହୋଇଥିଲେ। ୬ଷ୍ଠ ୱିକେଟରେ କାମେରୁନ ଗ୍ରୀନ ଓ ମାର୍ନୁସ ଲାବୁସାନେ ୧୮ରନ ସଂଗ୍ରହ କରିଥିଲେ। ୨୯୯ରନରେ ଗ୍ରୀନ ୯ରନ କରି ଆଉଟ୍ ହୋଇଥିଲେ। ପ୍ୟାଟ୍ କମିନ୍ସ ଓ ଲାବୁସାନେ ସପ୍ତମ ୱିକେଟରେ ୪୬ରନ ସଂଗ୍ରହ କରିବା ସହିତ ଦଳୀୟ ସ୍କେରକୁ ୩୪୫ରେ ପହଞ୍ଚାଇଥିଲେ। ଲାସୁବାନେ ୭୨ରନ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ଶେଷରେ ୭ ୱିକେଟ ହରାଇ ୩୫୨ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଟି, କୁଳଦୀପ୍ ଯାଦବ ୨ଟି, ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
Comments are closed.