www.samajalive.in
Sunday, December 14, 2025
23.1 C
Bhubaneswar

୪ ଡାକ୍ତରଙ୍କ ପରେ ବି ମୈତ୍ରୀ ଭରସାରେ ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ର

ହରଭଙ୍ଗା : ୫-ଟି ନିୟମ ଲାଗୁପରେ ମଧ୍ୟ ସରକାରୀ ବାବୁମାନଙ୍କ କାର୍ଯ୍ୟଶୈଳୀରେ ସୁଧାର ଆସୁନାହିଁ । ଖୋଦ୍ ବିଭାଗୀୟ ମୁଖ୍ୟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରାଣୀ ଚିକିତ୍ସକମାନେ । ଯାହାଦ୍ୱାରା ଗୋଟିଏ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୪ଜଣ ଡାକ୍ତର ଥିଲେ ସୁଦ୍ଧା ଜଣେ ମୈତ୍ରୀ ଏବଂ ପିଅନ ଭରସାରେ ଚିକିତ୍ସାକେନ୍ଦ୍ର ଚାଲିଥିବା ଭଳି ଅଭାବନୀୟ ଚିତ୍ର ବାରମ୍ବାର ସାମନାକୁ ଆସିଛି।ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ବନ୍ୟାପ୍ଲାବିତ ଅଂଚଳ ଭାବେ ଜଣାଶୁଣା ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ।ପ୍ରକାଶ ଯେ ଦୀର୍ଘ ୧୨ବର୍ଷ ପରେ ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଗତ ଜାନୁୟାରୀ ୨୪ରେ ଜଣେ ବିଭିଓ(ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ) ଭାବେ ଡାକ୍ତର ବିରେନ୍ଦ୍ର ପୃଷ୍ଟି ଯୋଗଦାନ କରିଥିଲେ । ୭ଦିନ ତଳେ ଡାକ୍ତର ବିଭୁତି ପଣ୍ଡା ନୂତନ ଅତିରକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଯୋଗଦାନ କରିଛନ୍ତି। ଏହାର ଏକମାସ ପୂର୍ବରୁ ଡାକ୍ତର ପ୍ରିୟବ୍ରତ ବେହେରା ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗଦାନ କରିଥିଲେ। ଏହା ସହିତ ଜଣେ ଏମଭିୟୁ ଡାକ୍ତର ପ୍ରତିଭା ପାଢୀ ମଧ୍ୟ ଏହି ଚିକିତ୍ସା କେନ୍ଦ୍ର ଅଧିନରେ କାର୍ଯ୍ୟରତ ଅଛନ୍ତି। ଦୀର୍ଘ ବର୍ଷ ବ୍ୟବଧାନରେ ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହିଥିବା ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ପୂରଣ ହୋଇପାରିଛି।

ତେବେ ସୋମବାର ଭଳି କାର୍ଯ୍ୟଦିବସରେ ଜଣେ ମୈତ୍ରୀ ଏବଂ ପିଅନ ଭରସାରେ ଚିକିତ୍ସା କେନ୍ଦ୍ରଟି ଚାଲୁଥିବା ସରକାରୀ ବ୍ୟବସ୍ଥାର ଘୋର ବ୍ୟତିକ୍ରମ ବୋଲି ପରିଲିକ୍ଷିତ ହେଉଛି। ସୂଚନା ଥାଉ କି ସମସ୍ତଙ୍କ ମୁଖ୍ୟାଳୟ ହରଭଙ୍ଗା ହୋଇଥିବାବେଳେ ବିଭିଓ ମହାଶୟ ମୁଖ୍ୟାଳୟ ଛାଡି ଦୀର୍ଘ ୨୭ କିଲୋମିଟର ଦୂର ପୁରୁଣା କଟରେ ରହି ପ୍ରାଣୀ ସେବା ଯୋଗାଉଥିବା ଅଭିଯୋଗ ଆଗରୁ ସମାନାକୁ ଆସିଥିଲା। ବୌଦ୍ଧ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି ଡାକ୍ତରବାବୁଙ୍କୁ ମୁଖ୍ୟାଳୟରେ ରହିବାକୁ କଡା ତାଗିଦ୍ କରିଥିଲେ। ଏହାସତ୍ୱେ କିଛିଦିନ ଏଠାରେ ରହିବା ଆଳକରି ବିଭିଓ ମହାଶୟ ମୁଖ୍ୟାଳୟରେ ଆଉ ରହୁନଥିବା ଜଣାପଡିଛି । ମୁଖିଆଙ୍କ ନୀତିକୁ ଅନୁସରଣ କରି ଅନ୍ୟ ଡାକ୍ତର ସହକର୍ମୀ ଜଣେ ବୌଦ୍ଧରୁ ଜଣେ ବୁଟୁପାଲିରୁ କାଁ ଭାଁ ଯିବାଆସିବା କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ୧୨ବର୍ଷର ତପସ୍ୟା ପରି ଡାକ୍ତର ଥାଇ ମଧ୍ୟ ଲୋକଙ୍କୁ ପୂର୍ଣ୍ଣାଙ୍ଗ ପ୍ରାଣୀ ସେବା ମିଳିବାରେ ଘୋର ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି। ଏ ଦିଗରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା  ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି।

- Advertisement -

ଏ ସର୍ମ୍ପକରେ ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିରକାରୀ ଡାକ୍ତର ବିରେନ୍ଦ୍ର ପୃଷ୍ଟିଙ୍କୁ ଡାକ୍ତରଙ୍କ ଅନୁପସ୍ଥିତି ବିଷୟରେ ପଚାରିବାରୁ ଅତି ହାଲୁକା ଭାବରେ ଉତ୍ତର ଦେଇ କହିଥିଲେ ଏକମାସ ମଧ୍ୟରେ ସବୁ ସେଟଅପ ହୋଇଯିବ। ଆପଣ ନିଜେ ମୁଖ୍ୟାଳୟରେ ରହୁନଥିବାରୁ ଅନ୍ୟମାନେ ଆପଣଙ୍କୁ ଅନୁସରଣ କରୁଛନ୍ତି କି ପଚାରିବାରୁ ସେମିତି ନାହିଁ ବୋଲି କହିଥିଲେ । ଏ ସର୍ମ୍ପକରେ ପଚରାଉଚରା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ ରଥଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବପର ହୋଇପାରିନାହିଁ। ଏ ସର୍ମ୍ପକରେ ମୈତ୍ରୀ ଦାୟିତ୍ୱରେଥିବା ରଞନ ଅମାତଙ୍କୁ ପଚାରିବାରୁ ସବୁଦିନେ ଡାକ୍ତର ଆସୁନଥିବା କହିଥିଲେ। ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ର ଉପରେ ହରଭଙ୍ଗା, ଛତ୍ରଙ୍ଗ, ମହାଲ୍ଲିକପଡା, ତଳଗାଁ, କୁଶଙ୍ଗ, ଶଙ୍କୁଲେଇ, ଆଡେଣିଗଡ, ବାଣିଭୂଷଣପୁର, କଂରଜକଟା ଭଳି ୯ଗୋଟି ପଂଚାୟତର ପାଖାପାଖି ଏକ ଲକ୍ଷ ଲୋକ ନିର୍ଭର କରୁଛନ୍ତି। ଏହା ଅଧିନରେ କଂରଜକଟା, ତଳଗାଁ ଏବଂ ଆଡେଣିଗଡ ଭଳି ତିନୋଟି ପ୍ରାଣୀଧନ ନିରିକ୍ଷକ କେନ୍ଦ୍ର ରହିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories