www.samajalive.in
Friday, December 12, 2025
14.1 C
Bhubaneswar

ବିଭିନ୍ନ ଅଭିଯୋଗ ଓ ଦାବିର ସ୍ପଷ୍ଟିକରଣ ଦେଲେ ତହସିଲଦାର

ଆଠଗଡ : କୁମାରପୁର ଓ ବଳିପୁର ଅଞ୍ଚଳରେ ଏକ କମ୍ପାନୀ ନାମରେ ଜମି କିଣାରେ ଦୁର୍ନୀତି, ଗୋଚର ଜମି ହଡପ ଏବଂ ଫଣି ବାତ୍ୟାର ହିତାଧିକାରୀଙ୍କୁ ସହାୟତାରେ ଅନିୟମିତତା ଆଦି ୩ଟି ଅଭିଯୋଗ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହିସବୁ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ଯୁବ ସଂଗଠକ ଅଭୟ କୁମାର ବାରିକ ତହସିଲ, ସବରେଜିଷ୍ଟ୍ରାର କାର୍ଯ୍ୟାଳୟ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଦାୟୀ କରିଥିଲେ। ତେବେ ତହସିଲଦାର ସେ ସମସ୍ତ ଅଭିଯୋଗ ଗୁଡିକର ଅନୁସନ୍ଧାନ ଓ ଶୁଣାଣି କରି ସେ ସଂପର୍କରେ ବିସ୍ତୃତ ସ୍ପଷ୍ଟିକରଣ ଅଭିଯୋଗକାରୀ ଓ ଗଣମାଧ୍ୟମଙ୍କୁ ଦେଇଛନ୍ତି।
୨୦୦୫ ମସିହାରେ ହିନ୍ଦ ମେଟାଲିକ୍ସ ନାମକ ଏକ କମ୍ପାନୀ କୁମାରପୁର ଓ ବଳିପୁର ଅଞ୍ଚଳରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ୮୦ଏକର ଜମି କ୍ରୟକରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦଲିଲ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏଥିପାଇଁ ଗୋପାଳ ଚରଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଜମିକ୍ରୟ ପାଇଁ କ୍ଷମତା ପ୍ରଦାନ କରିଥିଲେ। କିଣା ଯାଇଥିବା ଜମି ଦଲିଲ ଶ୍ରୀ ସ୍ୱାଇଁଙ୍କ ନାମରେ କରାଯାଇଛି। ତେବେ ଜମି ବିକ୍ରେତାଙ୍କୁ ଅଧା ଟଙ୍କା ଦେଇ ଓ କମ୍ପାନୀରେ ଚାକିିରି କରାଇଦେବା ନାମରେ ପ୍ରଲୋଭନ ଦେଖାଇ ଜମିର ଦଲିଲ୍‌‌ କରାଯାଇଛି ଏବଂ ଦଲିଲଗୁଡିକ ମିଥ୍ୟା ଓ ଏହାର କୌଣସି ସତ୍ୟତା ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ତହସିଲଦାର ଦଲିଲ ଗୁଡିକର ସତ୍ୟତା ଜାଣିବା ପାଇଁ ଆଠଗଡ ସବରେଜିଷ୍ଟ୍ରାରଙ୍କୁ ଗତ ସେପ୍ଟେମ୍ବର ୯ତାରିଖରେ ଅନୁରୋଧ କରିଥିଲେ। ସମସ୍ତ ଦଲିଲ ୨୦୦୫ମସିହାରେ ବାସ୍ତବରେ ସଂପାଦନ ହୋଇଅଛି ବୋଲି ସବରେଜିଷ୍ଟ୍ରାର ସ୍ପଷ୍ଟ କରିଥିଲେ। ଏଥିରୁ ପ୍ରତିତ ହେଉଛି ଯେ ଅଭିଯୋଗ ଗୁଡିକରେ ସତ୍ୟତା ନାହିଁ ଏବଂ ଏହା ତହସିଲ କାର୍ଯ୍ୟାଳୟକୁ ବଦନାମ କରିବାର ଏକ ପ୍ରୟାସ ମାତ୍ର ବୋଲି ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି।
ସେହିପରି କୁମାରପୁର ଓ ବଳିପୁର ଗ୍ରାମରେ ଥିବା ୩୮ଏକର ଗୋଚର ଜମିକୁ ଚଞ୍ଚକତାପୂର୍ଣ୍ଣ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜବରଦଖଲ କରି ହାତେଇଥିବା ଅଭିଯୋଗର ସରଜମିନ ଅନୁସନ୍ଧାନ କରିଥିଲେ ତହସିଲଦାର ଓ ସେ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ପ୍ରମୁଖ। ବଳିପୁର ଗ୍ରାମର ଗ୍ରାମବାସୀ ଏହି ତଦନ୍ତ ସମୟରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। ବଳିପୁର ଗ୍ରାମର ଖାତା ନଂ ୬୨୬, ପ୍ଲଟ ସଂଖ୍ୟା ୧୫୨ ଓ ୧୪୬ରେ କାଜୁଗଛ ସବୁ ଲଗାଯାଇଛି। ସେଠାରେ କିଛି ଲୋକ ବ୍ୟକ୍ତିଗତ ଭାବେ ଗୋଚର ଜମିକୁ ଜବରଦଖଲ କରୁଥିବାର ଦେଖି ୨୦୧୮-୧୯ ମସିହାରେ ବଳିପୁର ଗ୍ରାମବାସୀ ଉକ୍ତ ୩୮ଏକର ଜମିରୁ ଜବରଦଖଲ ପରେ ବାକି ରହିଥିବା ଜମିର ସୁରକ୍ଷା ସହିତ ଗ୍ରାମର ଜାନିଯାତ୍ରା ଓ ପର୍ବପର୍ବାଣୀରେ ସାମୁହିକ ଖର୍ଚ୍ଚପାଇଁ ପ୍ରାୟ ୨୦ଏକର ଜମିରେ କାଜୁଗଛ ଲଗାଇଛନ୍ତି। ହାତୀ ଦାଉରୁ ରକ୍ଷା ପାଇଁ ଚତୁଃପାଶ୍ୱର୍ରେ ବାଡ ବୁଲାଇବା ସହ ଜଗାରଖା ଓ କାଜୁସଂଗ୍ରହ କରି ରଖିବା ପାଇଁ ତା ମଧ୍ୟରେ ଏକ କୋଠାଘର ନିର୍ମାଣ କରିଛନ୍ତି। ନିକଟବର୍ତ୍ତୀ ଚାଷଜମିରେ ସେଚ ପାଇଁ ବିଜୁ କୃଷକ ବିକାଶ ଯୋଜନାରେ ୪ଟି ଗଭୀର ନଳକୂପ ଓ ୨ଟି ପୋଖରୀ ଖୋଳାଯାଇ ସେଥିରେ ବିଦ୍ୟୁତ୍‌‌ ମୋଟର ଚାଲିବା ପାଇଁ ଦୁଇଟି ବିଦ୍ୟୁତ୍‌‌ ଟ୍ରାନ୍ସଫରମର ବିଦ୍ୟୁତ୍‌‌ ବିଭାଗ ପକ୍ଷରୁ ବସାଯାଇଛି। ଯଦି ସରକାର ସେଠାରେ କୌଣସି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାହିଁବେ ତେବେ ଗ୍ରାମବାସୀ ବିନା ଦ୍ୱିଧାରେ ଉକ୍ତ ଗୋଚର ଜମିକୁ ଛାଡିଦେବେ ବୋଲି କହିଛନ୍ତି। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସେଠାରେ ଅଭିଯୋଗକାରୀଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତିଗତ ଭାବେ ଗୋଚର ଜମି ଜବରଦଖଲ କରିଥିବା ତହସିଲଦାର ଜାଣିବାକୁ ପାଇଥିଲେ। ତେଣୁ ପୂର୍ବତନ ଅଧ୍ୟକ୍ଷ ଜମି ଜବରଦଖଲ କରି ହଡପ କରିଥିବା ଅଭିଯୋଗଗୁଡିକ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ତହସିଲ ପକ୍ଷରୁ କୁହାଯାଇଛି।
ସେହିପରି ଫଣି ବାତ୍ୟା ସମୟରେ ଘରଭଙ୍ଗା ସହାୟତାରେ ଅନିୟମିତତା ଅଭିଯୋଗକୁ ତଦନ୍ତ କରି ତହସିଲଦାର ପ୍ରିୟବ୍ରତ ଦାସ ସେଥିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସ୍ପଷ୍ଟିକରଣ ଦେଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ଦିଆଯାଇଥିବା ତଥ୍ୟ ଚୂଡାନ୍ତ ରିପୋର୍ଟ ନୁହେଁ ବରଂ ତାହା ବାତ୍ୟା ପରବର୍ତ୍ତୀ ସମୟର ପ୍ରାଥମିକ ଆକଳନ ରିପୋର୍ଟ। ପ୍ରାଥମିକ ଆକଳନରେ କେତେକଙ୍କ ଘର ଆଂଶିକ ଭାଙ୍ଗିଥିଲେ ମଧ୍ୟ ସେଗୁଡିକୁ ସଂପୂର୍ଣ୍ଣ ଭାଙ୍ଗିଥିବା ଦର୍ଶାଯାଇଥିଲା ଏବଂ ସେ ବାବଦରେ କ୍ଷତିଗ୍ରସ୍ତଙ୍କୁ ୯୫୧୦୦ଟଙ୍କା ମିଳିବ ବୋଲି ଲେଖାଥିଲା। କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ପରେ ସେହି ତାଲିକାରେ ଥିବା କେତେକଙ୍କ ଘର ସଂପୂର୍ଣ୍ଣ ନୁହେଁ ବରଂ ଆଶିଂକ ଭାଙ୍ଗିଥିବା ଦର୍ଶାଇ ସେମାନଙ୍କୁ ୫୨୦୦ଟଙ୍କା ସହାୟତା ରାଶି ଦିଆଯାଇଛି। ଅଭିଯୋଗକାରୀଙ୍କ ମଧ୍ୟରୁ ୭ଜଣଙ୍କୁ ପ୍ରକୃତରେ ସେମାନଙ୍କର ଘର ଆଂଶିକ ଭାଙ୍ଗିଥିବାରୁ ଘରଭଙ୍ଗା ସହାୟତା ୫୨୦୦ଟଙ୍କା ଲେଖାଏଁ ଜମାଖାତା ଜରିଆରେ ପ୍ରଦାନ କରାଯାଇଛି। କେତେକ କ୍ଷତିଗ୍ରସ୍ତ ଲୋକଙ୍କର ବ୍ୟାଙ୍କ ଜମାଖାତା ନମ୍ବର ତ୍ରୁଟିପୂର୍ଣ୍ଣ ଥିବା ଏବଂ କେତେଜଣ ଆଦୈ ବ୍ୟାଙ୍କ ଜମା ଖାତା ନମ୍ବର ଦେଇନଥିବାରୁ ସହାୟତା ରାଶି ତାଙ୍କ ବ୍ୟାଙ୍କ ଖାତାକୁ ନଯାଇ ଏବେବି ତହସିଲ ଆକାଉଣ୍ଟରେ ରହିଥିବା କୁହାଯାଇଛି। ତେଣୁ ଏଥିରେ କୌଣସି ଅନିୟମିତତା ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ତହସିଲଦାର ଶ୍ରୀ ଦାସ ଲିଖିତ ଆକାରରେ ଅଭିଯୋଗକାରୀଙ୍କୁ ଅବଗତ କରାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories