ଭୁବନେଶ୍ୱର : ରାଜଧାନୀରେ ଅଭିନବ କୌଶଳରେ ଜଣେ ନାବାଳକ ଛାତ୍ରଙ୍କୁ ଅପହରଣ କରାଯିବା ଘଟଣାରେ କମିଶନରେଟ୍ ପୁଲିସ ସୋମବାର ୨ ଜଣ ଇଞ୍ଜିନିୟରଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଥିବାବେଳେ ମଙ୍ଗଳବାର ଏହି ଗ୍ୟାଙ୍ଗର ସଦସ୍ୟ ଥିବା ଦୁଇ ଯୁବତୀଙ୍କୁ ଅଟକ ରଖିଛି। ସମ୍ଭ୍ରାନ୍ତ ପରିବାରର ପିଲାଙ୍କୁ ଫେସ୍ବୁକ୍ରେ ବନ୍ଧୁ କରିବା ପରେ ମିଠା ମିଠା କଥା କହି ଫସାଇ ସେମାନଙ୍କୁ ଅପହରଣ କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରାଯାଉଥିଲା।
ଫେସ୍ବୁକ୍ର ମଧୁଫାଶ(ହନି ଟ୍ରାପ୍ରେ ଏହି ଦୁଇ ଯୁବତୀଙ୍କୁ ମୋହରା କରାଯାଇଥିଲା। ସେମାନଙ୍କୁ ଏ ଦିଗରେ ପଚରାଉଚରା କରାଯାଉଛି, ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ କରାଯିବ। ସେମାନଙ୍କ ସହିତ ଅପହରଣ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଗୋପାଳକୃଷ୍ଣ ମହାପାତ୍ର ଏବଂ ଶୁଭ୍ରରାଜ ବେହେରାକୁ ରିମାଣ୍ଡରେ ଅଣାଯାଇ ସମସ୍ତଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଠାବ କରିଥିବା ଏହି ଅପହର୍ତ୍ତା ଗ୍ୟାଙ୍ଗର ପ୍ରଚ୍ଛଦପଟର ନାୟିିକା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଇଞ୍ଜିନିୟର ବୋଲି ଜଣାପଡିଛି। ଗ୍ୟାଙ୍ଗରେ ୩ ଜଣ ଇଞ୍ଜିନିୟର ଥିବାରୁ ସେମାନେ ପୂର୍ବରୁ ପରସ୍ପର ପରିଚିତ ଥିବା ପୁଲିସ ଅନୁମାନ କରୁଛି। ଦୁଇ ଯୁବତୀଙ୍କ ସହିତ ସମ୍ପର୍କ ଥିବା ଯୁବକଙ୍କୁ ରିମାଣ୍ଡରେ ଅଣାଯିବ। ଅନ୍ୟପକ୍ଷରେ ଅପହର୍ତ୍ତାଙ୍କ କବଳରୁ ଉଦ୍ଧାର ହୋଇଥିବା କଲେଜ ଛାତ୍ରଙ୍କର ମଙ୍ଗଳବାର ଏସ୍ଡିଜେଏମ୍ଙ୍କ କୋର୍ଟରେ ବୟାନ ରେକର୍ଡ଼ କରାଯାଇଛି।
କମିଶନରଙ୍କ ସୂଚନା ଅନୁସାରେ ଏହି ଗ୍ୟାଙ୍ଗ ଫେସ୍ବୁକ୍ରେ ଜଣେ ଯୁବତୀଙ୍କ ନାମରେ ଆକାଉଣ୍ଟ ଖୋଲିବା ପରେ ଏହାକୁ ବ୍ୟବହାର କରି କମ୍ ବୟସର ଯୁବକ ତଥା ଛାତ୍ରମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ପ୍ରଲୋଭିତ କରି ନିର୍ଜନ ସ୍ଥାନକୁ ଡାକିବା ପରେ ସେମାନଙ୍କୁ ଅପହରଣ କରିବାକୁ ଯୋଜନା କରୁଥିଲେ।
ଗତ କିଛି ମାସ ହେବ ୧୦ରୁ ଅଧିକ ଛାତ୍ରଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ କରିଥିଲା। ଏହି ଗ୍ୟାଙ୍ଗରେ ଦୁଇ ଯୁବତୀ ସାମିଲ୍ ଅଛନ୍ତି ବୋଲି କମିଶନର ଶ୍ରୀ ୱାଇ.ବି. ଖୁରାନିଆ କହିଛନ୍ତି। ଗିରଫ ହୋଇଥିବା ଏହି ଗ୍ୟାଙ୍ଗର ମୁଖ୍ୟ ବିଟେକ୍ ଛାତ୍ର ଗୋପାଳ କୃଷ୍ଣ ମହାପାତ୍ର(୨୪)ଙ୍କ ସମସ୍ତ ସଦସ୍ୟଙ୍କ ଘର ପୁରୀ ଜିଲାରେ। ଏମାନେ ରାଜଧାନୀରେ ଏକ ଘରୋଇ ହଷ୍ଟେଲ୍ରେ ରହି ଅପହରଣ ବ୍ଲୁ ପ୍ରିଣ୍ଟ ତିଆରି କରୁଥିଲେ। କିଛି ଦିନ ଧରି ଏହି ଗ୍ୟାଙ୍ଗ ଏଭଳି ବ୍ଲୁପ୍ରିଣ୍ଟରେ ଅସଫଳ ହେବା ପରେ ଗତ ୨୬ ତାରିଖରେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ଅଞ୍ଚଳରେ ଟ୍ୟୁସନ୍ରୁ ଘରକୁ ଫେରୁଥିବା ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ଏହି ୫ ଜଣିଆ ଗ୍ୟାଙ୍ଗ ଅପହରଣ କରି ନେଇ ପରିବାର ଲୋକଙ୍କଠାରୁ ୧୧ ଲକ୍ଷ ଟଙ୍କାର
ମୁଣ୍ଡଜାମିନ୍ ଦାବି କରିଥିଲେ। ତେବେ ଛାତ୍ରଙ୍କ ପରିବାର ଲୋକ ଏତେ ପରିମାଣର ଅର୍ଥ ଦେଇ ପାରିବେ ନାହିଁ ବୋଲି କହିବା ପରେ ଅପହର୍ତ୍ତାମାନେ ୨ ଲକ୍ଷ ଟଙ୍କା ନେଇ ଛାତ୍ରଙ୍କୁ ଛାଡି ଥିଲେ। ଛାତ୍ରଙ୍କ ପରିବାର ଲୋକେ ୨୭ ତାରିଖରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିକଟରେ ଅଭିଯୋଗ ହୋଇଥିବା ଏହି ଗ୍ୟାଙ୍ଗର ସଦସ୍ୟମାନେ ଜାଣି ପରିବାର ଲୋକଙ୍କ ସହିତ ବାରମ୍ବାର ଭିନ୍ନ ନମ୍ବର ଏବଂ ଅଲଗା ସ୍ଥାନରୁ କଥା ହେଉଥିବାରୁ ସେମାନେ ଟଙ୍କା ନେବାକୁ ଆସି ନ ଥିଲେ। ୨୮ ତାରିଖରେ ସେମାନେ ଟଙ୍କା ପାଇବା ପରେ ଅପହର୍ତ୍ତାମାନେ ଛାତ୍ରଙ୍କୁ ଛାଡି ଦେଇଥିଲେ। ଛାତ୍ର ଘରେ ପହଞ୍ଚିବା ପରେ କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ର ଅପରେସନ୍ ଆରମ୍ଭ ହୋଇଥିଲା।
ଫେସ୍ବୁକ୍ ମଧୁଫାଶରେ କଲେଜ ଛାତ୍ର ଅପହରଣ; ଦୁଇ ଯୁବତୀ ଅଟକ
Popular Categories



