ନୂଆଦିଲ୍ଲୀ : ପାକିସ୍ତାନରେ ବନ୍ଦୀ ଅବସ୍ଥାରେ ଥିବା ଭାରତୀୟ ନାଗରିକମାନଙ୍କର ଦଣ୍ଡର ଅବଧି ଶେଷ ହୋଇଯିବା ଓ ସେମାନଙ୍କର ନାଗରିକତ୍ୱ ପ୍ରମାଣିତ ହୋଇସାରିଥିବା ସତ୍ତ୍ବେ ସେମାନଙ୍କୁ ଜେଲ୍ରୁ ଖଲାସ କରି ପ୍ରତ୍ୟର୍ପଣ କରାଯାଉ ନ ଥିବାରୁ ଭାରତ ଏହା ଉପରେ ଘୋର ଉଦ୍ବେଗ ପ୍ରକାଶ କରିଛି ।
ବୈଦେଶିକ ମନ୍ତ୍ରଣାଳୟରୁ ମିଳିଥିବା ଖବର ଅନୁସାରେ ଏଭଳି ୧୦ ଜଣ ଭାରତୀୟ ନାଗରିକଙ୍କୁ ଶୀଘ୍ର ଖଲାସ କରି ଭାରତକୁ ପ୍ରତ୍ୟର୍ପଣ କରିବାପାଇଁ ପାକିସ୍ତାନ ହାଇକମିଶନ୍ଙ୍କୁ ଅନୁରୋଧ କରାଯାଇଛି। କୁଳଭୂଷଣ ଯାଦବ ଓ ଅନ୍ୟ ୪ ଜଣ ଭାରତୀୟ ବନ୍ଦୀଙ୍କ ପାଖକୁ ଦୂତାବାସ କର୍ମଚାରୀମାନଙ୍କୁ ଯିବାକୁ ଦିଆଯିବା ପାଇଁ ଭାରତ ସାନି ଅନୁରୋଧ କରିଛି । ଭାରତ ସରକାର ପାକିସ୍ତାନକୁ ପଠାଇଥିବା ଅନୁରୋଧ ପତ୍ରରେ କହିଛନ୍ତି, ପାକିସ୍ତାନ ଜେଲରେ ଥିବା ଭାରତୀୟ ମତ୍ସ୍ୟଜୀବୀ ଓ ବନ୍ଦୀମାନଙ୍କ ପାଖକୁ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କୁ ପଠାଇବାରେ ଅହେତୁକ ବିଳମ୍ବ ଘଟୁଛି । ପାକିସ୍ତାନ ଜେଲରେ ଥିବା ଭାରତର ବହୁ ଯୁଦ୍ଧ ଅପରାଧୀ ନିଖୋଜ ହେବା ବିଷୟରେ ମଧ୍ୟ ଭାରତ ପାକିସ୍ତାନକୁ ଜଣାଇଛି । ପାକିସ୍ତାନ ଜେଲରେ୩୮୫ରୁ ଅଧିକ ମତ୍ସ୍ୟଜୀବୀ ରହିଛନ୍ତି ଏବଂ ମାନଙ୍କର ନାଗରିକତ୍ୱ ନିଶ୍ଚିତ ହୋଇସାରିଛି । ପାକିସ୍ତାନ ଜେଲରେ ଥିବା ଭାରତୀୟମାନଙ୍କ ପାଖକୁ ଯିବାପାଇଁ ଭାରତୀୟ ଡାକ୍ତରମାନଙ୍କୁ ଭିସା ପ୍ରଦାନ ଲାଗି ମଧ୍ୟ ଭାରତ ପାକିସ୍ତାନକୁ ଅନୁରୋଧ କରିଛି ।



