ଆଠଗଡ: କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅଞ୍ଚଳରେ ଲଘୁ ଖଣିଜ ସାମଗ୍ରୀର ବେଆଇନ ପରିବହନ ଉପରେ ଏକ ଚଢାଉ ଅଭିଯାନ କରାଯାଇଛି। ଗୁରୁବାର ରାତି ସାରା ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ନେତୃତ୍ବରେ ପରିବହନ ବିଭାଗ, ଖଣି ବିଭାଗ ଓ ପୁଲିସ ପକ୍ଷରୁ ଏହି ମିଳିତ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ବାଲି, ମାଙ୍କଡା ପଥର, ଚିପ୍ସ, କଳାମୁଗୁନି ପଥର, କ୍ରସର ଗୁଣ୍ଡ ଆଦି ପରିବହନ କରୁଥିବା ୪୦ଟି ୧୦ ଚକିଆ ଓ ୧୨ ଚକିଆ ହାଇୱା ଟ୍ରକ ଜବତ କରାଯାଇଥିଲା। ଆଠଗଡ ସହରର ଚାନ୍ଦବାଲି ଛକ, ବୀରକିଶୋରପୁର ଛକ, ଖୁଣ୍ଟକଟା ତାରିଣୀ ଛକ ଓ ଅଂଶୁପା ରାସ୍ତାରୁ ଏହି ସବୁ ଟ୍ରକ ଜବତ କରାଯାଇଥିଲା। ଜବତ ସମସ୍ତ ଟ୍ରକ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ରାସ୍ତା ଓ ମହୋତ୍ସବ ପଡିଆରେ ରଖାଯାଇଥିଲା। ଜବତ ଟ୍ରକଗୁଡିକ ମଧ୍ୟରୁ କ୍ଷମତାଠାରୁ ଅଧିକ ବୋଝେଇ କରିଥିବା ୨୯ଟି ଏବଂ ଗାଡିର ପରିବହନ କାଗଜପତ୍ର ଠିକ୍ ନ ଥିବା ୪ଟି ଗାଡିରୁ ପରିବହନ ବିଭାଗ ପକ୍ଷରୁ ମୋଟ ୧୩ ଲକ୍ଷ ୨୫ ହଜାର ୮୨୪ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥି ମଧ୍ୟରୁ ଗୋଟିଏ ପଥର ବୋଝେଇ ଟ୍ରକର ଲଘୁ ଖଣିଜ ସାମଗ୍ରୀର ମଧ୍ୟ କାଗଜପତ୍ର ନ ଥିବାରୁ ତାକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ବାକି ୭ଟି ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିବାରୁ ସେଗୁଡିକୁ ଛାଡି ଦିଆଯାଇଛି ।
ଗତ ବିଜେଡି ସରକାରର ଶେଷ ପର୍ଯ୍ୟାୟରେ ୨୦୨୩ ମସିହାରୁ ଲଘୁ ଖଣିଜ କାରବାର ରାଜସ୍ବ ବିଭାଗ ହାତରୁ କାଢି ଖଣି ବିଭାଗକୁ ଦିଆଯିବା ପରେ ଏହିସବୁ ଭୂସମ୍ପଦର ଚୋରା ଚାଲାଣ ଲଗାମହୀନ ହୋଇଯାଇଛି। ଆଠଗଡ ସହର ଓ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଚୋରା ବାଲି ଓ ମାଙ୍କଡା ପଥର ବୋଝେଇ ଟ୍ରକ ନିର୍ବିଘ୍ନରେ ଯାତାୟାତ କରୁଛି। ତେବେ ମଝିରେ ମଝିରେ କେବଳ ଧର୍ମକୁ ଆଖିଠାର ମାରିବା ଭଳି ଗୋଟେ ଦୁଇଟା ଟ୍ରକ ଜବତ କରାଯାଉଛି। ଏହି ଚଢାଉ ଚୋରା ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣରେ ଲିପ୍ତ ବ୍ୟକ୍ତିଙ୍କ ଉପରେ କୌଣସି ପ୍ରଭାବ ପକାଉନାହିଁ। ଗୁରୁବାର ରାତିରେ ଚଢାଉ ହୋଇଥିବାରୁ ଅଧିକ ସଂଖ୍ୟାରେ ଚୋରା ବାଲି ଓ ମାଙ୍କଡା ପଥର ବୋଝେଇ ଟ୍ରକ ବା ଟ୍ରାକ୍ଟର ଜବତ ହୋଇ ପାରିନାହିଁ। କାରଣ ବାଲି ଏବଂ ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର ବିଶେଷ ଭାବେ ସକାଳୁ ସନ୍ଧ୍ୟା ମଧ୍ୟରେ ଚୋରା ଚାଲାଣ ହେଉଛି। ଜିଲ୍ଲାପାଳ ଏ ବିଷୟରେ ଅନୁଧ୍ୟାନ କରିବା ସହ ଦିନ ବେଳା ଏଇଭଳି ଚଢାଉ ଅଭିଯାନ କରିବାକୁ ପଦକ୍ଷେପ ନେବା ଲାଗି ଦାବି ହେଉଛି । ଗତକାଲି ରାତିରେ ଉପଜିଲ୍ଲାପାଳ ଶର୍ମାଙ୍କ ସହ ପରିବହନ ବିଭାଗ ଟ୍ରାଫିକ ନିରୀକ୍ଷକ ରଞ୍ଜନ କୁମାର ଦୋରା, ଖଣି ଅଧିକାରୀ ଓ ଆଠଗଡ ପୁଲିସ ଅଂଶଗ୍ରହଣ କରିଥିଲେ।



