ନାହିଁ ନାହିଁରେ ଚାଲିଛି ହରଭଙ୍ଗା ବ୍ଲକ ; ୧୫ପଂଚାୟତରେ ନାହିଁ ପିଇଓ କ୍ୱାର୍ଟର

ହରଭଙ୍ଗା : ଦିନକୁ ଦିନକୁ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ପାଉଛି। ମାତ୍ର ସରକାରୀ କର୍ମଚାରୀଙ୍କ ରହିବା ପାଇଁ ଆବାସିକ ଘର ସୁବିଧା ନଥିବାରୁ ଅନେକ ସରକାରୀ କର୍ମଚାରୀ ୩୦/୪୦ କିଲୋମିଟର ଦୂରରୁ ଯିବାଆସିବା କରି କାମ କରୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଯିବା ଆସିବାରେ ଅଧିକ ସମୟ ନଷ୍ଟ ହେଉଥିବାବେଳେ ସରକାରୀ ସେବା ଯୋଗାଇବାରେ ବଡ ବ୍ୟତିକ୍ରମ ପରିଲିକ୍ଷିତ ହେଉଛି। ଯାହାଫଳରେ ବର୍ତମାନ ପଂଚାୟତ ଗୁଡିକରେ ବିଭିନ୍ନ ପ୍ରକାର ଅନଲାଇନ କାର୍ଯ୍ୟଠାରୁ ଆରମ୍ଭକରି ସରକାରଙ୍କ ଜନହିତକର କାର୍ଯ୍ୟଗୁଡିକ ସଠିକ୍ ସମୟରେ ସମ୍ପାଦନ ହୋଇ ପାରୁନଥିବା ଦେଖିବାକୁ ମିଳୁଛି। ପ୍ରକାଶ ଯେ ୨୨ ପଂଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ।
ଏହି ବ୍ଲକ ଅଧିନରେ ୨୨ ଗୋଟି ପଂଚାୟତ ରହିଛି। ବର୍ତମାନ ୨୨ଟି ପଂଚାୟତରେ ୧୩ ଜଣ ପିଇଓ ରହିଥିବା ବେଳେ ଆହୁରି ୦୯ଟି ପିଇଓ ପଦବୀ ଖାଲିପଡିଛି । ସେହିପରି ୧୩ ଜଣ ପିଇଓଙ୍କୁ ନେଇ ସମସ୍ତ ପଂଚାୟତର କାର୍ଯ୍ୟପନ୍ଥା ଚାଲିଥିବାବେଳେ ଜଣଙ୍କୁ ଦୁଇ ଦୁଇଟି ପଂଚାୟତର ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ବ୍ଲକ ମାନଚିତ୍ରକୁ ଅନୁଶୀଳନ କଲେ ବ୍ଲକ ମୁଖ୍ୟାଳୟରୁ ପଂଚାୟତ ମୁଖ୍ୟାଳୟ ଦୂରତା ଅଧିକାଂଶ ପଂଚାୟତର ୨୦କିଲୋମିଟରରୁ ଅଧିକ ରହିଛି। ସେହିପରି ପଂଚାୟତରୁ ପଂଚାୟତରୁ ଦୂରତା ପାଖାପାଖି ୫ରୁ୧୦ କିଲୋମିଟର ବ୍ୟବଧାନ ରହିଛି। ଏଭଳି ଅବସ୍ଥାରେ ପିଇଓମାନଙ୍କ ରହିବା ପାଇଁ ପଂଚାୟତ ମୁଖ୍ୟାଳୟରେ ସରକାରୀ ଆବାସିକ ଘରର ଅଭାବ ରହିଛି। ଯାହା ଫଳରେ ଯିବା ଆସିବାରେ ଅଧିକ ସମୟ ନଷ୍ଟ ହେଉଥିବାବେଳେ ସରକାରୀ କାର୍ଯ୍ୟରେ ବ୍ୟତିକ୍ରମ ଦେଖା ଦେଉଛି।
ଅନ୍ୟପଟେ ବର୍ତମାନ ବ୍ଲକର ହରଭଙ୍ଗା ,କୁଶଙ୍ଗ, ବାମଣ୍ଡା, ପୁରୁଣାକଟକ, ରାମଗଡ,ସାମ୍ପୋଚ ଏବଂ ତିଲେଶଙ୍କୁ ଛାଡିଦେଲେ ଅନ୍ୟ ୧୫ ପଂଚାୟତରେ ପିଇଓମାନଙ୍କ ରହିବାପାଇଁ ସରକାରୀ କ୍ୱାର୍ଟର ନଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ପିଇଓମାନେ ଭତାଟଙ୍କା ବଟଂନଠାରୁ ଆରମ୍ଭକରି ପଂଚାୟତର ଅନ୍ୟାନ୍ୟ ସରକାରୀ କାର୍ଯ୍ୟପନ୍ଥା ଦୂରରୁ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ନାଁ ସରକାରୀ କାର୍ଯ୍ୟ ସଠିକ୍ ରୂପେ ହୋଇପାରୁଛି ନାଁ ଲୋକେ ସରକାରୀ ସେବା ଠିକଭାବେ ପାଇ ପାରୁଛନ୍ତି। ଏ ଦିଗ ଉପରେ ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ସମସ୍ତ ପିଇଓ ପଦବୀ ପୂରଣ ସାଙ୍ଗକୁ ସରକାରୀ କ୍ୱାର୍ଟର ନିର୍ମାଣ ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି।

Comments are closed.