ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଶୁକ୍ରବାର ଭାରତ ସମେତ ଚୀନ୍, ମେକ୍ସିକୋ ଏବଂ କାନାଡା ବିରୋଧରେ ଶୁଳ୍କ କଟକଣା ଘୋଷଣା କରିଥିଲେ। ବାଣିଜ୍ୟିକ ନିଅଣ୍ଟ ସ୍ଥିତି ସୁଧାରିବାକୁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ତେବେ ପରବର୍ତ୍ତୀ ସମୟରେ ଟ୍ରମ୍ପ ଏହି ତାଲିକାରୁ ଭାରତକୁ ବାଦ ଦେଇଛନ୍ତି। ସୂଚନା ମୁତାବକ ଆମେରିକାର ବାଣିଜ୍ୟିକ ନିଅଣ୍ଟ ପାଇଁ ଏହି ଚାରିଟି ରାଷ୍ଟ୍ରର ଅବଦାନ ସବୁଠାରୁ ଅଧିକ। ଚୀନ୍ର ଅବଦାନ ୩୦.୨ ପ୍ରତିଶତ ଥିବାବେଳେ ଏହାପଛକୁ ମେକ୍ସିକୋ (୧୯ ପ୍ରତିଶତ), କାନାଡା (୧୪ ପ୍ରତିଶତ) ଏବଂ ଭାରତ (୩.୨ ପ୍ରତିଶତ) ରହିଛନ୍ତି।
ଭାରତର ଅବଦାନ ଏତେଟା ଉଲ୍ଲେଖନୀୟ ହୋଇନଥିବାରୁ କଟକଣା ଅନାବଶ୍ୟକ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ମେକ୍ସିକୋ ସହ ଆମେରିକାର ୨୫୦ ବିଲିୟନ ଡଲାର ଏବଂ କାନାଡା ସହ ୨୦୦ ବିଲିୟନ ଡଲାର ବାଣିଜ୍ୟିକ ନିଅଣ୍ଟ ଚାଲିଥିବା ଜଣାପଡିଛି। ଅପରପକ୍ଷରେ ଚୀନ୍ରୁ ଆମଦାନୀ କରାଯାଉଥିବା ଆନାଲଜେସିକ୍ (ଫେଣ୍ଟାନିଲ) ସେବନ କରି ଆମେରିକାରେ ପ୍ରତିବର୍ଷ ସହସ୍ରାଧିକ ଲୋକ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି।
ଆମେରିକାକୁ କାନାଡାର ପାଲଟା ଜବାବ ଲଗାଇଲା ସମାନ ୨୫% ଶୁଳ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆମଦାନୀ ଉପରେ ୨୫% ଶୁଳ୍କ ଲାଗୁ କରିବା ପରେ କାନାଡା ସରକାରଙ୍କ ମଧ୍ୟ ଆମେରିକାରୁ ଆମଦାନୀ ଉପରେ ସମାନ ୨୫ ପ୍ରତିଶତ ଶୁଳ୍କ ଲାଗୁ କରି ପାଲଟା ଜବାବ ଦେଇଛି। ମେକ୍ସିକୋ, କାନାଡା ଏବଂ ଚୀନ୍ରୁ ଆମଦାନୀ ଉପରେ ଅଧିକ ଶୁଳ୍କ ଲାଗୁ କରିବା ପାଇଁ ଟ୍ରମ୍ପ ନିର୍ଦେଶ ଦେବା ପରେ କାନାଡା
ସରକାରଙ୍କ ଏହି ପଦକ୍ଷେପ ବାଣିଜ୍ୟ ଯୁଦ୍ଧ ଉତ୍ତେଜନାକୁ ବୃଦ୍ଧି କରିଛି।
୧୦୬ ନିୟୁତ ଡଲାର ମୂଲ୍ୟର ଆମେରିକୀୟ ଆମଦାନୀ ଉପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏଥିସହ ଟ୍ରୁଡୁ ଘୋଷଣା କରିଛନ୍ତି ଯେ, ୩ ହଜାର କୋଟି ଡଲାର ମୂଲ୍ୟର ଆମେରିକୀୟ ମଦ ଓ ଫଳ ଉପରେ ମଧ୍ୟ ସମାନ ଶୁଳ୍କ ମଙ୍ଗଳବାରଠାରୁ ଲାଗୁ ହେବ। ଟ୍ରମ୍ପ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରି ଚୀନ୍ ଉପରେ ୧୦% ଶୁଳ୍କ ଲଗାଇଥିବାବେଳେ ମେକ୍ସିକୋ ଓ କାନାଡାରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ୨୫% ଶୁଳ୍କ ବୃଦ୍ଧି କରିଥିଲେ। ଅନ୍ୟପକ୍ଷରେ କାନାଡାରୁ ଆମେରିକା ଆମଦାନୀ କରୁଥିବା ତେଲ, ପ୍ରାକୃତିକ ବାଷ୍ପ ଓ ବିଦ୍ୟୁତ୍ ଉପରେ ୧୦% ଶୁଳ୍କ ଲାଗିବ ବୋଲି କହିଥିଲେ। ଆନ୍ତର୍ଜାତିକ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ (ଆଇଇଇପିଏ) ଅନୁଯାୟୀ ଟ୍ରମ୍ପ ଏହି ଶୁଳ୍କ ବୃଦ୍ଧି କରିଛନ୍ତି।



