କାମକୁ ନୁହନ୍ତି ସେଲିବ୍ରିଟି ସାଂସଦ

ସମାଜ: ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଆପାତତଃ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ପାଇଁ ନିର୍ବାଚନର ଦୁନ୍ଦୁଭି ବାଜିଲାଣି। ସବୁ ରାଜନୈତିକ ଦଳ ବିଜୟଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ବ୍ୟସ୍ତ। ରାଜନୀତିର ପାଣିପାଗ ବୁଝନ୍ତୁ ନବୁଝନ୍ତୁ, ମତଦାତାଙ୍କୁ ଆକୃଷ୍ଟ କରିପାରୁଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ। ଏହି ବିଚାରରେ ସେଲିବ୍ରିଟିମାନଙ୍କୁ ବିଭିନ୍ନ ଦଳ ପ୍ରାର୍ଥୀ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଜୟୀ ହୋଇଥାନ୍ତି ମଧ୍ୟ। କିନ୍ତୁ ଜନତାଙ୍କ ପ୍ରତିନିଧି ଭାବେ ଲୋକସଭା ବା ବିଧାନସଭାରେ ପ୍ରବେଶ କରିବା ପରେ ସେମାନଙ୍କ ପ୍ରଦର୍ଶନ ତଉଲିବାର ଅବକାଶ ଜନତାଙ୍କ ପାଖରେ ନଥାଏ। ସମ୍ପ୍ରତି ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜୁନ୍‌ରେ ଶେଷ ହେବାକୁ ଯାଉଥିବା ସପ୍ତଦଶ ଲୋକସଭାରେ ସେଲିବ୍ରିଟି ସାଂସଦଙ୍କ ଦକ୍ଷତା ଆକଳନ କରିବାର ଅବକାଶ ଆସିଛି। ସପ୍ତଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ୧୯ ସେଲିବ୍ରିଟିଙ୍କ ସମ୍ପର୍କରେ ଆଲୋଚନା କରାଯାଇପାରେ। ଏହି ୧୯ ଜଣଙ୍କ ମଧ୍ୟରେ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍‌, ସଙ୍ଗୀତଜ୍ଞମାନେ ଅଛନ୍ତି। ସେମାନେ ପ୍ରାୟତଃ ସଂସଦରେ ଅନୁପସ୍ଥିତ ରହନ୍ତି କିମ୍ବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି ନାହିଁ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।

ଅରୁଣାଚଳ ପ୍ରଦେଶର ଆଉ ୩୦ଟି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍

ଲୋକସଭାରେ ବିଜେପିର ସର୍ବାଧିକ ୧୦ ସେଲିବ୍ରିଟି ସାଂସଦ ଥିଲାବେଳେ ତୃଣମୂଳ କଂଗ୍ରେସର ୫ ଅଛନ୍ତି। ତୃଣମୂଳ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ଏହି ସାଂସଦଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପ୍ରାର୍ଥିତ୍ବରୁ ବାଦ୍‌ ଦେଇସାରିଲାଣି। ବିଜେପି ମଧ୍ୟ ପଞ୍ଜାବରୁ ନିର୍ବାଚିତ ସନ୍ନି ଦେଓଲଙ୍କ ଟିକଟ କାଟିଛି।

ପାକିସ୍ତାନ ପାଇଁ କାଳ ହେଲା ଆତଙ୍କବାଦୀ ଆକ୍ରମଣ, ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ବନ୍ଦ କଲା ଚୀନ୍

ତଥ୍ୟ ଅନୁସାରେ, ଲୋକସଭାର ମୋଟ ୨୭୪ଟି ଅଧିବେଶନ ବସିଥିଲା; ଯାହା କି ପୂର୍ଣ୍ଣ ୫ବର୍ଷର ଅବଧି ଶେଷ କରିଥିବା ଲୋକସଭା ମଧ୍ୟରେ ସର୍ବନିମ୍ନ। କେବଳ ୨୦୨୦ରେ କୋଭିଡ୍‌ ଯୋଗୁଁ ଲୋକସଭାର ଅଧିବେଶନ ମାତ୍ର ୩୩ ଦିନ ବସିଥିଲା। ସଂସଦରେ ଗତ ୫ବର୍ଷ ମଧ୍ୟରେ ସେଲିବ୍ରିଟି ସାଂସଦମାନଙ୍କ ଉପସ୍ଥିତି ହାର ଥିଲା ୫୬.୭ ପ୍ରତିଶତ। ସାମଗ୍ରିକ ଭାବେ ସାଂସଦମାନଙ୍କ ହାରାହାରି ଉପସ୍ଥାନ ୭୯% ପ୍ରତିଶତ ଥିଲାବେଳେ ୧୯ ସେଲିବ୍ରିଟିଙ୍କ ମଧ୍ୟରୁ ମାତ୍ର ୪ଜଣ (ବିଜେପି)ଙ୍କର ଏହି ହାରଠାରୁ ଅଧିକ ଥିଲା। ସେମାନେ ହେଉଛନ୍ତି ଭୋଜପୁରୀ ଅଭିନେତା ମନୋଜ ତିୱାରୀ(୮୫%), ଅଲମ୍ପିଆନ୍‌ ତଥା କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ (୮୦%)। ଅପରପକ୍ଷରେ ବଙ୍ଗୀୟ ଅଭିନେତା ଦୀପକ ଦେବ ଅଧିକାରୀଙ୍କର ଥିଲା ସର୍ବନିମ୍ନ ୧୨ ପ୍ରତିଶତ। ପୂର୍ବ ଲୋକସଭାରେ ତାଙ୍କର ଉପସ୍ଥାନ ଥିଲା ମାତ୍ର ୧୧ପ୍ରତିଶତ। ଏମାନଙ୍କ ବ୍ୟତୀତ ଅଭିନେତା ଅଜୟ ସିଂହ ଦେଓଲ ଓରଫ ସନ୍ନି ଦେଓଲଙ୍କର ଉପସ୍ଥାନ ଥିଲା ୧୭%, ବଙ୍ଗୀୟ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ମିମି ଚକ୍ରବର୍ତ୍ତୀ ୨୧%, ନୁଶରତ ଜହାଁ ରୁହି ୩୯%, କଣ୍ଠଶିଳ୍ପୀ ହଂସରାଜ ହଂସ ୩୯%, ଅଭିନେତ୍ରୀ କିରଣ ଖେର ୪୭%, ହେମା ମାଳିନୀ ୫୦% ଓ କ୍ରିକେଟର ଗୌତମ ଗମ୍ଭୀରଙ୍କର ୬୧%।

ବ୍ୟାନ୍ ହେବ ନକଲି ଋଣ ଆପ୍, ଆସୁଛି ଆରବିଆଇର ଡିଆଇଜିଆଇଟିଏ

ଓଡ଼ିଆ ଅଭିନେତା ଅନୁଭବ ମହାନ୍ତିଙ୍କ ଉପସ୍ଥାନ ହାର ଥିଲା ୭୬%; କିନ୍ତୁ ସେଲିବ୍ରିଟି ସାଂସଦଙ୍କ ମଧ୍ୟରୁ ବିଭିନ୍ନ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଆଲୋଚନାରେ ଅଂଶଗ୍ରହଣ କରିବା କ୍ଷେତ୍ରରେ ସେ ଥିଲେ ସର୍ବାଧିକ ସକ୍ରିୟ। ଅବଶ୍ୟ ସେ ସମ୍ପ୍ରତି ଦଳ ବଦଳର କରିବା ସହ ସଂସଦୀୟ ଟିକଟରୁ ବଞ୍ଚିତ ହୋଇଛନ୍ତି। ଅନୁଭବ ୮୨ଟି ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲାବେଳେ ଭୋଜପୁରୀ ଅଭିନେତା ରବି କିଷନ ୮୧ଟିରେ ଅଂଶଗ୍ରହଣ କରିଥିଲେ। ସନ୍ନି ଦେଓଲ ଓ ଶତୃଘ୍ନ ସିହ୍ନା କୌଣସି ଗୋଟିଏରେ ବି ଅଂଶଗ୍ରହଣ କରିନଥିଲେ। ଅଧିକାରୀ, ହଂସ ଓ ଗମ୍ଭୀର ଯଥାକ୍ରମେ ୧, ୪ ଓ ୩ଟିରେ ଅଂଶଗ୍ରହଣ କରିଥିଲେ। ଶତୃଘ୍ନ ସିହ୍ନାଙ୍କର ଉପସ୍ଥାନ କିନ୍ତୁ ଭଲ ଥିଲା। ଅପରପକ୍ଷରେ ଗତ ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ସାଂସଦମାନେ ସାମଗ୍ରିକ ଭାବେ ହାରାହାରି ୨୧୦ ପ୍ରଶ୍ନ ପଚାରିଥିବାବେଳେ ସେଲିବ୍ରିଟି ସାଂସଦମାନଙ୍କ ମଧ୍ୟରୁ ମାତ୍ର ୪ଜଣ ଅଧିକ ପ୍ରଶ୍ନ ପଚାରିଥିଲେ। ରବି କିଷନ ସର୍ବାଧିକ ୪୮୦ ପ୍ରଶ୍ନ ପଚାରିଥିଲାବେଳେ ମନୋଜ ତିୱାରୀ ୩୯୫ ଓ ଅନୁଭବ ମହାନ୍ତି ୧୬୮ଟି ପଶ୍ନ କରିଥିଲେ। ଶତୃଘ୍ନ ସିହ୍ନା ଆଦୌ ପ୍ରଶ୍ନ ପଚାରିନଥିଲାବେଳେ ଶତାବ୍ଦୀ ରାୟ ଗୋଟିଏ ପ୍ରଶ୍ନ କରିଥିଲେ। ମାତ୍ର ୪ ସେଲିବ୍ରିଟି ସାଂସଦ ଘରୋଇ ବିଲ୍‌ ଆଗତ କରିଥିଲେ। ସେମାନଙ୍କ ମଧ୍ୟରୁ ରବି କିଷନ ୧୦, ଅନୁଭବ ମହାନ୍ତି ୩, ଲକେଟ ଚାଟାର୍ଜୀ ୨ ଓ ଗୌତମ ଗମ୍ଭୀର ଗୋଟିଏ ବିଲ୍‌ ଆଗତ କରିଥିଲେ। ସମ୍ପ୍ରତି ଟିକଟ ବଣ୍ଟନ ସମୟରେ ରାଜନୈତିକ ଦଳଗୁଡ଼ିକ ସହିତ ମତଦାତା ନିଜ ପ୍ରତିନିଧିଙ୍କ ଏଭଳି ପ୍ରଦର୍ଶନ ଉପରେ ଅଧିକ ବିଚାର କରିବାର ସମୟ ଆସିଛି।

Comments are closed.