ମାଲକାନଗିରି/ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ କେନ୍ଦ୍ରୀଭୂତ ରହିଛି। ଫଳରେ ମାଲକାନଗିରି ଜିଲାରେ ପ୍ରବଳ ବର୍ଷାରେ ସ୍ଥିତି ବେହାଲ ହୋଇଛି। ପୋଲ ଉପର ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜିଲାର ପୋଟେରୁ ପୋଲ ବୁଡ଼ି ଯାଇଛି। ଏମ୍ଭି-୯୬ ପୋଲ ଦେଇ ପ୍ରବାହିତ ବନ୍ୟା ଜଳ ହ୍ରାସ ପାଇଛି। କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ନିକଟ ପୋଲ ଉପରେ ବନ୍ୟାଜଳ ଚାଲିଛି। ମାଲକାନଗିରି ଜିଲା ସଦରମହକୁମାରୁ କାଲିମେଳା, ଏମ୍ଭି-୭୯ ଓ ମୋଟୁ ଦେଇ ଯାତାୟାତ ବନ୍ଦ ରହିଛି।
କାଲିମେଳାଠାରୁ ପଡ଼ିଆ ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲଗୁଡ଼ିକର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ମାଲକାନଗିରି ବିମାନବନ୍ଦର ପାଚେରି ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଭାଙ୍ଗି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ବ୍ଲକରେ ସର୍ବାଧିକ ୧୦୮.୬ ମିମି. ମାଥିଲିରେ ୫୭, କାଲିମେଳାରେ ୬୩. ଖଇରପୁଟରେ ୪୮, ଚିତ୍ରକୋଣ୍ଡାରେ ୬୬, କୋରୁକୋଣ୍ଡାରେ ୯୪ ଓ ପଡ଼ିଆ ବ୍ଲକରେ ୫୬ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ୮ଟା ସୁଦ୍ଧା ଜିଲାରେ ୪୯୨.୬ ମିମି ବର୍ଷା ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଗୋପାଳପୁର ନିକଟରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଗତ ଦୁଇଦିନ ହେଲା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ମଙ୍ଗଳବାର ୭ ଜିଲା ଯଥା-ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାର ବିିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, େବୗଦ୍ଧ ଏବଂ କନ୍ଧମାଳ ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।



