BJD Bijuli 480×75 Mob

ଜନସଂଖ୍ୟାରେ ଚୀନ୍‌କୁ ଟପିବ ଭାରତ

BJD Bijuli 480×75 Mob

ନ୍ୟୁୟର୍କ : ଜନସଂଖ୍ୟାରେ ଚୀନ୍‌ ପଛକୁ ରହିଥିବା ଭାରତ ୨୦୨୩ ସୁଦ୍ଧା ପ୍ରଥମ ସ୍ଥାନରେ ଉପନୀତ ହେବ ଏବଂ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ପରିଚୟ ଲାଭ କରିବ। ଜାତିସଂଘ ପକ୍ଷରୁ ସୋମବାର ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଏହି ଭବିଷ୍ୟବାଣୀ କରାଯାଇଛି। ଏଥିସହିତ ଚଳିତ ବର୍ଷ ନଭେମ୍ବର ୧୫ ସୁଦ୍ଧା ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ବିଶ୍ବର ବିଭିନ୍ନ ରାଷ୍ଟ୍ର ସେମାନଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଦାୟିତ୍ବ ଭୁଲି ଯାଇଛନ୍ତି ବୋଲି ଏହି ପରିପ୍ରେକ୍ଷୀରେ କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌। ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତ ଜନସଂଖ୍ୟା ରିପୋର୍ଟ ଅନୁସାରେ ୧୯୫୦ ପରଠାରୁ ଜନସଂଖ୍ୟା ବୃଦ୍ଧି କ୍ଷୀଣ ହୋଇଛି; ତଥାପି ଏହା ଉପରେ ନିୟନ୍ତ୍ରଣ ରହୁ ନାହିଁ। ବର୍ତ୍ତମାନର ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ଏହା ୮୫୦କୋଟିରେ ପହଞ୍ଚିବ। ୨୦୫୦ ସୁଦ୍ଧା ଏହା ୯୭୦ କୋଟି ଏବଂ ୨୦୮୦ ବେଳକୁ ୧୦୦୪ କୋଟିରେ ପହଞ୍ଚିଯିବ। ଅପରପକ୍ଷ​‌େ​‌ର ଭାରତ, ପାକିସ୍ତାନ, ଫିଲିପାଇନ୍ସ, କଙ୍ଗୋ ସାଧାରଣତନ୍ତ୍ର, ଇଜିପ୍ଟ, ଇଥିଓପିଆ, ନାଇଜେରିଆ ଓ ତାଞ୍ଜାନିଆ ଭଳି ବିକାଶଶୀଳ ରାଷ୍ଟ୍ରରେ ଜନ୍ମ ହାର ହ୍ରାସ ପାଉଥିବା ରିପୋର୍ଟରେ ଦର୍ଶାଯାଇଛି। ବିଶ୍ବ ଜନସଂଖ୍ୟା ଚଳିତ ବର୍ଷ ସୁଦ୍ଧା ମାତ୍ର ୧ ପ୍ରତିଶତ ହ୍ରାସ ପାଇଛି। ଏହା ସତ୍ତ୍ବେ ଭାରତର ଜନସଂଖ୍ୟା ଏବେ ୧୪୧କୋଟିରୁ ଅଧିକ ରହିଛି। ଏହା ୨୦୫୦ ସୁଦ୍ଧା ୧୬୦ କୋଟି ୬୮ଲକ୍ଷରେ ପହଞ୍ଚିବ। ଜନସଂଖ୍ୟା ନିୟନ୍ତ୍ରଣ ନୀତି ପ୍ରତ୍ୟାହାର କରିଥିବା ଚୀନ୍‌ର ଜନସଂଖ୍ୟା ସମ୍ପ୍ରତି ୧୪୨ କୋଟି ୬୦ଲକ୍ଷ ରହିଛି। ଏଠାରେ ଏବେ ଏକ ସନ୍ତାନ ନୀତି ପ୍ରତ୍ୟାହୃତ ହୋଇ ଦୁଇ ସନ୍ତାନ ପାଇଁ ଦମ୍ପତିଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦିଆଯାଉଛି। ରିପୋର୍ଟ ଅନୁସାରେ, ବିଶ୍ବ ଜନସଂଖ୍ୟାର ୨୯ପ୍ରତିଶତ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆର ଦୁଇ ଜନବହୁଳ ରାଷ୍ଟ୍ର ଚୀନ୍‌ ଓ ଭାରତରେ ରହିଛି। ସେହିଭଳି କେନ୍ଦ୍ରୀୟ ଓ ଦକ୍ଷିଣ ଏସିଆରେ ଅଛନ୍ତି ବିଶ୍ବ ଜନସଂଖ୍ୟାର ୨୬ ପ୍ରତିଶତ। ଦେଶାନ୍ତର ଓ ଶ୍ରମିକଙ୍କ ପ୍ରବାସ ଜନସଂଖ୍ୟାକୁ ବହୁଳ ଭାବେ ପ୍ରଭାବିତ କରିବ ଏବଂ ସର୍ବୋପରି ଆୟୁଷ ବୃଦ୍ଧି ମଧ୍ୟ ଏହାର ଅନ୍ୟ ଏକ କାରଣ ହେବ। ଜନସଂଖ୍ୟା କ୍ରମଶଃ ପୃଥିବୀ ପାଇଁ ବୋଝ ପାଲଟିଯିବ ଏବଂ ଏହାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।

Comments are closed.