ଦଳକୁ ଫେରି ନେତୃତ୍ବ ନେବେ ବୁମ୍ରା
ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦ ଦଳ ଘୋଷଣା
ନୂଆଦିଲ୍ଲୀ : ଭାରତର ଶ୍ରେଷ୍ଠ ଫାଷ୍ଟବୋଲର ଓ ୧ନଂ ମ୍ୟାଚ୍ ବିଜେତା ଯଶପ୍ରୀତ୍ ବୁମ୍ରା ପାଖାପାଖି ୧୦ ମାସ କ୍ରିକେଟ୍ରୁ ଦୂରେଇ ରହିବା ପରେ ଭାରତୀୟ ଦଳକୁ ଫେରିଛନ୍ତି। ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ବୁମ୍ରାଙ୍କୁ ସ୍ଥାନ ଦିଆଯିବା ସହ ତାଙ୍କୁ ନେତୃତ୍ବ ପ୍ରଦାନ କରାଯାଇଛି। ମହାରାଷ୍ଟ୍ରର ଓପ୍ନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ବାଡଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି। ଏସୀୟ କ୍ରୀଡ଼ାରେ ଋତୁରାଜ ଭାରତୀୟ ଦଳର ନେତୃତ୍ବ ନେବେ। ବହୁତ ମାସ ପେର ଦଳକୁ ଫେରିଥିବା ଯଶପ୍ରୀତ ବୁମ୍ରାଙ୍କୁ ଭାରାକ୍ରାନ୍ତ ନ କରି ଆୟରଲାଣ୍ଡ ଗସ୍ତରେ ଋତୁରାଜଙ୍କୁ ନେତୃତ୍ବ ଦେବା ପାଇଁ ମନୋନୟକାରୀ ପ୍ରାୟ ନିଷ୍ପତ୍ତି ନେଇ ଯାଇଥିଲେ। ହେଲେ ବୁମ୍ରା ନେତୃତ୍ବ ନେବାକୁ ଆଗ୍ରହ ପ୍ରକାଶ କରିବାରୁ ତାଙ୍କୁ ସେମାନେ ଅଧିନାୟକ ଘୋଷଣା କରିଛନ୍ତି। ସେହିପରି ଗତବର୍ଷ ଅଗଷ୍ଟରୁ ଆହତ ହୋଇ ଭାରତୀୟ ଦଳରେ ସ୍ଥାନ ପାଇନଥିବା କର୍ଣ୍ଣାଟକର ଦ୍ରୁତ ବୋଲର ପ୍ରସିଦ୍ଧ କିଷ୍ଣା ମଧ୍ୟ ବୁମ୍ରାଙ୍କ ସହ ଦଳକୁ ଫେରିଛନ୍ତି।
ପିଠିରେ ଯନ୍ତ୍ରଣା ଯୋଗୁଁ ଯଶପ୍ରୀତ ବୁମ୍ରା ବେଶ୍ କିଛି ମାସ ହେଲା ଖେଳୁନଥିଲେ। ଗତ ମାର୍ଚ୍ଚରେ ବୁମ୍ରାଙ୍କ ପିଠିରେ ଅେସ୍ତ୍ରାପଚାର କରା ଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୨୫ରେ ହାଇଦରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମ୍ରା ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିଲେ; ଯାହା ଭାରତ ପାଇଁ ତାଙ୍କର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍ ଥିଲା। ଗତବର୍ଷ ଜୁଲାଇରେ ଇଂଲଣ୍ଡରେ ବୁମ୍ରା ତାଙ୍କର ଅନ୍ତିମ ଟେଷ୍ଟ ଓ ଦିନିକିଅା ମ୍ୟାଚ୍ ଖେଳିଥିଲେ। ପିଠି ଅେସ୍ତ୍ରାପଚାର ପରେ ବୁମ୍ରା ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଅଭ୍ୟାସ କରିଥିଲେ। ସେଠାରେ ବୁମ୍ରାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଏହି ଫାଷ୍ଟବୋଲଙ୍କୁ ଫିଟ୍ ଘୋଷଣା କରିଥିଲେ। ଆଇପିଏଲ୍ରେ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ଯୁବ ଖେଳାଳିଙ୍କୁ ଏହି ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ଦିଆଯାଇଛି। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଯଶସ୍ବୀ ଜୟସୱାଲ୍, ତିଳକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ଶିବମ ଦୁବେ ଓ ଶାହବାଜ୍ ଅହମଦ୍ ପ୍ରଭୃତି। ମୋଟଉପରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ନୂଆ। ଏହି ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଆୟରଲାଣ୍ଡର ଡବ୍ଲିନ୍ରେ ଅଗଷ୍ଟ ୧୮, ୨୦ ଓ ୨୩ରେ ଖେଳାଯିବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ରାତି ୭.୩୦ରେ ଆରମ୍ଭ ହେବ।
ଭାରତୀୟ ଟ୍ବେଣ୍ଟି୨୦ ଦଳ: ଯଶପ୍ରୀତ୍ ବୁମ୍ରା (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୟସୱାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ୍, ଜିତେଶ ଶର୍ମା, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହବାଜ୍ ଅହମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଓ ଆଭେସ୍ ଖାଁ।
Comments are closed.