www.samajalive.in
Saturday, December 6, 2025
16.1 C
Bhubaneswar

ବଣଭୋଜି ପାଇଁ ବଡଘାଗରାରେ ପର୍ଯ୍ୟଟକଙ୍କ ଭିଡ଼; ଯାନ ପାଇଁ ଆଦାୟ ହେଉଛି ବେଆଇନ ପାର୍କିିଂ ଫି

କେନ୍ଦୁଝରଗଡ଼: ପାହାଡିଆ ଶୀତ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କେନ୍ଦୁଝର ଜିଲାର ପର୍ଯ୍ୟଟନସ୍ଥଳି ବୁଲି ଦେଖିବା ପାଇଁ ପର୍ଯ୍ୟଟନ ଋତୁରେ ଜିଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ବେଶ୍‌‌ ଭିଡ ଜମିଥାଏ। ବିଶେଷକରି ରାଜ୍ୟ ପ୍ରସିଦ୍ଧ ସାନଘାଗରା, ବଡଘାଗରା, ଖଣ୍ଡାଧାର, ମୁର୍ଗା ମହାଦେବ, ହାଣ୍ଡିଭଙ୍ଗା ଭଳି ସୁଉଚ୍ଚ ଜଳପ୍ରପାତକୁ ବଣଭୋଜି ପାଇଁ ବର୍ଷତମାମ୍‌‌ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଜିଲା ମୁଖ୍ୟାଳୟଠାରୁ ମାତ୍ର ଜାତୀୟ ରାଜପଥ ୬ ନଂ ଦେଇ ଗଲେ ୬କି.ମି. ପରେ ଅଞ୍ଜର ନିକଟରୁ ବାମ ପାର୍ଶ୍ବରେ ଆଉ ୨ କି.ମି. ଆଗକୁ ଗଲେ ବଡଘାଗରା ନଦୀବନ୍ଧ ଓ ଜଳପ୍ରପାତ ପଡ଼ିଥାଏ। ଜଳପ୍ରପାତ ଓ ନଦୀବନ୍ଧ ସାଙ୍ଗକୁ ଚର୍ତୁଃପାର୍ଶ୍ବରେ ଘେରି ରହିଥିବା ପ୍ରାକୃତିକ ବଣରାଜିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ଦୂରଦୂରାନ୍ତରୁ ବର୍ଷତମାମ ଏଠାକୁ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ପୁର୍ବରୁ ଏହି ପର୍ଯ୍ୟଟନସ୍ଥଳି ବୁଲି ଦେଖିବା ପାଇଁ ବହୁ ପର୍ଯ୍ୟଟକ ନିୟମିତ ଆସୁଥିଲେ ହେଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ସାଙ୍ଗକୁ ସୁରକ୍ଷା ଅଭାବ ଯୋଗୁଁ ଅନେକ ସମୟରେ ପର୍ଯ୍ୟଟକ ବୁଲିବାକୁ ଆସୁଥିଲେ ହେଁ କିଛି ସମୟ ପରେ ଫେରିଯାଉଥିଲେ। ତେବେ ନିକଟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪କୋଟି ୭୦ଲକ୍ଷ ଟଙ୍କା ବ୍ୟୟରେ ଏହି ପର୍ଯ୍ୟଟନକେନ୍ଦ୍ରରେ ପାନୀୟଜଳ, ବଣଭୋଜି ପିଣ୍ଡି, ଦୋକାନ ଗୃହ, ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତାରେ ପାହାଚ ନିର୍ମାଣ ଓ ଜେଟି ସ୍ଥାପନ, ଭ୍ୟୁ-ପଏଣ୍ଟ, ଶୌଚାଳୟ ଆଦି ନିର୍ମାଣ ଶେଷ ହେବାପରେ ଚଳିତବର୍ଷ ଏହି ପର୍ଯ୍ୟଟନକେନ୍ଦ୍ର ବୁଲି ଦେଖିବା ସହ ବଣଭୋଜି ପାଇଁ ଏଠାରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ଲାଗିରହିଛି। ଏଥିସହ ଉକ୍ତ ପଯ୍ୟଟନକେନ୍ଦ୍ରର ବିକାଶ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିକଟରେ ୨କୋଟି ଟଙ୍କା ମଞ୍ଜୁର ହୋଇ ଶିଶୁ ପାର୍କ, ବିଶ୍ରାମାଗାର, ଫାଟକ, ବଣଭୋଜି ପିଣ୍ଡି, ଦୋକାନଗୃହ ଆଦି ନିର୍ମାଣ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ପାଇଁ ଅନୁମୋଦନ ଲାଭ କରିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି।

ତେବେ ଖୁବ୍‌‌ ସୁନ୍ଦର ଭାବେ ନିର୍ମାଣ ହୋଇଥିବା ଏହି ପର୍ଯ୍ୟଟନକେନ୍ଦ୍ରକୁ ସଫାସୁତୁରା ନରଖିବା ପ୍ରକୃତିପ୍ରେମୀ ଓ ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଯେତିକି ନିରାଶ କରିଛି ଆବଶ୍ୟକ ସୁରକ୍ଷା କର୍ମଚାରୀ ଅଭାବ ଯୋଗୁଁ ମହିଳା ପର୍ଯ୍ୟଟକ ନିଜକୁ ସେତିକି ଅସୁରକ୍ଷିତ ମନେକରିବା ପର୍ଯ୍ୟଟନକେନ୍ଦ୍ରର ପରିଚାଳନାଗତ ତୃଟିିକୁ ପଦାରେ ପକାଇଛି। ଏହି ପର୍ଯ୍ୟଟକନ୍ଦ୍ରେକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ବାବା ରାମେଶ୍ୱର ଉନ୍ନୟନ ସମିତି ନାମରେ ବେଆଇନ ଭାବେ ବାଇକ୍‌‌ ପ୍ରତି ୨୦ଟଙ୍କା, ଅଟୋ ୩୦ଟଙ୍କା, ୪ଚକିଆ ସୌଖିନ ଯାନ ଠାରୁ ୫୦ଟଙ୍କା ଓ ବସ୍‌‌ ପ୍ରତି ୧୦୦ଟଙ୍କା ପାର୍କିଂ ଫି ଜୋରଜବରଦସ୍ତ ଆଦାୟ କରିବା ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ କରିଛି। ପର୍ଯ୍ୟଟନ ଋତୁରେ ଏହି ପର୍ଯ୍ୟଟନକେନ୍ଦ୍ରକୁ ଦୈନିକ ୫୦୦ରୁ ଊର୍ଦ୍ଧ୍ବ ଯାନବାହାନ ଚଳାଚଳ କରୁଥିବା ବେଳେ ଏହି ସମସ୍ତ ଯାନମାନଙ୍କରୁ ଦୈନିକ ବେଆଇନ ଭାବେ ଆଦାୟ ହେଉଥିବା ପାର୍କିଂ ଫି ଅର୍ଥକୁ କାହା କାହା ମଧ୍ୟରେ ଭାଗବଣ୍ଟା ହେଉଛି ସେ ନେଇ ଖୋଦ୍‌‌ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଉକ୍ତ ପର୍ଯ୍ୟଟନ କେନ୍ଦ୍ରକୁ ବୁଲି ଆସୁଥିବା ଓ ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଜିଲା ଓ ପୁଲିସ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିବା ସହ ବେଆଇନ ପାର୍କିଂ ଫି ଆଦାୟକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଗତୀଶୀଳ ନାଗରିକ ମଞ୍ଚ ସଭାପତି ମଳୟ ମହାପାତ୍ର ଦାବି କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories