ମୁମ୍ବଇ: ପ୍ରବଳ ବର୍ଷା ଯୋଗୁଁ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବଇ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ମୁମ୍ବଇ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ ଚେମ୍ବୁରରେ ୯୧.୫, ଭିକ୍ରୋଲିରେ ୭୮.୫, ଜୁହୁରେ ୬୦.୦, ସାୟନ୍ରେ ୫୮.୫, ବାନ୍ଦ୍ରାରେ ୫୦.୦, ସାନ୍ତାକ୍ରୁଜ୍ରେ ୪୭.୨ ଏବଂ କୋଲାବାରେ ୨୯.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସହରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡିଥିବାବେଳେ ବସ୍, ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସମସ୍ତ ସ୍କୁଲକୁ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଲୋକାଲ ଟ୍ରେନ ଉପରେ ନିର୍ଭର କରୁଥିବା ଲୋକଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ପ୍ରବଳ ବର୍ଷାରେ ସତର୍କତା ଅବଲମ୍ବନ କରିବାକୁ ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷରେ ସୋମବାର ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ରାମବନ ଜିଲାରେ ଭୂସ୍ଖଳନ ଘଟିଛି। ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ଅବରୋଧ ହୋଇପଡିଥିବାରୁ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। ଜାମ୍ମୁ ଅଞ୍ଚଳର ୧୦ଟି ଜିଲାରେ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ବର୍ଷା ଓ ଭୂସ୍କଳନ ଯୋଗୁଁ କିସ୍ତୱାଡ-ଅନନ୍ତନାଗ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଜାମ୍ମୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍ଡି) ପକ୍ଷରୁ ସତର୍କତା ଜାରି କରାଯାଇଛି। ନିକଟରେ କିସ୍ତୱାଡ ଓ କାଠୁଆ ଜିଲାରେ ଭୂସ୍ଖଳନ ଯୋଗୁଁ ୭୦ଜଣଙ୍କର ମୃତ୍ୟୁ ଘଟିଛି।
ପ୍ରବଳ ବର୍ଷା, ମୁମ୍ବଇରେ ରେଡ୍ ଆଲର୍ଟ
Popular Categories



