ହରଭଙ୍ଗା: ସରକାର ଗରିବଙ୍କ କଲ୍ୟାଣ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ସରକାରୀ କଳର ଇଛାଶକ୍ତି ଓ ରାଜନୈତିକ ନେତାଙ୍କ ଆନ୍ତରିକତା ଅଭାବରୁ ଅନେକ ଗରିବଙ୍କ ମୁହଁରୁ ହସ ଲଭିଯାଉଥିବା ଦେଖିବାକୁ ମିଳୁଛି।ଏଭଳି ଏକ ଅଭାବନୀୟ ଚିତ୍ର ପୁଣି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଠାରୁ ୪ଶହ ମିଟର ଦୂର କାରଗିଲ ବସ୍ତିରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ବ୍ଲକର ବାଣୀଭୁଷଣପୁର ପଞ୍ଚାୟତ କାରଗିଲ ସାହିର ସୁନିତା ବେହେରା ଅନୁଗୁଳୁ ଜିଲ୍ଲା କଣ୍ଡାଳ ଗାଁରେ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ରଞ୍ଜନ ବେହେରାଙ୍କ ସହ କାରଗିଲ ବସ୍ତିରେ ଦୀର୍ଘ ୨୦ବର୍ଷ ହେଲା ରହିଆସୁଛନ୍ତି। ଭୂମିହୀନ ହୋଇଥିବାରୁ ତିନି ତିନୋଟି କମୋଳମତି ଶିଶୁଙ୍କୁ ଧରି ଏକ ଭଙ୍ଗା କୁଡିଆ ଘରେ ପୂରା ପରିବାର ଜୀବନ କାଟୁଥିବା ଜଣାପଡ଼ିଛି। ଗତ ତିନିବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀ ରଞ୍ଜନଙ୍କ ଅକର୍ମଣ୍ୟ ଅବସ୍ଥା ପରେ ସବୁ ବୋଝ ପତ୍ନୀ ସୁନିତାଙ୍କ ଉପରେ ରହିଛି। ଗୋଟିଏ ପଟେ ପିଲାଙ୍କ ଦେଖାଶୁଣା କରିବା ପାଇଁ ପାଖରେ କେହି ନ ଥିବାରୁ ସୁନିତା ମୂଲ ମଜୁରୀ କରି ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡୁଛି। ଅନ୍ୟପଟେ ପାଖରେ ଆଧାରକାର୍ଡ, ଭୋଟର କାର୍ଡ ଭଳି ସରକାରୀ ପରିଚୟ ପତ୍ର ଖଣ୍ଡିଏ ନ ଥିବାରୁ ପିଲାଙ୍କୁ ସ୍କୁଲ, ଅଙ୍ଗନଓ୍ବାଡି ବାରଣ୍ଡା ମନାହୋଇଛି। ଫଳରେ ଗରିବ ପରିବାର ଭତା,ଚାଉଳ, ଆବାସ ଘର ଭଳି ସରକାରୀ ସହାୟତାରୁ ବଞ୍ଚିତ ହୋଇ ଭଙ୍ଗା କୁଡିଆ ଘରେ ୫ ପ୍ରାଣୀ କୁଟୁମ୍ବଙ୍କ ସହ କାଟୁଥିବା ଦୁର୍ବୀସହ ଜୀବନ ସରକାରୀ ବ୍ୟବସ୍ଥାକୁ ପଦାରେ ପକାଇଛି। ତୁରନ୍ତ ଜିଲ୍ଲାପାଳ ଏହି ଅସହାୟ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।



