www.samajalive.in
Friday, December 12, 2025
14.1 C
Bhubaneswar

ଆଜିଠାରୁ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ

ଅହମ୍ମଦାବାଦ: କ୍ରିକେଟ୍‌ ଦୁନିଆର ଅନ୍ୟତମ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଆଜିଠାରୁ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଯାଉଛି। ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ସାରା କ୍ରିକେଟ୍‌ ଦୁନିଆର ନଜର ଏହି ମ୍ୟାଚ୍‌ ଉପରେ ରହିବ। କାରଣ ଏହି ମ୍ୟାଚ୍ ନିର୍ଦ୍ଧାରଣ କରିବ ଯେ ଜୁନ୍‌ରେ ଲର୍ଡସରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲରେ ନ୍ୟୁଜିଲାଣ୍ଡର ମୁକାବିଲା କେଉଁ ଦଳ କରିବ। ଯଦି ଭାରତ ଏହି ମ୍ୟାଚ୍‌କୁ ଜିତେ କିମ୍ବା ଡ୍ର ରହେ; ତେବେ ଭାରତ ଫାଇନାଲ ଖେଳିବ। ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ଇଂଲଣ୍ଡ ଯଦି ଏହି ମ୍ୟାଚ୍ ଜିତେ; ତେବେ ଅଷ୍ଟ୍ରେଲିଆ ଫାଇନାଲ ଖେଳିବ। ତେବେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ଅପେକ୍ଷା ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ ଜିତିବାର ଅଧିକ କାରଣ ରହିଛି। ୨-୧ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍ ଜିତିଲେ କିମ୍ବା ଡ୍ର ରଖିଲେ ମଧ୍ୟ ସିରିଜ୍ ହାତେଇ ପାରିବ।

ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡ ବିଦେଶରେ ତା’ର ପ୍ରଭାବଶାଳୀ ଟେଷ୍ଟ ରେକର୍ଡକୁ ଅତୁଟ ରଖିପାରିବ। ଶ୍ରୀଲଙ୍କାରେ କ୍ରମାଗତ ୨ଟି ଟେଷ୍ଟ ଜିତି ଭାରତରେ ପହଞ୍ଚିଥିବା ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା। ଶ୍ରୀଲଙ୍କାରେ ଉଭୟ ଟେଷ୍ଟରେ ଶତକ ଅର୍ଜନ କରିଥିବା ଅଧିନାୟକ ଜୋ ରୁଟ୍‌ ଚେନ୍ନଇରେ ପ୍ରଥମ ଟେଷ୍ଟରେ ଦ୍ବିଶତକ ମାରି ଦଳର ବିଜୟରେ ବିନ୍ଧାଣୀ ସାଜିଥିଲେ। ହେଲେ ପରବର୍ତ୍ତୀ ୨ଟି ଟେଷ୍ଟରେ ଭାରତୀୟ ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଅତ୍ୟଧିକ ସ୍ପିନ୍ କରୁଥିବା ପିଚ୍‌ରେ ଅଧିକ ଦକ୍ଷ ଭାରତୀୟ ସ୍ପିନରଙ୍କ ସମ୍ମୁଖରେ ଇଂଲଣ୍ଡ ଆତ୍ମସମର୍ପଣ କରିଛି। ଦିବାରାତ୍ର ୩ୟ ଟେଷ୍ଟ ପରି ୪ର୍ଥ ଟେଷ୍ଟରେ ମଧ୍ୟ ସ୍ପିନ୍ ଉପଯୋଗୀ ପିଚ୍ ପ୍ରସ୍ତୁତ ହୋଇଛି। ତେଣୁ ମ୍ୟାଚ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବା ନିଶ୍ଚିତ।

- Advertisement -

ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗତ ୩ଟି ଟେଷ୍ଟରେ ୯, ୮ ଓ ୭; ଏହିପରି ମୋଟ ୨୪ଟି ୱିକେଟ ନେଇଛନ୍ତି। ବାମହାତି ସ୍ପିନର ଅକ୍ଷର ପଟେଲ ଏହି ସିରିଜ୍‌ରେ ପଦାର୍ପଣ କରିଥିବା ବେଳେ ସେ ୧୦, ୧୧; ଏହିପରି ମୋଟ ୨୧ଟି ୱିକେଟ ନେଇଛନ୍ତି। ତେଣୁ ୪ର୍ଥ ଟେଷ୍ଟରେ ଅଶ୍ବିନ ଓ ଅକ୍ଷରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ୩ୟ ଟେଷ୍ଟର ଅନୁରୂପ ପିଚ୍‌ ୪ର୍ଥ ଟେଷ୍ଟରେ ପ୍ରସ୍ତୁତ ହୋଇଛି। ତେଣୁ ସ୍ପିନରଙ୍କ ପ୍ରାଧାନ୍ୟ ରହିବ ଏବଂ ମ୍ୟାଚ୍‌ ଜଲ୍‌ଦି ସମାପ୍ତ ହେବା ନିଶ୍ଚିତ। ତେବେ ଗୋଲାପି ବଲ୍‌ ତୁଳନାରେ ଲାଲ୍‌ ବଲ୍‌ରେ ସ୍ପିନରଙ୍କୁ ସେତେ ସଫଳତା ମିଳିବ ନାହିଁ। ୨୦୧୨ ପରଠାରୁ ଇଂଲଣ୍ଡଠାରୁ ଘରୋଇ ଟେଷ୍ଟ ସିରିଜ୍ ଭାରତ ହାରିନାହିଁ। ଏଥର ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କ୍ରିକେଟ୍‌ ବିଶେଷଜ୍ଞ ଆକଳନ କରିଛନ୍ତି।

ଇଂଲଣ୍ଡକୁ ଏହି ଟେଷ୍ଟମ୍ୟାଚ୍‌ ଜିତିବାକୁ ହେଲେ ଅଶ୍ବିନ ଓ ଅକ୍ଷରଙ୍କ ବୋଲିଂର ସଫଳ ମୁକାବିଲା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଜୋ ରୁଟ୍‌ ଫର୍ମକୁ ଫେରିବାକୁ ଚାହିଁବେ। ଅଭିଜ୍ଞ ଜନି ବେୟାରଷ୍ଟୋ ୩ୟ ଟେଷ୍ଟର ଉଭୟ ଇନିଂସରେ ବିଫଳ ହୋଇଥିବା ବେଳେ କିଛି ସମୟ କ୍ରିଜ୍‌ରେ ବିତାଇବାକୁ ଚାହିଁବେ। ଓପ୍‌ନର ଜ୍ୟାକ୍‌ କ୍ରଲି ୩ୟ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଏହିପରି ଇନିଂସ ଖେଳିବାକୁ ଚାହିଁବେ। ଅଭିଜ୍ଞ ବେନ୍‌ ଷ୍ଟୋକ୍‌ସ ମଧ୍ୟ କିଛି କମାଲ କରି ପାରିନାହାନ୍ତି। ମୋଇନ୍ ଅଲୀ ଓ ଜୋସ୍ ବଟ୍‌ଲରଙ୍କୁ ଇଂଲଣ୍ଡ ସ୍ବଦେଶ ପଠାଇବା ଯୋଗୁଁ ଦଳର ସନ୍ତୁଳନ ବିଗିଡ଼ି ଯାଇଛି। ବିଶ୍ବର ଦୁଇ ସଫଳ ଫାଷ୍ଟବୋଲର ଜେମ୍‌ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ ଇଂଲଣ୍ଡ ଦଳରେ ଥିଲେ ହେଁ ଭାରତୀୟ ପିଚ୍‌ରେ ସେମାନେ ନିଷ୍ପ୍ରଭ ହୋଇ ଯାଇଛନ୍ତି। ୩ୟ ପେସ୍ ବୋଲରଙ୍କ ସ୍ଥାନରେ ଇଂଲଣ୍ଡ ଏଥର ଅଫ୍‌ସ୍ପିନର ଡମ୍ ବେସ୍‌ଙ୍କୁ ଖେଳାଇବା ନିଶ୍ଚିତ। ଟସ୍ ଜିତି ଉଭୟ ଦଳ ବ୍ୟାଟିଂ ନେବାକୁ ଚାହିଁବେ। ଯେଉଁ ଦଳର ବ୍ୟାଟିଂ ଏହି ମ୍ୟାଚ୍‌ରେ ସଫଳ ହେବ; ସେହି ଦଳର ଜିତାପଟ ହେବ। ବ୍ୟାଟିଂ ଶକ୍ତି ଦେଖିଲେ ଭାରତ ଆଗରେ ରହିଛି। ଭାରତୀୟ ଦଳରେ ଯଶପ୍ରୀତ ବୁମ୍‌ରାଙ୍କ ସ୍ଥାନ ଉମେଶ ଯାଦବ ନେଇପାରନ୍ତି।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories