ପରିଚୟ ନ ଦେଇ କେରଳ ରିଲିଫ୍‍ ଶିବିରରେ ୮ ଦିନ ଖଟିଥିଲେ ଆଇଏଏସ୍‍ ଅଧିକାରୀ, ମୁଣ୍ଡରେ ବୋହୁ ଥିଲେ ରିଲିଫ୍‍ ସାମଗ୍ରୀ

0

ତିରୁଅନନ୍ତପୁରମ : ନିଜ ପରିଚୟ ନ ଦେଇ ଜଣେ ଆଇଏଏସ୍‍ ଅଧିକାରୀ କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ଉଦ୍ଧିଷ୍ଟ ରିଲିଫ ଶିବିରରେ ୮ ଦିନ ଧରି ଖଟିଥିଲେ। ଏହି ଘଟଣା ଏବେ ଜଣାପଡ଼ିବା ପରେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ମହଲରୁ ଏହି ଆଇଏଏସ୍‍ ଅଧିକାରୀଙ୍କୁ ପ୍ରଶଂସା କରାଯାଉଛି। ଆଭିଜାତ୍ୟ ଏବଂ ବିଳାଶକୁ ଛାଡ଼ି ଜଣେ ଆଇଏଏସ୍‍ ଲୋକଙ୍କ ପାଇଁ ଏଭଳି କାର୍ଯ୍ୟ କରିବା ଘଟଣା ଅନ୍ୟ ଅଧିକାରୀଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟର ଉଦାହରଣ ସାଜିଛି।
ସୂଚନା ଅନୁସାରେ କେନ୍ଦ୍ରାଞ୍ଚଳ ଦାଦର ଏବଂ ହାଭେଳିର ଜଣେ ଜିଲାପାଳ ଭାବେ କାର୍ଯ୍ୟରତ ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ କାନ୍ନାନ ଗୋପୀନାଥନ କିଛି ଦିନ ତଳେ କେରଳର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଉଦ୍ଧିଷ୍ଟ କୋଚିର ଏକ ରିଲିଫ ଶିବିରରେ ରହି କାର୍ଯ୍ୟ କରୁଥିଲେ। ବନ୍ୟା ପୀଡ଼ିତଙ୍କ ପାଇଁ ବୋଟ ଯୋଗେ ଆସୁଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ସେ କୋଚି ବନ୍ଦରରୁ ମୁଣ୍ଡରେ ବୋହି ଟ୍ରକରେ ବୋଝେଇ କରୁଥିଲେ। ୩୨ ବର୍ଷିୟ ଏହି ଆଇଏଏସ୍‍ ଅଧିକାରୀ ଜଣଙ୍କୁ ନବମ ଦିନରେ ଚିହ୍ନଟ କରାଯାଇଥିଲା। ଫଳରେ ସେ ସେଠାରେ ଆଉ ନଖଟି ନିଜ କାର୍ଯ୍ୟସ୍ଥଳକୁ ଚାଲି ଯାଇଥିଲେ। କେରଳ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ଦାଦର ଏବଂ ନାଗାର ହାଭେଳି ପକ୍ଷରୁ ପ୍ରଦାନ କରାଯାଇଥିବା ଏକ କୋଟି ଟଙ୍କାର ଚେକ୍‍ ଦେବାକୁ ସେ ଅଗଷ୍ଟ ୨୬ରେ କେରଳ ଆସିଥିଲେ। ସେବେଠାରୁ ସେ କୋଚିରେ ରହି ବନ୍ୟା ପୀଡ଼ିତଙ୍କ ସେବା କରୁଥିଲେ। ସେହି ରିଲିଫ୍‍ ଶିବିରକୁ ଯାଇଥିବା ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ଚିହ୍ନଟ କରିବା ପରେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ସ୍ୱେଚ୍ଛାସେବୀ ଓ ଳୋକମାନେ ତାଙ୍କୁ ଘେରି ଯାଇଥିଲେ। ଏହା ପରେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏନେଇ ପଚରାଯିବାରୁ ସେ କିଛି ବଡ଼ କାମ କରି ନାହାନ୍ତି। ତେଣୁ ତାଙ୍କୁ ନେଇ କୌଣସି କାହାଣୀ ନ କରିବାକୁ ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ କେରଳ ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ହୋଇଯାଇଥିଲା। ଏହି ଜଳ ପ୍ରଳୟରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ୧୩ ଲକ୍ଷ ଲୋକ ବାସ ହରାଇଥିଲେ।

Leave A Reply