ଆଇସିସି ମାନ୍ୟତା : ଭାରତ ୨ୟ, ରାହୁଲ ୩କୁ ଉନ୍ନୀତ

0

ଦୁବାଇ : ଇଂଲଣ୍ଡ ବିପକ୍ଷରେ ସଦ୍ୟସମାପ୍ତ ତିନିଟିକିଆ ଟ୍ୱେଣ୍ଟି-୨୦ ସିରିଜରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳର ମାନ୍ୟତାରେ ଉନ୍ନତି ଘଟିଛି। ନିକଟରେ ଟ୍ୱେଣ୍ଟି-୨୦ ସିରିଜ୍‍ରେ ଆୟରଲାଣ୍ଡକୁ ୨-୦ରେ ଏବଂ ଇଂଲଣ୍ଡକୁ ୨-୧ରେ ପରାସ୍ତକରି ଭାରତ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ୧୩୨ ପଏଣ୍ଟ ସହ ପାକିସ୍ତାନ ଶୀର୍ଷରେ ଥିବା ବେଳେ ୧୨୪ ପଏଣ୍ଟ ସହ ୨ୟ ସ୍ଥାନରେ ଭାରତ ରହିଛି। ୧୨୨ ପଏଣ୍ଟ ସହ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ; ଇଂଲଣ୍ଡ ବିପକ୍ଷରେ ଟ୍ୱେଣ୍ଟି-୨୦ ସିରିଜ୍‍ ଜିତିବା ସହ ଭାରତ କ୍ରମାଗତ ୬ଷ୍ଠ ଟ୍ୱେଣ୍ଟି୨୦ ସିରିଜ୍‍ ଜିତିଛି।


ଭାରତର ଯୁବ ବ୍ୟାଟ୍‍ସମ୍ୟାନ ଲୋକେଶ ରାହୁଲଙ୍କ ମାନ୍ୟତାରେ ଆଖିଦୃଶିଆ ଉନ୍ନତି ଘଟିଛି। ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଟ୍ୱେଣ୍ଟି୨୦ ବ୍ୟାଟସମ୍ୟାନଙ୍କ ତାଲିକାରେ ରାହୁଲ ନଅଟି ପାହ୍ୟା ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ୨୬ ବର୍ଷୀୟ ରାହୁଲ ବିଗତ ଚାରିଟି ମ୍ୟାଚରେ ଯଥାକ୍ରମେ ୭୦, ୧୦୧ (ଅପରାଜିତ), ୬ ଓ ୧୯ ରନ ସ୍କୋର କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ‘ପ୍ଲେୟାର ଅଫ୍‍ ଦି ସିରିଜ’ ବିବେଚିତ ହୋଇଥିବା ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଦୁଇଟି ପାହ୍ୟା ଉପରକୁ ଉଠି ୧୧ଶ ସ୍ଥାନରେ ଉପନୀତ ହୋଇଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଚାରିଟି ପାହ୍ୟା ତଳକୁ ଖସି ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‍ ତିନିଟି ପାହ୍ୟାର ଉନ୍ନତି ଘଟାଇ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ପାକିସ୍ତାନୀ ଓପନର ଫକର ଜମାନ ୪୪ଟି ପାହ୍ୟା ଉପରକୁ ଉଠି ୨ୟ ସ୍ଥାନରେ ଉପନୀତ ହୋଇଛନ୍ତି। ନିକଟରେ ଜିମ୍ବାୱେରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜରେ ଉଭୟ ଫିଞ୍ଚ୍‍ ଓ ଜମାନ ଆଖିଦୃଶିଆ ପ୍ରଦର୍ଶନ କରିଥିବାରୁ ସେମାନଙ୍କର ମାନ୍ୟତା ଉପରେ ଏଭଳି ଅନୁକୂଳ ପ୍ରଭାବ ପକାଇଛି। ବୋଲରଙ୍କ ତାଲିକାରେ ଆଫଗାନିସ୍ତାନର ରସିଦ ଖାନ୍‍ ପ୍ରଥମ, ପାକିସ୍ତାନର ସଦାବ ଖାନ୍‍ ଦ୍ୱିତୀୟ ଓ ନ୍ୟୁଜିଲାଣ୍ଡର ଇସ୍‍ ସୋଢି ତୃତୀୟ ସ୍ଥାନରେ ରହିଛନ୍ତି। ଟ୍ୱେଣ୍ଟି୨୦ ଅଲରାଉଣ୍ଡର ତାଲିକାରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ପ୍ରଥମ, ଆଫଗାନିସ୍ତାନର ମହମ୍ମଦ ନବି ଦ୍ୱିତୀୟ ଓ ବାଂଲାଦେଶର ସାକିବ ଅଲ୍‍ ହାସାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତେବେ କୌଣସି ଭାରତୀୟ ବୋଲର କିମ୍ବା ଅଲରାଉଣ୍ଡରଙ୍କୁ ଶ୍ରେଷ୍ଠ ଦଶ ମଧ୍ୟରେ ସ୍ଥାନ ମିଳିନାହିଁ।

Leave A Reply