ହରଭଙ୍ଗା ; ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କୃଷି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପ୍ରାଙ୍ଗଣରେ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନକୃଷି, ମତ୍ସ୍ୟ, ପ୍ରାଣୀ ଚିକିତ୍ସା, ଖାଦ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା, ସମାଜ ମଙ୍ଗଳ, ଜଙ୍ଗଲ ବିଭାଗ, ପୁଲିସ ଭଳି ସବୁ ବିଭାଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ପ୍ରଥମେ ଶିକ୍ଷା ବିଷୟରେ ଆଲୋଚନା ସମୟରେ ତିଲେଶ୍ୱର ସମିତି ସଭ୍ୟ ତାକୁଡ଼ ସ୍କୁଲ ଭିତିଭୂମି ବିପଦ ସଂକୁଳ ଅବସ୍ଥାରେ ରହିଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରିଥିଲେ। ବିରନରସିଂପୁର ପଂଚାୟତର କରଡ଼ି ସ୍କୁଲରେ ଶିକ୍ଷକ ଅଭାବ, ପଇଦାଭୂଇଁ ସ୍କୁଲ ଛାତ ଭୁଶୁଡିବା ଅବସ୍ଥାରେ ରହିଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। କରଞ୍ଜକଟା ସରପଞ୍ଚ ନିହାର କୁମାର ଘୋଷ ସ୍ଥାନୀୟ ହାଇସ୍କୁଲ ନୂତନ କୋଠା ନିର୍ମାଣ ପାଇଁ ୩ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଏପର୍ଯ୍ୟନ୍ତ ଏହାର ନିର୍ମାଣ ଅଗ୍ରଗତି ଦିଗରେ କୌଣସି ସୂଚନା ମିଳୁନଥିବାରୁ ବୈଠକରେ ଅସନ୍ତୋଷ ଜାହିର କରିଥିଲେ। ଏ ପ୍ରସଙ୍ଗକୁ ସେ ଗତ ସମିତି ବୈଠକରେ ଉଠାଇଥିଲେ ମଧ୍ୟ ତାହାର ନିଷ୍କର୍ସ ଦିଗରେ ଆଦୌ ପଦକ୍ଷେପ ଗ୍ରହଣ କରାନଯିବାକୁ ନେଇ ସରପଞ୍ଚ ଉଦବେଗ ପ୍ରକାଶ କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ହାଇସ୍କୁଲ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନହେଲେ ପଂଚାୟତ ଲୋକ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ବୈଠକରେ ଧମକ ଦେଇଥିଲେ। କେତେକ ବିଦ୍ୟାଳୟର ଜମିପଟ୍ଟା ନଥିବା ସାଙ୍ଗକୁ ଭିତିଭୂମି ଦିଗରେ ଉଦବେଗ ପ୍ରକାଶ ପାଇଥିଲା। ପୁରୁଣାକଟକ ସମିତି ସଭ୍ୟ ସରୋଜ ପ୍ରଧାନ ରାଜିଙ୍ଗ ସ୍କୁଲ ବନ୍ଦ ପରେ ସ୍କୁଲ ପିଲା ବିପଦସଂକୁଳ ଅବସ୍ଥାରେ ଥିବା ରେଳପଥ ଓଭର ବ୍ରିଜ ଅତିକ୍ରମ କରି ୩ କିଲୋମିଟର ପୁରୁଣାକଟକ ସ୍କୁଲକୁ ଆସୁଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରିଥିଲେ।

ସ୍ୱାସ୍ଥ୍ୟ କଥା ଆଲୋଚନା ସମୟରେ ବ୍ଲକର ୨୨ ଗୋଟି ପଂଚାୟତରୁ ୧୨ ଗୋଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ହୋଇନଥିବା ଦର୍ଶାଇଥିଲେ। ଏହା ସହିତ ରକ୍ତହୀନତାକୁ ରୋକିବା ପାଇଁ ପ୍ରତି ବିଦ୍ୟାଳୟ ପିଲାଙ୍କୁ ଔଷଧ ପ୍ରଦାନ କରାଯାଉଥିଲେ ମଧ୍ୟ ପିଲାଙ୍କୁ ଔଷଧ ଠିକ ଭାବେ ଖାଇବାକୁ ଦେଉନଥିବାରୁ ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ବୈଠକରେ ତଥ୍ୟ ଉପସ୍ଥାପନା କରିଥିଲେ।

କୃଷି ଉପରେ ଆଲୋଚନା ସମୟରେ ଧାନ ପରବର୍ତ୍ତୀ ମୁଗ, ବିରି, ଚଣା, ସୋରିଷ ଆଦି ଡାଲି ଜାତୀୟ ଚାଷ ପାଇଁ ୯ ହଜାର ୧୧୫ ଜଣ ଚାଷୀଙ୍କୁ ମାଗଣା ବିହନ ଯୋଗାଇ ଦିଆଯାଇଥିବା ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ବୈଠକରେ ତଥ୍ୟ ପ୍ରଦାନ କରିଥିଲେ। ମାତ୍ର ବିହନ ବଣ୍ଟନ ସଠିକ ଢଙ୍ଗରେ ହେଉନଥିବା ଜନପ୍ରତିନିଧି ଅଭିଯୋଗ ଉଠାଇଥିଲେ। ଏହା ସହିତ ସରକାରଙ୍କ ପ୍ରକୃତ ଚାଷୀ ଖୋଜିବା ଭଳି ଫାର୍ମର ରେଜିଷ୍ଟ୍ରି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ପ୍ରାଣୀ ଚିକିତ୍ସା ବିଭାଗ କଥା ଆଲୋଚନା ସମୟରେ ପୁରୁଣାକଟକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବ୍ୟବହାର ଉପରେ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବୈଠକରେ ଉଦବେଗ ପ୍ରକାଶ କରିଥିଲେ। ଏହା ସହିତ ପୁରୁଣାକଟକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ ଚୋରି ଉପରେ ଜଙ୍ଗଲ ବିଭାଗ ତଦନ୍ତ କରିବାକୁ ଶ୍ରୀ ମିଶ୍ର ଦାବୀ କରିଥିଲେ। ଉଦ୍ୟାନ କୃଷି କଥା ଆଲୋଚନ ସମୟରେ ବିଭିନ୍ନ ଫଳ ଚାଷ ଆମ୍ବ, କାଜୁ ସହିତ ମସଲା ଜାତୀୟ ଚାଷ ପାଇଁ ହଳଦୀ, ଅଦା ଚାଷ ପାଇଁ ବିହନ ଯୋଗାଇ ଦିଆଯାଇଥିବା କଥା ଆଲୋଚନା ହୋଇଥିଲା। ଏହା ସହିତ ରବି ଋତୁରେ ପିଆଜ ବିହନ ଯୋଗାଇ ଦିଆଯାଇନଥିବା ଉଦ୍ୟାନ କୃଷି ଅଧିକାରୀ ସୂଚନା ଦେଇଥିଲେ।
ମତ୍ସ୍ୟ ଚାଷ ଆଲୋଚନା ସମୟରେ ମତ୍ସ୍ୟ ପୋଖରୀ ଯୋଜନାରେ ଚାଷୀଙ୍କୁ ରିହାତି ଏବଂ ମାଛ ମାରି ଜୀବିକା ନିର୍ବାହ କରୁଥିବା ପରିବାରକୁ ବୃତ୍ତି ଟଙ୍କା ସାଙ୍ଗକୁ ଡଙ୍ଗା, ମାଛଜାଲ ଏବଂ ଗାଡି ପାଇଁ ରିହାତି ସୁବିଧା ଥିବା ଆଲୋଚନା ହୋଇଥିଲା। ପରେ ସାମାଜିକ ସୁରକ୍ଷା, ସମାଜ ମଙ୍ଗଳ, ପିଏମଏ ୱାଇ ଆଦି ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା।

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପ୍ରାଙ୍ଗଣରେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ପଂଚାୟତ ସମିତି ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚେୟାରମ୍ୟାନଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ୍, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରବି ନରାରୟଣ ପ୍ରଧାନ, ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ୦୭ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ, ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ଅତିରିକ୍ତ ତହସିଲଦାର ସମ୍ବିତ କୁମାର ସାମଲ, ଜିପିଇ ଓ ଜତୀନ ମିଶ୍ର, ବ୍ଲକର ସବୁ ପଂଚାୟତର ସରପଂଚ, ସମିତିସଭ୍ୟ, ଲାଇନ ବିଭାଗର କର୍ମଚାରୀ ଏବଂ ବ୍ଲକ କର୍ମଚାରୀମାନେ ଯୋଗଦାନ କରିଥିଲେ।

Comments are closed.