ସମାଜ ଡିଜିଟାଲ ଡେସ୍କ: ଭାରତ –ଚୀନ୍ ଅତୀତର ସୀମା ବିବାଦରୁ ବାହାରି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନୂଆ ରୂପ ଦେବାକୁ ଜୋରଦାର ପ୍ରୟାସ କରୁଛନ୍ତି । ହେଲେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାରତ ଓ ଚୀନ ସମ୍ପର୍କରେ ସୁଧାର ଆସିଲେ ପାକିସ୍ତାନ ଉପରେ କଣ ପ୍ରଭାବ ପଡିବ ।
ଆଇଏମ୍ଏଫର ସୂଚନା ଅନୁଯାୟୀ ୫ଟ୍ରିଲିୟନ ସେୟାର ବଜାର ସହିତ ଭାରତ ଦୁନିଆର ତୃତୀୟ ସବୁଠାରୁ ବଡ ଆର୍ଥିକ ଶକ୍ତି ହେବା ଆଡକୁ ଗତିକରୁଛି । ସେପଟେ ଚୀନ ଦୁନିଆର ସବୁଠାରୁ ବଡ ଦ୍ୱିତୀୟ ଅର୍ଥ ବ୍ୟବସ୍ଥା ଦେଶ ଅଟେ । ବେଞ୍ଜିଂର ଜଣେ ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଦୁନିଆ ଚୀନ ଓ ଆମେରିକାର ସମ୍ପର୍କକୁ ବେଶ ଭଲ ଭାବରେ ଦେଖିଛି । ଏବେ ସମୟ ଆସିଛି ଆମେ ଏହା ଉପରେ ଧ୍ୟାନ ଦେବା ଯେ ଦୁନିଆ ଦ୍ୱିତୀୟ ଓ ତୃତୀୟ ଅର୍ଥ ବ୍ୟବସ୍ଥା କିପରି ଏକାଠି କାମ କରିପାରିବେ । ହେଲେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବା ସବୁଠାରୁ ବଡ ଚ୍ୟାଲେଞ୍ଜ । କାରଣ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ହେବ ସୀମାକୁ ନେଇ ବିବାଦ ଲାଗି ରହିଛି ।
ଏସ୍ସିଓ ବୈଠକରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଅନ୍ୟ ଦେଶର ରାଷ୍ଟ୍ରପତି ଉପସ୍ଥିତ ରହିଥିଲେ, ହେଲେ ସୋସିଆଲ ମିଡ଼ିଆରେ ଭାରତ ଓ ପାକିସ୍ତାନକୁ ନେଇ ବେଶ ଚର୍ଚ୍ଚା ହେଉଛି । ଚୀନରେ କେଉଁ ଦେଶକୁ ବେଶ ଗୁରୁତ୍ୱ ଦିଆଗଲା ତାହାକୁ ନେଇ ସବୁଠି ଆଲୋଚନା ଲାଗି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିଆନଜିନ୍ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଯେଉଁ ଭଳି ସ୍ୱାଗତ କରାଯାଇଥିଲା ତାହା ସଭିଁଙ୍କୁ ଚକିତ କରିଥିଲା । ଏହାର ଫଟୋ ମୋଦୀ ନିଜେ ଏକ୍ସରେ ପୋଷ୍ଟ ମଧ୍ୟ କରିଥିଲେ ।
ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାର ସରିଫ୍ ତିଆନଜେନ୍ ବିଶ୍ୱବିଦ୍ୟାଳୟରେ କହିଥିଲେ ଯେ ପାକିସ୍ତାନ ଓ ଚୀନ ମଧ୍ୟରେ ସମ୍ପର୍କ ପରସ୍ପର ପ୍ରତି ଭରସା, ସମ୍ମାନ ଓ ପରସ୍ପର ପ୍ରତି ଭଲ ପାଇବା ଉପରେ ଆଧାରିତ । ସମସ୍ତ ପ୍ରକାର ଘଡିସନ୍ଧି ମୁହୂର୍ତ୍ତରେ ଆମର ବନ୍ଧୁତା ସାମ୍ନାକୁ ଆସିଛି । ପାକିସ୍ତାନ ଓ ଚୀନ ସବୁ ଜଟିଳ ପରିସ୍ଥିତିରେ ନିଜ ନିଜର ସାତ୍ ଦେଇଛନ୍ତି । ପାକିସ୍ତାନର ଜଣେ ଅଧିକାରୀ କହିଛନ୍ତି ଭାରତର ଚୀନ ସହ ସମ୍ପର୍କ ସୁଧାର ଆସିଲେ ପାକିସ୍ତାନ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡିବ ନାହିଁ ।
ଚୀନ ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ ମତରେ ଚୀନ ଓ ପାକିସ୍ତାନର ବନ୍ଧୁତା କୌଣସି ବାହାର ପ୍ରସଙ୍ଗଠାରୁ ଉଚ୍ଚରେ । ଚୀନର ଭାରତ ସହ ସମ୍ପର୍କରେ ସୁଧାର ଆସିପାରେ । ହେଲେ ଉଭୟଙ୍କ ବନ୍ଧୁତା ବହୁତ ଆଗକୁ ବଢିବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ୧୦୦ ବିଲିୟନ ଡଲାର ଆର୍ଥିକ କାରବାର ହେଉଛି । ଭାରତ ଏହାକୁ ଆହୁରି ବଢାଇବା ସହ ଚୀନଠାରୁ ଟେକ୍ନୋଲୋଜି ଟ୍ରାନ୍ସଫର ପାଇଁ ଆଶା ରଖିଛି । ଯାହାକି ପାକିସ୍ତାନ ପାଖରେ ଏହାକୁ ଉପଯୋଗ କରିବାର କ୍ଷମତା ନାହିଁ । ଏସ୍ସିଓର ପ୍ରଭାବ ସୀମତ । କାରଣ ଏଥିରେ ସାମିଲ ହୋଇଥିବା ଅନେକ ଦେଶଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ପର୍କ ଏତେ ଭଲ ନୁହେଁ ।
ବିଶେଷଜ୍ଞଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବର୍ଷ ହେବ ଏସ୍ସିଓ ଶିଖର ସମ୍ମିଳନୀରେ ସାମିଲ ହୋଇନଥିଲେ । ସେ ନିଜର ଏକ ମନ୍ତ୍ରୀଙ୍କୁ ବୈଠକରେ ସାମିଲ ହେବାକୁ ପଠାଉଥିଲେ । ବର୍ତ୍ତମାନ ଆମେରିକା ସହିତ ସମ୍ପର୍କ ତିକ୍ତତା ହେବାରୁ ଭାରତ ଏହା ଦେଖାଇବାକୁ ଚାହିଁଛି ଯେ ତାହା ପାଖରେ ଅନେକ ବିକଳ୍ପ ବ୍ୟବସ୍ଥା ରହିଛି । ଭାରତ ଓ ଚୀନ ସମ୍ପର୍କରେ ସୁଧାର ଆସିଲେ ପାକିସ୍ତାନ ଉପରେ ସକାରାତ୍ମକ ପ୍ରଭାବ ପଡିପାରେ । କାରଣ ଚୀନ ସୀମାରେ ଶାନ୍ତି ଚାହୁଁଛି ।



