ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି ଜୋର ଧରିଲା
ହରଭଙ୍ଗା ଉନ୍ନୟନ ପରିଷଦ ବୈଠକ
ହରଭଙ୍ଗା : ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁରୁବାର ଉନ୍ନୟନ ପରିଷଦ କମିଟିର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବୀ ହରଭଙ୍ଗା ଠାରେ ଥିବା ବହୁ ପୁରାତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବିକୁ ନେଇ ଆଲୋଚନା ଜୋର ଧରିଥିଲା। ପ୍ରକାଶ ଯେ ହରଭଙ୍ଗାଠାରେ ରାଜରାଜୁଡା ସମୟରୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହରଭଙ୍ଗା, କୁଶଙ୍ଗ, ଛତ୍ରଙ୍ଗ, ତଳଗାଁ, ମହାଲ୍ଲିକପଡା ଭଳି ୫ଟି ପଂଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ରୋଗୀପଞିକରଣ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ଜଣେ ମାତ୍ର ଏମବିବିଏସ ଡାକ୍ତର ନିଯୁକ୍ତି ଯୋଗୁଁ ଗୁରୁତର ରୋଗୀ ବିଶେଷକରି ପ୍ରସୂତି, ଶିଶୁ ଏବଂ ଅସ୍ତ୍ରୋପଚାର ରୋଗୀଙ୍କୁ ବିଭିନ୍ନ ଦୂରଦୂରାନ୍ତର ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ ପଡୁଛି।ଅନ୍ୟପଟେ ଧଳପୁର- ଆଠମଲ୍ଲିକ ସେତୁ ନିର୍ମାଣପରେ ଅନେକ ସମୟରେ ଦୂର୍ଘଟଣା ବୃଦ୍ଧି ପାଉଛି। ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ଆନୁସାଙ୍ଗିକ ଭିତିଭୂମି ସାଙ୍ଗକୁ ବିଶେଷଜ୍ଞ ଡାକ୍ତର ଏବଂ କର୍ମଚାରୀ ଅଭାବ ଯୋଗୁଁ ସାଧାରଣ ଲୋକେ ହଇରାଣ ଭୋଗୁଛନ୍ତି। ଏ ନେଇ ଅଂଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ମଧ୍ୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି ପୂରଣ ହେବାରେ ବିଳମ୍ବ ଘଟିଛି।ଏହାକୁ ନେଇ ହରଭଙ୍ଗା ଉନ୍ନୟନ ପରିଷଦ ପକ୍ଷରୁ ଆଗକୁ ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ବୈଠକରେ ସଭାପତିଙ୍କ ସହ ସମ୍ପାଦକ ବିଜୟାନନ୍ଦ ସାହୁ ,ସରୋଜ କୁମାର ଭୋକ୍ତା, ମାନଭଞନ ନାଏକ, ନରୋତ୍ତମ ପ୍ରଧାନ, ପ୍ରକାଶ କୁମାର ବେହେରା, ବବଲୁ ଖଡିରତ୍ନ, ଜ୍ୟୋର୍ତିୀମୟ ଦାସ,ସଂଜିବ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
Comments are closed.