BJD Bijuli 480×75 Mob

ଚତୁର୍ଥ ବିଜୟ ସହ ଶୀର୍ଷରେ ନ୍ୟୁଜିଲାଣ୍ଡ

ଆଫଗାନିସ୍ତାନ ୧୪୯ ରନରେ ପରାସ୍ତ

BJD Bijuli 480×75 Mob

ଚେନ୍ନଇ : ଆଇସିସି ଦିନିକିଆ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ନ୍ୟୁଜିଲାଣ୍ଡ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ବୁଧବାର ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୬ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୪୯ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଗ୍ଲେନ ଫିଲିପ୍ସଙ୍କ ୭୧ ଓ ଟମ୍‌ ଲଥାମଙ୍କ ୬୮ରନ ବଳରେ ୨୮୮ରନ କରିଥିଲା। ଜବାବରେ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ବୋଲରଙ୍କ ମିଳିତ ଆକ୍ରମଣକୁ ସାମ୍ନା କରିନପାରି ୧୩୯ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଆଫଗାନିସ୍ତାନ ତୃତୀୟ ପରାଜୟ ବରଣ କରିିଛି।
୨୮୯ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ୨୭ରନରେ ଦୁଇ ଓପନରଙ୍କୁ ହରାଇଥିଲା। ରେହମାନଉଲ୍ଲା ଗୁର୍‌ବାଜ୍‌ ୧୧ ଓ ଇବ୍ରାହିମ ଜର୍ଡାନ ୧୪ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ ରେହମତ୍‌ ସାହା ଓ ହାସମତୁଲ୍ଲା ସାହିଦି ୧୬ରନ ସଂଗ୍ରହ କରିଥିଲେ। ୪୩ରନ ସ୍କୋର ଥିବାବେଳେ ସାହିଦି ୮ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ଆଜମାତୁଲ୍ଲା ଓମାରଜାଇ ଓ ସାହା ୫୪ରନ ସଂଗ୍ରହ କରିଥିଲେ। ୯୭ରନ ସ୍କୋର ଥିବାବେଳେ ଓମାରଜାଇ ୨୭ରନ କରି ଆଉଟ୍‌ ହୋଇଥିଲେ। ୧୦୭ରନ ସ୍କୋରରେ ୫ମ ୱିକେଟର ପତନ ଘଟିଥିଲା। ରେହମତ ସାହା ୩୬ରନ କରି ଆଉଟ୍‌ ହୋଇଥିଲେ। ଦଳ ଶେଷ ୫ ୱିକେଟ ୩୨ରନ ମଧ୍ୟରେ ହରାଇବା ସହିତ ୩୪.୪ ଓଭରରେ ୧୩୯ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ ୮ ଓ ମହମ୍ମଦ ନବି ୭ ରନ କରିଥିବାବେଳେ ଆଇକରାମ ଅଖିଲ ୧୯ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲୁକି ଫର୍ଗୁସନ ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ, ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ନେଇଥିଲେ।
ଗ୍ଳେନ ଫିଲିପ୍ସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଫଗାନିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଡିଭନ୍‌ କନୱେ ଓ ୱିଲ ୟଙ୍ଗ ପ୍ରଥମ ୱିକେଟରେ ୩୦ରନ ସଂଗ୍ରହ କରିଥିଲେ। କନ୍‌ୱେ ୨୦ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ୟଙ୍ଗ ଓ ରଚିନ ରବୀନ୍ଦ୍ର ୭୯ରନ ଭାଗିଦାରୀ କରିବା ସହିତ ସ୍କୋରକୁ ୧୦୯ରନରେ ପହଞ୍ଚାଇଥିଲେ। ରବୀନ୍ଦ୍ର ୩୨ରନ କରି ଆଉଟ୍‌ ହୋଇଥିଲେ। ଏକଦା ଭଲ ସ୍ଥିତିରେ ଥାଇ ମଧ୍ୟ ନ୍ୟୁଜିଲାଣ୍ଡ ୧ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ୧୧୦ରନରେ ଦଳ ୪ଟି ୱିକେଟ ହରାଇଥିଲା। ୟଙ୍ଗ ୫୪ ଓ ଡ୍ୟାରେଲ ମିଚେଲ ୧ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ଅଧିନାୟକ ଟମ୍‌ ଲଥାମ ଓ ଗ୍ଲେନ ଫିଲିପ୍ସ ୧୪୪ରନ ଭାଗିଦାରୀ କରିଥିଲେ। ସ୍କୋର ୨୫୪ରନ ଥିବାବେଳେ ଫିଲିପ୍ସ ୭୧ରନ କରି ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟର ପତନ ୨୫୫ରନରେ ଘଟିଥିଲା। ଟମ୍‌ ଲଥାମ ୬୮ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟ​‌େ​‌ର ମାର୍କ ଚାମ୍ପମ୍ୟାନ ଓ ମିଚେଲ ସାଣ୍ଟନରଙ୍କ ଅବିଭାଜିତ ୩୩ରନ ବଳରେ ନ୍ୟୁଜିଲାଣ୍ଡ ୬ ୱିକେଟରେ ୨୮୮ରନ କରିବାକୁ ସକ୍ଷମ ହୋଇଥିଲା। ଚାମ୍ପମ୍ୟାନ ୨୫ ଓ ମିଚେଲ ସାଣ୍ଟନର ୭ରନ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ପକ୍ଷରୁ ଆଜମାତୁଲ୍ଲା ଓମାରଜାଇ ଓ ନବୀନ ଉଲ୍‌ ହକ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.