ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷ ପାଇଁ ଚାଲିଛି ନାମଲେଖା। ଏଲୋପାଥିକ ପାଠ୍ୟକ୍ରମ ପାଇଁ ନିଟ୍ ଆବେଦନ ସରିଥିବାବେଳେ ଆସନ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ହୋମିଓପାଥି ଶିକ୍ଷା ନାମଲେଖା ପାଇଁ ଜାତୀୟ ହୋମିଓପାଥି ଆୟୋଗ ଅନୁମତି ଦେଇଛନ୍ତି। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରି ଆସନ୍ତା ନଭେମ୍ବର ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦେଶ ରହିଛି। ଚଳିତ ବର୍ଷ ମୋଟ ୪ ମହାବିଦ୍ୟାଳୟ ପାଇଁ ୧୫୬ ୟୁଜି ଏବଂ ୪ ପିଜି ଆସନରେ ନାମଲେଖା ହେବ। ଖୁବଶୀଘ୍ର ହୋମିଓପାଥି ପାଠ୍ୟକ୍ରମ ନାମଲେଖା ପାଇଁ ନିଟ୍ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ। ପାଠ ପଢାଇବା ନିମନ୍ତେ ଅଧ୍ୟାପକଙ୍କ ଅଭାବ ରହିଥିବାବେଳେ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପିଜି ପାଠ୍ୟକ୍ରମ ପାଇଁ ପ୍ରଫେସର ନ ଥିବା ଯୋଗୁଁ ଅସୁବିଧା ହେଉଥିବା ଜଣାପଡ଼ିଛି। ଏଥିପାଇଁ ଗୋଟିଏ ମାତ୍ର ଭେଷଜ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଦିଆଯାଉଥିବା ଜଣାପଡ଼ିଛି।
ହୋମିଓପାଥି ଭେଷଜ ମହାବିଦ୍ୟାଳୟରେ ୟୁଜିରେ ସାଢେ ପାଞ୍ଚ ବର୍ଷର ପାଠ୍ୟକ୍ରମ ଦିଆଯାଉଛି। ସାଢେ ଚାରି ବର୍ଷ ପାଠ ପଢାଯାଉଥିବାବେଳେ ବର୍ଷେ ହାଉସ ସର୍ଜନ ଭାବେ କାର୍ଯ୍ୟ କରନ୍ତି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ପ୍ରାୟ ମାସିକ ୧୭ ହଜାର ଟଙ୍କା ଦିଆଯାଇଥାଏ। ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟରେ ୩୧ ୟୁଜି ଆସନ ଥିବାବେଳେ, ରାଉରକେଲାର ଉତ୍କଳମଣି ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ସମ୍ବଲପୁର ଓଡ଼ିଶା ମେଡିକାଲ କଲେଜ ଅଫ ହୋମିଓପାଥିକ ଆଣ୍ଡ ରିସର୍ଚ୍ଚ ମହାବିଦ୍ୟାଳୟରେ ୩୧ ଟି ଲେଖାଏଁ ୟୁଜି ଆସନ ରହିଛି। ଏହି ତିନି ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କେବଳ ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟରେ ୬୩ ୟୁଜି ଆସନ ରହିଛି। ନିଟ୍ ପରୀକ୍ଷା ପରେ ଆବଣ୍ଟନ ଅନୁସାରେ ବିଭିନ୍ନ ମହାବିଦ୍ୟାଳୟରେ ନାମଲେଖା କରାଯିବ। ସେହିପରି କେବଳ ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ରହିଛି। ଏଠାରେ ମୋଟ ୫ଟି ବିଭାଗ ଯଥା ହୋମିଓପାଥି ଫାର୍ମାସି, ଭେଷଜ, ରିପୋଟ୍ରି, ଅର୍ଗାନନ ଏବଂ ମାଟେରା ମେଡିକାରେ ପିଜି ପାଠ୍ୟକ୍ରମ ରହିଥିଲା। ମାନବ ସମ୍ବଳ ଅଭାବ ଯୋଗୁଁ ୨୦୧୨ ରେ ସମସ୍ତ ବିଭାଗରେ ତାଲା ଝୁଲିଥିଲା। ୫ ବର୍ଷ ପରେ ଅର୍ଥାତ ୨୦୧୭ରେ ୪ ବିଭାଗକୁ ବାଦ ଦେଇ କେବଳ ମାଟେରା ମେଡିକା ବିଭାଗରେ ପୁନଃ ପିଜି ପାଠ୍ୟକ୍ରମ ଆରମ୍ଭ କରାଗଲା। ଏଥିପାଇଁ ଏଆଇପିଜିଟି ପରୀକ୍ଷା ଦେବା ପରେ ପିଜି ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ନାମଲେଖା ପ୍ରକ୍ରିୟା ଫେବୃଆରୀ ପର୍ଯ୍ୟନ୍ତ ଚାଲୁଥିବାବେଳେ ଚଳିତ ବର୍ଷ ଆୟୁଷର ଉଭୟ ପିଜି ଓ ୟୁଜି ପାଇଁ ଜାତୀୟ ହୋମିଓପାଥିକ ଆୟୋଗ ନଭେମ୍ବର ସୁଦ୍ଧା ସାରିବାକୁ ନିର୍ଦେଶ ଦେଇଛନ୍ତି। ଚଳିତ ବର୍ଷ ସମସ୍ତ ପରୀକ୍ଷା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଅଧୀନରେ ହେବ। ଏହାଛଡା ରାଜ୍ୟରେ ଅଧ୍ୟାପକ ପଦ ପୂରଣ ପାଇଁ ୨୬ ନୂଆ ନିଯୁକ୍ତି ଦିଆଯିବ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଆୟୁଷ ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।



