ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ, ଥାଣେ, ପାଲଘର ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଇଲାକାରେ ଭୀଷଣ ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟରେ ମୌସୁମି ସକ୍ରିୟ ରହିଛି ଏବଂ ଆଗାମୀ ୨ ଦିନ ପର୍ଯ୍ୟନ୍ତ ମୁମ୍ବଇ ଓ ପୁଣେ ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ସେହିସବୁ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସୂଚନା ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସେହିସବୁ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି ଓ କିଛି ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି।
ମୁମ୍ବଇର ହିନ୍ଦ୍ମାତା, କିଙ୍ଗ ସର୍କଲ, ମାହିମ୍ ଜଙ୍କସନ୍, ଏସ୍.ଭି ରୋଡ୍,ଅନ୍ଧେରୀ, ଖର୍ସବୱେ, କେଏଫ୍ସି ବାନ୍ଦ୍ରା ଓ ଚାନ୍ଦିୱାଲି ଜଙ୍କ୍ସନ୍ ଭଳି ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମା ହୋଇ ରହିଛି। ଏହିସବୁ ଅଞ୍ଚଳ ଦେଇ ନଯିବା ପାଇଁ ମୁମ୍ବଇ ପୁଲିସ୍ ସହରବାସୀଙ୍କୁ ପରାମର୍ଶ ଜାରି କରିଛି।



