ବିଜୟ ସହ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ
ଭୁବନେଶ୍ୱର : ବୁଧବାର ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ରେ ମୁକାବିଲା ଆରମ୍ଭ ହେଉଛି। ଅନ୍ୟତମ ଟାଇଟଲ ଫେଭରିଟ୍ ଭାରତ ପୁଲ୍ ‘ସି’ରେ ତା’ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଘରୋଇ ପଡ଼ିଆରେ ଭାରତ ୨ୟ ଥର ପାଇଁ ଚମ୍ପିଆନ ହେବାର ଲକ୍ଷ୍ୟ ରଖିଛି। ଗ୍ରୁପର ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବାକୁ ଥିବା ବେଳେ ୨ୟ ଓ ୩ୟ ସ୍ଥାନରେ ଥିବା ଦଳ କ୍ରସ୍ଓଭର ମ୍ୟାଚ୍ ଖେଳିବେ। ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବାକୁ ହେଲେ ଭାରତକୁ ଗ୍ରୁପ୍ ଲିଗ୍ ମ୍ୟାଚ୍ରେ ବେଲଜିୟମ, ଦକ୍ଷିଣ ଆଫ୍ରିକା ଓ କାନାଡ଼ାକୁ ପରାସ୍ତ କରିବାକୁ ପଡ଼ିବ। ଅତିକମ୍ରେ ଭାରତକୁ ୨ଟି ମ୍ୟାଚ୍ ଜିତିବାକୁ ପଡ଼ିବ।
ବିଶ୍ୱକପ ଇତିହାସକୁ ଦେଖିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୪ଥର ସାମ୍ନାସାମ୍ନି ହୋଇଛନ୍ତି। ସେଥିମଧ୍ୟରୁ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଅନ୍ୟ ୩ଟି ମ୍ୟାଚ ବରାବରରେ ଶେଷହୋଇଛି। ୧୯୯୪ ୮ମ ସଂସ୍କରଣର ଏକ ଲିଗ୍ ମ୍ୟାଚରେ ପ୍ରଥମଥର ପାଇଁ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ। ଉକ୍ତ ମ୍ୟାଚ ୨-୨ ଗୋଲ୍ରେ ଡ୍ର ହୋଇଥିଲା। ୨୦୦୬ରେ ଉଭୟ ଦଳ ମଧ୍ୟରେ ଲିଗ୍ ମ୍ୟାଚ ମଧ୍ୟ ୧-୧ ଗୋଲରେ ଡ୍ର ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଶେଷଥର ପାଇଁ ଉଭୟ ଦଳ ୨୦୧୦ରେ ଦିଲ୍ଲୀରେ ସାମ୍ନାସାମ୍ନି ହୋଇଥିଲେ। ଉକ୍ତ ମ୍ୟାଚ ମଧ୍ୟ ୩-୩ ଗୋଲରେ ଡ୍ର ହୋଇଥିଲା। ଘରୋଇ ପଡ଼ିଆରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତକରି ବିଜୟ ଅଭିଯାନ ଆରମ୍ଭ ଲକ୍ଷ୍ୟରଖିଛି।
ଅଜିତ ପାଲ୍ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୧୯୭୫ରେ ଚମ୍ପିଆନ୍ ହୋଇଥିଲା। ତେବେ ଏହାପରେ ଦଳକୁ ଆଶାନୁରୂପକ ସଫଳତା ମିଳିପାରି ନାହିଁ। ପରବର୍ତ୍ତୀ ସଂସ୍କରଣରେ ୟୁରୋପୀୟ ରାଷ୍ଟ୍ରମାନେ ବିଶ୍ୱକପ୍ରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ନେଦରଲ୍ୟାଣ୍ଡସ୍, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶକୁ ଟକ୍କର ଦେବାକୁ ଭାରତୀୟ ଦଳ ବିଫଳ ହୋଇଛି। ୧୯୭୫ ପରେ ଭାରତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନ ୧୯୮୨ ସଂସ୍କରଣରେ ରହିଥିଲା। ୧୯୮୨ ସଂସ୍କରଣରେ ଭାରତୀୟ ଦଳ ୫ମ ସ୍ଥାନରେ ରହିଥିଲା। ବର୍ତ୍ତମାନ ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ଭାରତୀୟ ଦଳ ଅତିକମ୍ରେ ସେମିଫାଇନାଲରେ ପ୍ରବେଶ କରିବାକୁ ନିଶ୍ଚିତ ଭାବେ ଚେଷ୍ଟାକରିବ। ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ଶକ୍ତିଶାଳୀ ଥିବା ବେଳେ ଖେଳାଳିଙ୍କ ମନୋବଳ ମଧ୍ୟ ବେଶ୍ ଉଚ୍ଚରେ ରହିଛି। ସେହିପରି ଦଳ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ କିଛି ଚମତ୍କାରିତା ଦେଖାଇଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ତେବେ ଏହି ବିଶ୍ୱକପ୍ରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ, ଜର୍ମାନୀ, ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ଥିବାରୁ ଭାରତର ବିଜୟ ଅଭିଯାନ ଏତେଟା ସହଜ ନୁହେଁ। ୨୦୧୦ରେ ନୂଆଦିଲ୍ଲୀରେ ଖେଳା ଯାଇଥିବା ବିଶ୍ୱକପ୍ରେ ଭାରତୀୟ ଦଳ ୮ମ ସ୍ଥାନରେ ରହିଥିଲା। ତେଣୁ ଚଳିତ ବିଶ୍ୱକପ୍ରେ ଦଳଠାରୁ ବେଶ୍ ଅଧିକ ଆଶା ରଖିଛନ୍ତି ପ୍ରଶଂସକ।