BJD Bijuli 480×75 Mob

ଚାଉଳ ପାଇଁ ହିତାଧିକାରୀଙ୍କ ଜାତୀୟ ରାଜପଥ ଅବରୋଧ

୧୩୦ଜଣ ରାସନ କାର୍ଡଧାରୀଙ୍କୁ ମିଳିନି ୩ ମାସର ଚାଉଳ

BJD Bijuli 480×75 Mob

ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅର୍ନ୍ତଗତ ନୂଆପଡ଼ା ଛକରେ ଗୁରୁବାର ଶତାଧିକ ହିତାଧିକାରୀ ଚାଉଳ ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଏହି ପଂଚାୟତ ଅର୍ନ୍ତଗତ ବାଲିପୁର ଏବଂ ନୂଆପଡ଼ା ଗ୍ରାମର ୧୩୦ଜଣ ରାସନ କାର୍ଡଧାରୀଙ୍କୁ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଭଳି ୩ମାସର ଚାଉଳ ମିଳିନଥିବା ଅଭିଯୋଗରେ ସେମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଫଳରେ ଉଭୟପାର୍ଶ୍ବରେ ଶହ ଶହ ଯାନବାହାନ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ପ୍ରମୁଖ ପହଞ୍ଚି ହିତାଧିକାରୀଙ୍କୁ ବୁଝାଇବା ସହିତ ଘଟଣା ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ପଚରାଉଚରା କରି ଚାଉଳ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା। ଏ ସମ୍ପର୍କରେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କୁ ପଚାରିବାରୁ ଯୋଗାଣ ନୀରିକ୍ଷକଙ୍କ ସହିତ କଥା ହୋଇ ଚାଉଳ ପାଇନଥିବା ହିତାଧିକାରୀଙ୍କୁ ଚାଉଳ ତୁରନ୍ତ ଯୋଗାଇ ଦେବାକୁ କହିଥିଲେ। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ବିପିନ ମହାପାତ୍ରଙ୍କୁ ପଚାରିବାରୁ ଆମେ ୩ମାସର ଚାଉଳ ପଂଚାୟତକୁ ଯୋଗାଇ ଦେଇଛୁ। ୧୩୦ଜଣ ରାସନ କାର୍ଡଧାରୀଙ୍କ ପାଖାପାଖି ୬୦କ୍ୱିଣ୍ଟାଲ ଚାଉଳ କିପରି ସଟେଜ୍ ରହିଲା ସେ ଦିଗରେ ତଦନ୍ତ କରାଯିବ ଏବଂ ଆସନ୍ତାକାଲି ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସୂଚନା ଥାଉ କି, ପଂଚାୟତରେ ୦୯ ମାସହେଲା ଯୋଗାଣ ସହାୟକ ନଥିବାରୁ ସରପଞ୍ଚ ଏବଂ ପିଇଓଙ୍କ ଦ୍ୱାରା ଚାଉଳ ବଣ୍ଟନ କରାଯାଉଛି। ଏହା ସତ୍ୱେ ଗରିବ ହିତାଧିକାରୀଙ୍କ ୬୦କ୍ୱିଣ୍ଟାଲ ଚାଉଳ ହେରଫେର ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଦେଖା ଦେଇଥିବା ହିତାଧିକାରୀ ମହଲରୁ ମତପ୍ରକାଶ ପାଉଛି। ଜିଲ୍ଲାପାଳ ଏହାର ନିରପେକ୍ଷ ତଦନ୍ତ କରିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Comments are closed.