nua o banner

ହରିରାଜପୁରର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମିଲା,ଆତସବାଜିରେ କମ୍ପିଲା ମେଳଣ ପଡିଆ

BJD Bijuli 480×75 Mob
0

ପିପିଲି:ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ମଙ୍ଗଳବାର ମଧ୍ୟରାତ୍ରିରୁ ବିପୁଳ ଜନସମାଗମ ମଧ୍ୟରେ ଆରମ୍ଭ ହୋଇଛି। ରାତି ତମାମ୍‌ ବିଭିନ୍ନ ପ୍ରକାର ଆତସବାଜିରେ ସମଗ୍ର ମେଳଣ ପଡିଆ କମ୍ପି ଉଠିଥିଲା। ମେଳଣର ଜମାଣ ଉତ୍ସବ ସାଙ୍ଗକୁ ଆତସବାଜିକୁ ଉପଭୋଗ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମକୁ ଲୋକେ ରାତିତମାମ ମନଭରି ଉପଭୋଗ କରିଥିଲେ।

ପୁର୍ବ ରୀତିନିତୀ ଅନୁଯାଇ ପ୍ରସିଦ୍ଧ ଏହି ପଞ୍ଚୁଦୋଳ ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କୁ ରାତି ୧୨ଟା ପରେ ଏକ ସୁସଜ୍ଜିତ ଦୋଳବିମାନରେ ମନ୍ଦିରରୁ ଅଣାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମେଳଣ ପଡିଆକୁ ନିଆଯାଇଥିଲା। ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ, ଆଲୋକ ସଜ୍ଜା,ଭଜନ କୀର୍ତ୍ତନ,ଘଣ୍ଟ, ଘଣ୍ଟା, ତୁରୀ, ଶଙ୍ଖନାଦ, କଳଘୋଡା ଓ ଚଇତି ଘୋଡାନାଚ, ପାଇକନୃତ୍ୟ,ଚଢେୟାନୃତ୍ୟ ସହ ଲକ୍ଷାଧିକ ଭକ୍ତଙ୍କ ଗହଣରେ ସ୍ଥାନାଧିପତି ମେଳଣ ପଡିଆରେ ବିଜେ କରିବା ପରେ ଅନ୍ୟ ୪ଟି ରାଜପ୍ରତିଷ୍ଠିତ ଦେବ ବିଗ୍ରହ ଯଥା ପ୍ରଭୁ ଶ୍ରୀସୋମନାଥଦେବ (ବୁଢାପଡା), ପ୍ରଭୁ ଶ୍ରୀଗତିଶ୍ୱରଦେବ (କୁସୁମାଟି ଛଣଘର), ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ଦେବ(ଭଁସର) ଓ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ (କନ୍ତିଆ)ଙ୍କ ଚଳନ୍ତି ପ୍ରତିମା ସମେତ ବିଭିନ୍ନ ଅଞ୍ଚଳରୁ ଅନ୍ୟ ୭୨ଟି ଦେବ ବିଗ୍ରହଙ୍କୁ ସୁସଜ୍ଜିତ ଦୋଳବିମାନ ମାନଙ୍କରେ ନିଆଯାଇ ମେଳଣ ପଡିଆରେ ବିଜେ କରାଯାଇଥିଲା। ଠାକୁରଙ୍କ ବିଜେ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ସମଗ୍ର ମେଳଣ ପଡିଆ ପ୍ରକମ୍ପିତ ହୋଇଉଠିଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ, ମେଲୋଡି ଓ ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ମେଳଣ ପଡିଆରେ ପ୍ରାୟ ୭ଶହରୁ ଉର୍ଦ୍ଧ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିବା ପରିଲକ୍ଷିତ ହୋଇଛି। ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାଣ କାରିଗର ମାନେ ଏଠାରେ ସେମାନଙ୍କର ଅତ୍ୟାଧୁନିକ ଆତସବାଜି ପ୍ରଦର୍ଶନ କରିଥିଲେ। ଆତସବାଜିର ପ୍ରଚଣ୍ଡ ଶବ୍ଦରେ ସମଗ୍ର ଅଞ୍ଚଳ କମ୍ପି ଉଠିବା ସହ ଆକାଶ ରଙ୍ଗିନ ହୋଇଯାଇଥିଲା। ଦୂରରୁ ଥାଇ ମଧ୍ୟ ଲୋକେ ଏହି ଚିତ୍ତାକର୍ଷକ ଦୃଶ୍ୟକୁ ରାତିତମାମ୍‌ ମନଭରି ଉପଭୋଗ କରିଥିଲେ। ମଙ୍ଗଳବାର ରାତିରୁ ଶୁକ୍ରବାର ସଂନ୍ଧ୍ୟା ପର୍ଯ୍ୟନ୍ତ ୪ଦିନ ଧରି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦୋଳ ବିମାନରେ ବିଜେ କରିଥିବା ୭୭ ଦେବ ବିଗ୍ରହଙ୍କୁ ଏକାଠି ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବା ସହ ଫଗୁ ସିଞ୍ଚନ କରି ଆର୍ଶିବାଦ ଲାଭ କରିବେ।୧୬୩୭ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିବା ଏହି ପ୍ରସିଦ୍ଧ ମେଳଣକୁ ଅଧିକ ଆକର୍ଷଣୀୟ କରିବାକୁ ମେଳଣ ପରିଚାଳନା ପରିଷଦ ସମେତ ଗ୍ରାମବାସୀ ଓ ବିଭିନ୍ନ ଯୁବ ସଂଗଠନ ସେମାନଙ୍କ ବହୁବିଧ କାର୍ଯ୍ୟକ୍ରମ ଜାରିରଖିଛନ୍ତିି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପିପିଲି ଏସ୍‌ଡିପିଓ ଦିଲିପ କୁମାର ତ୍ରିପାଠୀ, ଡେଲାଙ୍ଗ ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି, ଫାଣ୍ଡି ଅଧିକାରୀ ପ୍ରକାଶ ମଲ୍ଲିକ ପ୍ରମୁଖ ପୁଲିସ ଫୋର୍ସ ସହ ମେଳଣ ପଡିଆରେ ଉପସ୍ଥିତ ଅଛନ୍ତି। ଏହି ଜମାଣ ଉତ୍ସବକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ୯ ତାରିଖ ଅପରାହ୍ନ ଗୋଧୂଳି ଲଗ୍ନରେ ବହୁ ପ୍ରତିକ୍ଷିତ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପୂର୍ବ ବିଧି ଅନୁଯାଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୫ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମେଳଣ ପରିଚାଳନା କମିଟି ପକ୍ଷରୁ୍ନ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।

Leave A Reply