ଆଷାଢ ମାସ ଶୁକ୍ଳ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ହରିଶୟନ ଏକାଦଶୀ କୁହାଯାଏ। ଚଳିତ ବର୍ଷ ଏହା ୨୩ ଜୁଲାଇ, ସୋମବାର ଦିନ ପଡ଼ୁଛି। ଏହା ସହ ଚତୁଃମାସ୍ୟା ଆରମ୍ଭ ହୋଇଥାଏ। କୁହାଯାଇଥାଏ ଏହି ଦିନ ଠାରୁ ଭଗବାନ ବିଷ୍ଣୁ ୪ ମାସ ପାଇଁ ପାତାଳ ଲୋକକୁ ଯୋଗନିଦ୍ରା ପାଇଁ ଯାଇଥାଆନ୍ତି। ଏହି କାରଣରୁ ୪ ମାସ ପର୍ଯ୍ୟନ୍ତ କୌଣସି ଶୁଭ କାର୍ଯ୍ୟ ଯେପରିକି, ଯଜ୍ଞ, ବିବାହ, ଗୋଦାନ ଆଦି କରିବାକୁ ମନା କରାଯାଇଥାଏ।
ହରିଶୟନ ଏକାଦଶୀର ଶୁଭ ମୁହୂର୍ତ୍ତ :
ଏକାଦଶୀ ତିଥି ଆରମ୍ଭ ସମୟ- ୨୨ ଜୁଲାଇ ଅପରାହ୍ନ ୨ ଘଣ୍ଟା ୪୭ ମିନିଟ୍
ଏକାଦଶୀ ତିଥି ସମାପ୍ତ ସମୟ- ୨୩ ଜୁଲାଇ ଅପରାହ୍ନ ୪ ଘଣ୍ଟା ୨୩ ମିନିଟ୍
ପୂଜା ବିଧି :
ଏହି ଦିନ ବଡ଼ି ଭୋରୁ ଅର୍ଥାତ୍ ବ୍ରାହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି ଧଳା ବସ୍ତ୍ର ପରିଧାନ କରି ବ୍ରତର ସଙ୍କଳ୍ପ କରନ୍ତୁ। ଯେଉଁମାନେ ବ୍ରତ କରନ୍ତି ନାହିଁ ସେମାନେ ମଧ୍ୟ ଏହି ଦିନ ସକାଳୁ ଉଠି ଭଗବାନ ବିଷ୍ଣୁଙ୍କର ପୂଜା କରିବା ଉଚିତ୍। ଏଥିପାଇଁ ସର୍ବପ୍ରଥମେ ଠାକୁର ଘରେ ଭଗବାନ ବିଷ୍ଣୁଙ୍କ ଫଟୋରେ ଗଙ୍ଗାଜଳ ସିଞ୍ଚନ କରି ତିଳକ ଲଗାଇ ପୁଷ୍ପ ଅର୍ପଣ କରନ୍ତୁ। ଏହାପରେ ଶୁଦ୍ଧ ଦେଶୀ ଘିଅରେ ଦୀପ ଜାଳନ୍ତୁ ଓ ଜାଣତରେ କିମ୍ବା ଅଜାଣତରେ କରିଥିବା ଭୁଲ୍ ପାଇଁ ପ୍ରାର୍ଥନା କରି ଆଳତି କରନ୍ତୁ। ପୂଜା ସରିବା ପରେ କୌଣସି ବ୍ରାହ୍ମଣକୁ ଭୋଜନ କରାନ୍ତୁ। ଏପରି କରିବା ଦ୍ୱାରା ବ୍ରତ ପୂରଣ ହୋଇଥାଏ।
ହରିଶୟନ ଏକାଦଶୀର ମହତ୍ତ୍ୱ :
ଶାସ୍ତ୍ର ଅନୁସାରେ ଯେଉଁ ଶ୍ରଦ୍ଧାଳୁ ପବିତ୍ର ମନରେ ଏକାଦଶୀର ବ୍ରତ କରିଥାଏ ତା’ର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହାଛଡ଼ା ତା’ର ସମସ୍ତ ପାପ କ୍ଷୟ ହୋଇ ଯାଇଥାଏ ଓ ମୃତ୍ୟୁ ପରେ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। କୁହାଯାଏ ଯେ, ହରିଶୟନ ଏକାଦଶୀ କଥା ପଢିବା ଓ ଶୁଣିବା ଦ୍ୱାରା ସହସ୍ର ଗୋଦାନ ତୁଲ୍ୟ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ।



