ମଇଦାନରେ ୩ ସରପଞ୍ଚ ପ୍ରାର୍ଥୀ ; ନିଃସ୍ୱାର୍ଥପର,ଗରିବଙ୍କ ଉପକାରୀ ପ୍ରାର୍ଥୀକୁ ବାଛିବେ ଭୋଟର

ହରଭଙ୍ଗା : ଚା’ ଖଟି ଠାରୁ ଧାନ ଖଳା ପର୍ଯ୍ୟନ୍ତ ସବୁଠି ପଂଚାୟତ ନିର୍ବାଚନକୁ ନେଇ ଚାଲିଛି ଅଙ୍କକଷା। କେଉଁଠି ପରିବର୍ତନକୁ ନେଇ ଭୋଟର ଅଙ୍କ କଷୁଛନ୍ତି ତ . ଆଉ କେଉଁଠି ସାଧାରଣ ଦସ୍ତଖତ ଟିକିଏ ଲାଗି ସରପଞ୍ଚଙ୍କ ପାଖରେ ବାରଦୁଆର ହେଉଥିବା ଘଟଣାର ହରଣ ଗୁଣନ ଚଳେଇଛନ୍ତି ଭୋଟର।କେଉଁ ପ୍ରାର୍ଥୀକୁ ଭୋଟ ଦେଲେ ଠିକ ହେବ ତାକୁ ନେଇ ସବୁଠି ଚାଲିଛି ତର୍କ ଆଉ ବିତର୍କ।
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲୁଣିବାହାଲ ପଂଚାୟତ ୧୯୯୨ରେ ଗଠନ ହୋଇଛି। ପଂଚାୟତ ଗଠନକୁ ୩୦ବର୍ଷ ପୂର୍ତୀ ହୋଇସାରିଛି। ଏବେ ମଧ୍ୟ ପଂଚାୟତର ବହୁ ଗାଁକୁ ପକ୍କାରସ୍ତା,ପିଇବା ପାଣି,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ସର୍ବନିମ୍ନ ମୌଳିକ ସୁବିଧା ଅପହଂଚ ହୋଇରହିଛି। ଅନେକ ଗାଁରେ ବନ୍ଧ ,ପୋଖରୀ ମଧ୍ୟ ନଥିବାରୁ ଖରାଦିନେ ଗାଁ ଲୋକେ ସାଧାରଣ ଗାଧୋଇବା ପାଇଁ ହଇରାଣ ହେଉଛନ୍ତି। କର୍ମସଂସ୍ଥାନ ପଂଚାୟତଲୋକଙ୍କୁ ମିଳୁନଥିବାରୁ ପଡୋଶୀ ପୁରୁଣାକଟକ ବଜାରକୁ ଯାଇ ଲୋକେ ଦିନମଜରୁୀ କାମକରି ପେଟପୋଷନ୍ତି। ଅଧିକାଂଶ ଗ୍ରାମରେ ଭଲ ପିଆଜ ଚାଷ ହେଉଥିଲେ ମଧ୍ୟ ଏଠି ଶୀତଳଭଣ୍ଡାର ନଥିବାରୁ ଚାଷୀ ପିଆଜର ସଠିକ୍ ମୂଲ୍ୟର ସୁଆଦ ଚାଖିପାରୁନାହିଁ।
ଦୁଗ୍ଧ ଉତ୍ପାଦନ ପାଇଁ ଏକ ଦୁଗ୍ଧ ଶୀତଳୀକରଣ ପ୍ଲାଂଟ ତିଆରି ହୋଇଥିବାରୁ ବହୁ ଦୁଗ୍ଧ ଚାଷୀ ସେଥିରୁ ଉପକୃତ ହୋଇପାରୁଛନ୍ତି। ଗତ ପାଂଚବର୍ଷ ମଧ୍ୟରେ ସେଭଳି ପଂଚାୟତରେ ଆଶାନୁରୂପ ବିକାଶ ହୋଇନଥିବା ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳିଛି।୧୪ଟି ରାଜସ୍ୱଗ୍ରାମର ୧୩ଟି ଓାର୍ଡକୁ ନେଇ ଲୁଣିବାହାଲ ପଂଚାୟତ ଗଠିତ। ଏହି ପଂଚାୟତରେ ୧୪୨୫ ପରିବାରରେ ୬ହଜାର୮୨ଜଣ ଲୋକସଂଖ୍ୟା ରହିଛି। ସେଥିରୁ ଅନୁସୂଚିତଜାତି ବର୍ଗର ୧୪୭୬,ଅନୂସୂଚିତଜନଜାତି ବର୍ଗର-୧୨୨୨ ଏବଂ ଅନ୍ୟାନ୍ୟ ବର୍ଗର ୩ହଜାର୩୮୪ ଜନସଂଖ୍ୟା ରହିଛି। ପଂଚାୟତର ସରପଂଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥର ଏହି ଆସନ ପାଇଁ ଚନ୍ଦ୍ରମା ପ୍ରଧାନ,ପ୍ରବୀଣା ବେହେରା,ସାବିତ୍ରୀ ଯାନୀ ଭଳି ତିନିଜଣ ସରପଂଚ ପ୍ରାର୍ଥୀ ନିର୍ବାଚନକୁ ଓହ୍ଲେଇଛନ୍ତି।ପୁର୍ବତନ ସରପଂଚ ବିଷ୍ଣୁଚରଣ ଯାନୀଙ୍କ ପନ୍ତ୍ରୀ ସାବିତ୍ରୀ ପଂଚାୟତର ବାକିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ମୁଦା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। ଚନ୍ଦ୍ରମା ପ୍ରଧାନ,ପ୍ରବୀଣା ବେହେରା ପାରିବାରିକ ରାଜନୀତି ହଟାଇବା ମୁଦାକୁ ଅସ୍ତ୍ରକରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଭୋଟର କାହାକୁ କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ଅଙ୍କକଷା ଜୋରଧରିଛି।
ଭୋଟରଙ୍କ ମତାମତ-

ନୃସିଂହ କହଁର – ଜିତିଲେ ଏଇଟା କରି ଦେମୁଁ ସେଇଟା କରିଦେମୁଁ କହୁଛନ୍ତି। ଜିତିଲାପରେ କାହାର ଦେଖା ମିଳୁନି। ଓଲଟା ଆମକୁ ଦୌଡିବାକୁ ପଡୁଛି।  ଆଗର ସରପଂଚ ଏବର ସରପଂଚ ମାନଙ୍କ ମଧ୍ୟରେ ବହୁତ ଫରକ। ସରପଂଚଙ୍କ ଥାର୍ଟ ବଢୁଛି କିନ୍ତୁ ସେ ଅନୁସାରେ ପଂଚାୟତର ବିକାଶ କିମ୍ବା ଥାର୍ଟ ବଢୁନି। ପଂଚାୟତରେ ପାଣି,ରାସ୍ତା,କାମଧନ୍ଦା ସମସ୍ୟା ଏବେ ମଧ୍ୟ ରହିଛି।ପଇସାପତ୍ରରେ ବିକ୍ରିହେବୁନାହିଁ। ଜଣେ ଯୋଗ୍ୟ ପ୍ରାର୍ଥୀକୁ ଭୋଟଦେବୁ।

ଅକ୍ରୁର ପ୍ରଧାନ – ଶ୍ରମିକ ପରିବାରକୁ କାମ ଖଣ୍ଡିଏ ମିଳୁନଥିବାରୁ ଆମେ ପୁରୁଣାକଟକ ବଜାରକୁ କାମଧନ୍ଦା କରିବାକୁ ଯାଉଛୁ।ପିଇବା ପାଣି ସମସ୍ୟା ରହିଛି। ଏଠି ପିଆଜ ଚାଷ ଭଲ ହେଉଥିଲେ ମଧ୍ୟ ଶୀତଳଭଣ୍ଡାର ଟିଏ ନାହିଁ।ଚାଷୀ ଡାଳୁଅଧାନ ଉପରେ ନିର୍ଭର କରୁଥିଲେ ମଧ୍ୟ ଜଳସେଚନ ସୁବିଧାନାହିଁ। ଏଥର ଆମେ ଜଣେ ନିଃସ୍ୱାର୍ଥପର,ଗରିବ ଉପକାରୀ ପ୍ରାର୍ଥୀଙ୍କୁ ବାଛିବୁ।

 

Comments are closed.