www.samajalive.in
Saturday, December 6, 2025
23.1 C
Bhubaneswar

ମାସ ଶେଷକୁ ଆସୁଛନ୍ତି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ବେଜିଂ ସହିତ ନୂଆଦିଲ୍ଲୀର ହଟ୍‌ଲାଇନ୍‌ ସଂଯୋଗ ହେବ। ଦୀର୍ଘ କାଳରୁ ପଡ଼ି ରହିଥିବା ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚଳିତ ମାସ ଶେଷ ଭାଗକୁ ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱି ଫେନ୍‌ଘେ ଭାରତ ଗସ୍ତରେ ଆସୁଛନ୍ତି; ଏହା ପୂର୍ବରୁ ହଟ୍‌ଲାଇନ୍‌ ସଂଯୋଗ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ବିଚାର ଆଲୋଚନା ଚାଲିଛି। ଉଭୟ ଦେଶର ସରକାର ଓ ସେନା ମଧ୍ୟରେ ଏହି ହଟ୍‌ଲାଇନ୍‌ ସଂଯୋଗ ହେବ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଓ ସୀମା ବିବାଦ ଭଳି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରାଯାଇପାରିବ ବୋଲି ଉଭୟ ପକ୍ଷ ଆଶା କରୁଛନ୍ତି।
ଏପ୍ରିଲରେ ଅନୁଷ୍ଠିତ ଉହାନ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ହଟ୍‌ଲାଇନ୍‌ ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଏ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ପ୍ରସଙ୍ଗ ଆଗେଇଛି। ବିଶେଷକରି ହଟ୍‌ଲାଇନ୍‌ ସଂଯୋଗ ପାଇଁ ପ୍ରୋଟୋକଲ ଓ ବୈଷୟିକ କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ଦୂର କରିବାର ପ୍ରୟାସ ହୋଇଛି।
୨୦୧୩ରେ ପ୍ରଥମେ ହଟ୍‌ଲାଇନ୍‌ ସଂଯୋଗ ନେଇ ପ୍ରସ୍ତାବ ଆସିଥିଲା। ସମ୍ପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ଭାବେ ସାମରିକ କାର୍ଯ୍ୟକ୍ରମ ମହାନିର୍ଦେଶକ (ଡିଜିଏମ୍‌ଓ)ସ୍ତରୀୟ ହଟ୍‌ଲାଇନ୍‌ କାର୍ଯ୍ୟକ୍ଷମ ରହିଛି ସେହି ଢ଼ାଞ୍ଚାରେ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି ବା ପିଏଲ୍‌ଏ ସହିତ ହଟ୍‌ଲାଇନ୍‌ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତାବ ଆସିଥିଲା।
ଚୀନ୍‌ କହିଥିଲା କି ଚେଙ୍ଗ୍‌ଡୁସ୍ଥିତ ଏହାର ପଶ୍ଚିମ କମାଣ୍ଡ ଉପମୁଖ୍ୟ ଚୀନ୍‌-ଭାରତ ସୀମାରେ ଅବସ୍ଥାପିତ ଭାରତର ଡିଜିଏମ୍‌ଓଙ୍କ ସହ ହଟ୍‌ଲାଇନ୍‌ରେ ସମ୍ପର୍କ ରଖିବେ; କିନ୍ତୁ ଚୀନ୍‌ର ପଶ୍ଚିମ କମାଣ୍ଡ ଉପମୁଖ୍ୟ ଭାରତର ଡିଜିଏମ୍‌ଓଙ୍କ ସହିତ ସମାନ ପାହ୍ୟାର ହୋଇ ନଥିବାରୁ ଏହାକୁ ଭାରତ ଗ୍ରହଣ କରିନଥିଲା। ଏ କ୍ଷେତ୍ରରେ ଚୀନ୍‌ ପ୍ରୋଟୋକଲ ପାଳନ କରିବାକୁ ଭାରତ ପରାମର୍ଶ ଦେଇଥିଲା।
ଉହାନ୍‌ ସମ୍ମିଳନୀରେ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ସହ ଉଭୟ ପକ୍ଷ ବିଶ୍ୱାସଭାଜନ ହେବା ପାଇଁ ଯୋଗାଯୋଗ ବୃଦ୍ଧି ଅପରିହାର୍ଯ୍ୟ ବୋଲି ଦର୍ଶାଇଥିଲେ। ଏହି ପରିପ୍ରେକ୍ଷୀରେ ପିଏଲ୍‌ଏର ପଶ୍ଚିମ କମାଣ୍ଡ ଉପମୁଖ୍ୟଙ୍କ ନେତୃତ୍ୱରେ ଏକ ୮ଜଣିଆ ପ୍ରତିନିଧି ମଣ୍ଡଳୀ ଜୁନ୍‌ ମାସରେ ଭାରତ ଆସି ଆଲୋଚନା କରିଯାଇଛନ୍ତି। ସେମାନଙ୍କ ଆଲୋଚନାରେ ହଟ୍‌ଲାଇନ୍‌ ସଂଯୋଗ ପ୍ରମୁଖ ପ୍ରସଙ୍ଗ ରହିଥିଲା। ହଟ୍‌ଲାଇନ୍‌ ପାଇଁ ମାଣ୍ଡାରିନ୍‌ ଓ ଇଂରାଜୀ ଭାଷାରେ ଅନୁବାଦକ ନିଯୁକ୍ତି ସହ ବୈଷୟିକ ବିଧିବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଉଲ୍ଲେଖଯୋଗ୍ୟ କି କଲକାତାସ୍ଥିତ ପୂର୍ବ କମାଣ୍ଡ, ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ କମାଣ୍ଡ ଓ ଉଦ୍ଦାମପୁରସ୍ଥିତ ଉତ୍ତର କମାଣ୍ଡ ଅଧୀନରେ ଚୀନ୍‌ ସୀମାକୁ ଲାଗିଥିବା ଭାରତର ସାଢ଼େ ୩ ହଜାର କିଲୋମିଟର ଦୀର୍ଘ ସୀମା ରହିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories