ସିଂହୀର ନାଁ ସୀତା ରଖିବାରୁ ଏଭଳି କହିଲେ ହାଇକୋର୍ଟ
କୋଲକାତା : ପଶ୍ଚିମବଙ୍ଗର ସଫାରୀ ପାର୍କରେ ରଖାଯାଇଥିବା ୨ ସିଂହଙ୍କ ନାଁ ଆକବର ଏବଂ ସୀତା ରଖିବା ମାମଲାରେ ହାଇକୋର୍ଟ ଶୁଣାଣି କରିଛନ୍ତି । ସିଂହୀର ନାଁ ସୀତା ରଖିବାକୁ ନେଇ ଆପତ୍ତି ଦର୍ଶାଇ ବିଶ୍ବ ହିନ୍ଦୁ ପରିଷଦ ହାଇକୋର୍ଟରେ ଯାଚିକା ଆବେଦନ କରିଛି । ଏହା ମଧ୍ୟରେ ଗୁରୁବାର ଶୁଣାଣି ସମୟରେ ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଉଭୟ ପଶୁଙ୍କ ନାଁ ବଦଳାଇ ଏମିତି ନାଁ ଦିଆଯାଉ ଯାହାକୁ ନେଇ ବିବାଦ ହେବନି । ଜଜ୍ କହିଛନ୍ତି କି ଦେବୀ ସୀତାଙ୍କୁ ଲୋକେ ପୂଜା କରନ୍ତି । ସେହିଭଳି ଆକବର ମଧ୍ୟ ଜଣେ ଦକ୍ଷ ଏବଂ ସଫଳ ମୋଗଲ ଶାସକ ଥିଲେ ।
ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ସିଂହ ଦ୍ବୟଙ୍କ ଏଭଳି ନାମକରଣକୁ ନେଇ ସଫେଇ ଦେଇଛନ୍ତି । ଓକିଲ ଦର୍ଶାଇଛନ୍ତି କି ତାଙ୍କ ନାଁ ତ୍ରିପୁରାରେ ରଖାଯାଇଥିଲା । ଏହା ପରେ ତାଙ୍କୁ ସିଲିଗୁଡିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କୋର୍ଟ କହିଛନ୍ତି କି ଯଦି ବି ନାଁ ତ୍ରିପୁରାରେ ରଖାଯାଇଥିଲା, କିନ୍ତୁ ଏବେ ନାଁ ପରିବର୍ତ୍ତନ କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି କି ‘ ଆପଣ କଣ ପୋଷା ଜୀବଙ୍କ ନାଁ ହିନ୍ଦୁ ଦେବାଦେବୀ ନାଁ ଉପରେ ରଖିବେ ? ଯଦି ଆମ ପାଖରେ ଅଧିକାର ଥାନ୍ତା ତେବେ ଆମ ଭିତରୁ କେହି ନିଜ ପୋଷା ଜନ୍ତୁଙ୍କ ନାଁ ଏମିତି ରଖିନଥାନ୍ତେ । ଆପଣ କଣ କୌଣସି ଜୀବର ନାଁ ରବିନ୍ଦ୍ରନାଥ ଟାଗୋର ରଖିପାରିବେ କି ?’
ଏହା ସହ କୋର୍ଟ ଅନ୍ୟ କିଛି ନାଁ ଉଦାହରଣ ଦେଇ କହିଛନ୍ତି କି ଆପଣ ଚାହିଁଲେ ସିଂହ ନାଁ ବିଜୁଳି କିମ୍ବା ଅନ୍ୟ କିଛି ରଖିପାରିବେ । କିନ୍ତୁ ସୀତା ଏବଂ ଆକବର ନାଁ ରଖିବା ଶୋଭନୀୟ ନୁହେଁ । କହିରଖୁଛୁ ବିଶ୍ବ ହିନ୍ଦୁ ପରିଷଦ ଏହି ମାମଲାରେ ଆବେଦନ କରି ଅଭିଯୋଗ ଲଗାଇଥିଲା କି ଏଭଳି ନାମକରଣ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଉଛି । ଏହା ବ୍ୟତୀତ ଏଭଳି ନାମକରଣ ଯୋଗୁଁ ଧର୍ମର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇଥିଲା ବିଶ୍ବ ହିନ୍ଦୁ ପରିଷଦ ।
Comments are closed.