ହିନ୍ଦୁତ୍ୱ ବିରୋଧୀ ସମଲିଙ୍ଗୀ: ସୁବ୍ରମଣ୍ୟନ୍‍

0

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କକୁ ଭାରତୀୟ ଦଣ୍ଡ ବିଧି ଆଇନ ଧାରା ୩୭୭ରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଏହାକୁ ଉଚ୍ଛେଦ କରିବାକୁ ଆବେଦନ ହେବା ପରେ ସୁପ୍ରିମ କୋର୍ଟରେ ଆଜି ଏହି ମାମଲାର ଶୁଣାଣି ଚାଲିଛି। ଏଭଳି ସମୟରେ ବିଜେପି ନେତା ସୁବ୍ରମଣ୍ୟନ୍‍ ସ୍ୱାମୀ ସମଲିଙ୍ଗୀକୁ ହିନ୍ଦୁତ୍ୱ ବିରୋଧୀ ବୋଲି ମନ୍ତବ୍ୟ ଦେଇଛନ୍ତି। ସମଲିଙ୍ଗୀକୁ ନେଇ ଉତ୍ସାହିତ ହେବା ବଦଳରେ ଏହାର ଚିକିତ୍ସା ଓ ନିରାମୟ ପାଇଁ ସ୍ୱତନ୍ତ୍ର ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ସୁବ୍ରମଣ୍ୟନ୍‍ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି।
୍ରଆଜି ସୁପ୍ରିମ କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ନେଇ ଶୁଣାଣି କରୁଛନ୍ତି। ମୁଖ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଆର ଆର ନରିମନ, ଜଷ୍ଟିସ ଏ ଏମ ଖାନଲିକ୍ୱର, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କୁ ନେଇ ଖଣ୍ଡପୀଠ ଗଠିତ ହୋଇଛି।
ଏହା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଆପୋସ ବୁଝାମଣାରେ ହୋଇଥିବା ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧଭାବେ ଗ୍ରହଣ କରାଯାଇ ନପାରେ ବୋଲି ରାୟ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମ କୋର୍ଟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏଭଳି ରାୟକୁ ଖଣ୍ଡନ କରିବା ସହ ଏହାକୁ ଧାରା ୩୭୭ଅନ୍ତର୍ଗତ ଅବୈଧ ବୋଲି ଘୋଷଣା କରିଥିଲେ। ଏହି ଧାରା ଅନ୍ତର୍ଗତ କୌଣସି ପୁରୁଷ କିମ୍ବା ମହିଳା ସମଲିଙ୍ଗୀ ସମ୍ବନ୍ଧ ରଖିଲେ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡ ସମେତ ଅର୍ଥଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନରେ ଉଲ୍ଲେଖ ରହିଛି।
ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରୁଥିବା ଗୋଷ୍ଠୀର ଯୁକ୍ତି ଅନୁଯାୟୀ ଏହି ଆଇନ ଇଂରେଜ ଅମଳରୁ ପ୍ରଚଳିତ ଅଛି। ସମଲିଙ୍ଗୀକୁ ଅପରାଧ ବୋଲି ବିବେଚନା କରୁଥିବା ବ୍ରିଟେନ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଆଇନକୁ ଖାରଜ କରି ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେଇଛି। ତେଣୁ ଭାରତ ଏଭଳି ଆଇନକୁ ବଳବତ୍ତର ରଖିବାର ଆବଶ୍ୟକତା କ’ଣ ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି।

Leave A Reply