୧୫ ଏକର ଜମିର ଫସଲ ନଷ୍ଟ

0

ହାଟଡ଼ିହି/ଚମ୍ପୁଆ : ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନା ଧରୁନାହିଁ। ଏଥିପାଇଁ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଗୋଧୂଳିରେ ୧୫ଏକର ଜମିର ଫସଲ ଏହି ୨୨ ଘରିଆ ହାତୀପଲ ଖାଇ ଯାଇଥିବାବେଳେ ହାଟଡ଼ିହି ବ୍ଲକର ହଦଗଡ଼ ଅଭୟାରଣ୍ୟରୁ ଆସିଥିବା ହାତୀପଲ ଲୋକଙ୍କ ଘର ଭାଙ୍ଗିବା ସହ ଗଛ ଉପାଡ଼ି ପକାଇଛନ୍ତି।
ଶନିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଚାଲି ଚାଲି ଆସିଥିବା ଏହି ୨୨ ଘରିଆ ହାତୀପଲ ଚମ୍ପୁଆ ଏନଏସି ର ୧ନଂ ୱାର୍ଡ ଗୋଧୂଳି ଗ୍ରାମରେ ପଶି ଆତଙ୍କ ଖେଳାଇ ଥିଲେ। ଏହି ଗ୍ରାମର ବୈତରଣୀ ନଦୀ କୂଳରେ ୫ଟି ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ହୋଇଥିବା ଧାନ ଫସଲ ଏମାନେ ଖାଇବା ସହ ଦଳିଚକଟି ନଷ୍ଟ କରିଦେଇଥିଲେ। ଏହି ଗ୍ରାମର ଅଯୋଧ୍ୟା ନାଏକ, ତନୁରାମ ପଲେଇ, ସତ୍ୟବାନ ନାଏକ, ସୁଶିଲ ନାଏକ, ପ୍ରତାପ ନାଏକ, ସନ୍ତୋଷ ନାଏକ, ଇନ୍ଦ୍ରମଣି ନାଏକ, ପାତୁ ନାଏକ, ନଟବର ପଲେଇ ପ୍ରମୁଖଙ୍କ ପ୍ରାୟ ୫/୬ଏକର ଅମଳ ହେବାକୁ ଥିବା ଖରାଟିଆ ଧାନ ପସଲ ନଷ୍ଟ କରି ଦେଇଛନ୍ତି। ଫଳରେ ଋଣ କରି ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବନ ବିଭାଗ କର୍ମଚାରୀ ହାତୀ ପଲଙ୍କୁ ଘଉଡାଇବା ପାଇଁ ଠିକ ସମୟରେ ପହଞ୍ଚୁ ନ ଥିବାରୁ ଚାଷୀ ଫସଲ ହାନିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨ଦିନ ତଳେ ଇନ୍ଦ୍ରପ୍ରସ୍ଥର ସଞ୍ଜୟ ମହାନ୍ତଙ୍କ ଘର ଏହି ହାତୀପଲ ଭାଙ୍ଗି ଦେଇଥିବା ସୂଚନା ମିଳିଛି।
ସେହିପରି ହାଟଡ଼ିିହି ବ୍ଲକର ହଦଗଡ଼ ଅଭୟାରଣ୍ୟରୁ ହାତୀ ପଳାଇଆସି ଗାଁରେ ବୁଲୁଥିବା ବେଳେ ଆମ୍ବ ଏବଂ ପଣସ ଗଛକୁ ଉପାଡ଼ି ପକାଇଥିଲେ। ଘରକୁ ଭାଙ୍ଗି ପକାଉଥିବାରୁ ଲୋକ ମାନେ ଭୟରେ ଘରେ ବସି ରହୁଛନ୍ତି। ଶନିବାର ରାତିରେ ବଣିଆପଙ୍କ ଫରେଷ୍ଟ ବିଟ୍‍ ଅଧୀନରେ ସିଆଡ଼ିମାଳି ଗ୍ରାମର ବାସନ୍ତି ହୋଙ୍କ ଚାଳ ଘରକୁ ଭାଙ୍ଗି ଦେବା ସହିତ ଘର ପାଖରେ ଥିବା ଆମ୍ବ ଗଛ ଡ଼ାଳକୁ ଭାଙ୍ଗି ଆମ୍ବ ଖାଇଦେଇଥିଳେ। ପରେ ଘର ଚାଳ ଭାଙ୍ଗିବା ସହିତ କାନ୍ଥ ମଧ୍ୟ ଭାଙ୍ଗି ଦେଇଥିଲେ। ଏଭଳି ସ୍ଥିତିରେ ଗୋଟିଏ ପରିବାରର ୪ ଜଣ ଲୋକ ଉଜାଗର ରହି ହାତୀକୁ ଜଗିଥିଲେ। ସେହିପରି ଫୁଦାନ ମାଝୀଙ୍କର ଘର ଆଗରେ ଏହି ହାତୀପଲ କିଛି ସମୟ ଠିଆ ହେବା ସହିତ ଏକ ଆମ୍ବ ଗଛକୁ ଉପାଡ଼ି ଦେଇଥିଲେ। ଏହି ହାତୀପଲ ଏକ କ୍ୱିଣ୍ଟାଲରୁ ଅଧିକ ଆମ୍ବ ଖାଇଯିବା ସହିତ ଅନେକ ଗଛ ମଧ୍ୟ ଭାଙ୍ଗି ଦେଇଥିଲେ। ତା’ ଛଡ଼ା ଜାମବଣି ଗାଁରେ ମଧ୍ୟ ପଣସ ଗଛ ଭାଙ୍ଗି ଥିବା ବେଳେ ଦନ୍ତାହାତୀଟି ସେ ଅଞ୍ଚଳରେ ଦୈନିକ ଜଡ଼ାବାଙ୍କ, ବଣିଆପଙ୍କ, ସୋସୋ, ଦନେଇପୁର, ଗହଳଡ଼ାହି, ନୂଆରଗୁଡ଼ି ଆଦି ଗ୍ରାମରେ ବୁଲୁଥିବାରୁ ଲୋକ ମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବିଭାଗୀୟ ବନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Leave A Reply