nua o banner

ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତା: ଶୀର୍ଷରେ ସ୍ମିଥ୍‌; କୋହଲି ୨ୟ ସ୍ଥାନରେ

BJD Bijuli 480×75 Mob
0

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ସୋମବାର ପ୍ରକାଶିତ ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୨ୟ ସ୍ଥାନ ବଜାୟ ରଖିଛନ୍ତି। ଆଗକୁ ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଶୀର୍ଷସ୍ଥାନ ପାଇଁ ସ୍ମିଥ୍ ଓ କୋହଲିଙ୍କ ମଧ୍ୟରେ ଲଢ଼େଇ ହେବା ନିଶ୍ଚିତ। କାରଣ ଦୁହେଁ ଜୀବନର ଶ୍ରେଷ୍ଠ ବ୍ୟାଟିଂ ଫର୍ମରେ ଅଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷରେ ରବିବାର ସମାପ୍ତ ହୋଇଥିବା ଆସେସ୍ ଟେଷ୍ଟ ସିରିଜ୍‌ ପରେ ସ୍ମିଥ୍ ତାଙ୍କ ରାଙ୍କିଙ୍ଗ୍ ପଏଣ୍ଟଙ୍କୁ ୯୩୭ରେ ପହଞ୍ଚାଇ ପାରିଛନ୍ତି। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ କୌଣସି ଟେଷ୍ଟମ୍ୟାଚ୍ ଖେଳି ନଥିବାରୁ ବିରାଟ କୋହଲିଙ୍କ ରାଙ୍କିଙ୍ଗ ପଏଣ୍ଟ ୯୦୩ରେ ରହିଛି। ଟେଷ୍ଟ କ୍ରିକେଟରେ ଉଭୟ ବ୍ୟାଟ୍‌ସମ୍ୟାନ୍ ଓ ବୋଲର ସ୍ଥାନ ଅଷ୍ଟ୍ରେଲୀୟ ହାସଲ କରିଛନ୍ତି। ଟେଷ୍ଟ ବୋଲର ମାନ୍ୟତାରେ ଅଷ୍ଟ୍ରେଲିଆର ପାଟ୍ କମିନ୍‌ସ ଶୀର୍ଷରେ ରହିଛନ୍ତି।
ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଆସେସ୍‌ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଷ୍ଟିଭେନ୍ ସ୍ମିଥ୍। ଏହି ସିରିଜ୍‌ରେ ସ୍ମିଥ୍ ୪ଟି ଟେଷ୍ଟର ୭ଟି ଇନିଂସ ଖେଳି ସର୍ବାଧିକ ୭୭୪ ରନ୍ କରିଛନ୍ତି। ଫଳରେ ବେନ୍ ଷ୍ଟୋକ୍‌ସଙ୍କ ସହ ସ୍ମିଥ୍‌ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ସୂଚନାଯୋଗ୍ୟ; ସିରିଜ୍ ଆରମ୍ଭରେ ଷ୍ଟିଭେନ୍ ସ୍ମିଥ୍ ୮୫୭ ପଏଣ୍ଟରେ ଥିବା ବେଳେ ଆସେସ୍ ସିରିଜ୍‌ରେ ୪ଟି ଟେଷ୍ଟ ଖେଳି ୮୦ ପଏଣ୍ଟ ହାସଲ କରି ପାରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମ୍ୟାଥୁ ୱେଡ୍‌ ଓ ମିଚେଲ୍‌ ମାର୍ଶଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ୱେଡ୍‌ ଆସେସ୍‌ ସିରିଜ୍‌ରେ ଶତକ ହାସଲ କରିଥିବାରୁ ୩୨ଟି ସ୍ଥାନ ଉପରକୁ ଉଠି ୭୮ନଂରେ ରହିଛନ୍ତି। ସେହିପରି ମିଚେଲ୍‌ ମାର୍ଶ ବୋଲର ମାନ୍ୟତାରେ ୨୦ଟି ସ୍ଥାନ ଉପରକୁ ଉଠି ୫୪ନଂରେ ରହିଛନ୍ତି। ଅନ୍ୟପକ୍ଷରେ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୭ଟି ସ୍ଥାନ ତଳକୁ ଖସି ୨୪ନଂରେ ରହିଛନ୍ତି। ସ୍ମିଥ୍ ଓ କୋହଲିଙ୍କ ପଛକୁ ୩ୟରୁ ୧୦ମ ସ୍ଥାନ ମଧ୍ୟରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ ୩ୟ ସ୍ଥାନରେ ଥିବା ବେଳେ ଅନ୍ୟ ବ୍ୟାଟ୍‌ସମ୍ୟାନ୍ ହେଲେ ଭାରତର ଚେତେଶ୍ବର ପୂଜାରା, ନ୍ୟୁଜିଲାଣ୍ଡର ହେନ୍‌ରି ନିକୋଲ୍‌ସ, ଇଂଲଣ୍ଡର ଅଧିନାୟକ ଜୋ ରୁଟ୍, ଭାରତର ଅଜିଙ୍କ୍ୟ ରାହାଣେ, ନ୍ୟୁଜିଲାଣ୍ଡର ଟମ୍ ଲାଥାମ୍, ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେ ଓ ଦକ୍ଷିଣ ଆଫ୍ରିକାର ଐଡେନ୍ ମାର୍କରାମ୍।
ଟେଷ୍ଟ ବୋଲର ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ୨ୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା। ଚଳିତମାସରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଟେଷ୍ଟମ୍ୟାଚ୍ ଖେଳିବାର ଥିବାରୁ କମିନ୍‌ସ ଓ ରାବାଡ଼ାଙ୍କ ମଧ୍ୟରେ ଶୀର୍ଷସ୍ଥାନ ପାଇଁ ମୁକାବିଲା ହେବ। କମିନ୍‌ସ ଓ ରାବାଡ଼ାଙ୍କ ମଧ୍ୟରେ ୫୭ ପଏଣ୍ଟର ପାର୍ଥକ୍ୟ ରହିଛି। ୩ୟ ସ୍ଥାନରେ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମରା ରହିଛନ୍ତି। ଇଂଲଣ୍ଡର ଦ୍ରୁତବୋଲର ଜୋଫ୍ରା ଆର୍ଚର୍‌ ବୋଲର ମାନ୍ୟତାର ୪୦ନଂରେ ରହିଥିବା ବେଳେ ସାମ୍‌ କରନ୍‌ ୬ଟି ସ୍ଥାନ ଉପରକୁ ଉଠି ୬୫ନଂରେ ରହିଛନ୍ତି। ସେହିପରି ଜୋସ୍‌ ବଟଲର୍‌ ବ୍ୟାଟସମ୍ୟାନ୍‌ ମାନ୍ୟତାର ୩୦ନଂରେ ରହିଥିବା ବେଳେ ଜୋ ଡେନ୍‌ଲି ୫୭ନଂରେ ରହିଛନ୍ତି। ରୋରି ବର୍ଣ୍ଣସ୍‌ ୫ଟି ସ୍ଥାନ ଉପରକୁ ଉଠି ୫୬ନଂରେ ରହିଛନ୍ତି। ଟେଷ୍ଟ ବୋଲର ମାନ୍ୟତାରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ୍‌ ହୋଲ୍‌ଡର ୪ର୍ଥ, ଦକ୍ଷିଣ ଆଫ୍ରିକାର ଭର୍ନନ ଫିଲାଣ୍ଡର ୫ମ, ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍ ୬ଷ୍ଠ, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ୭ମ, ନ୍ୟୁଜିଲାଣ୍ଡର ନିଲ୍‌ ୱାଗ୍‌ନର ୮ମ, ୱେଷ୍ଟଇଣ୍ଡିଜ୍‌ର କିମାର ରୋଚ୍ ୯ମ ଓ ପାକିସ୍ତାନର ମହମ୍ମଦ ଆବାସ ୧୦ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ୍‌ ହୋଲ୍‌ଡର ୧ନଂ ସ୍ଥାନରେ ରହିଛନ୍ତି।

Leave A Reply