ଝାରଖମଣ ସ୍କୁଲରେ ଅଭାବନୀୟ ଘଟଣା; ଗୀତ ଲେଖିନପାରିବାରୁ ଶିକ୍ଷକଙ୍କ ମାଡରେ ଚତୁର୍ଥ ଶ୍ରେଣୀ ଛାତ୍ର ଲହୁଲୁହାଣ ଅଭିଯୋଗ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଝାରଖମଣ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଆଉ ଏକ ଅଭାବନୀୟ ଚିତ୍ର ସାମନାକୁ ଆସିଛି । ଗୀତ ଲେଖିନପାରିବାରୁ ଜନୈକ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ପରମାନନ୍ଦ ସାହୁ ମାଡମାରି ଲହୁଲୁହାଣ କରିଥିବା ଜନୈକ ଛାତ୍ର ନିଜେ ଅଭିଯୋଗ କରିଛନ୍ତି । ଏ ନେଇ ଛାତ୍ରଜଣଙ୍କ ଘଟଣା ସର୍ମ୍ପକରେ ଘରେ ଜଣାଇବା ପରେ ଅଭିଭାବକ ହରଭଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ଟାଙ୍ଗରୁକୁମ୍ପା ଗ୍ରାମର ବୁଲୁବେହେରାଙ୍କ ପୁଅ ବିକାଶ ବେହେରା ଝାରଖମଣ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଛାତ୍ର ।
ସ୍କୁଲ ଶିକ୍ଷକ ପରମାନନ୍ଦ ସାହୁ ଗୋଟିଏ ଭଜନ ଲେଖିବା ପାଇଁ ଛାତ୍ରମାନଙ୍କୁ କହିଥିଲେ । ବିକାଶ ଗୀତ ଲେଖିନପାରିବାରୁ ସେଥିରେ ଶିକ୍ଷକ କ୍ରୋଧିତ ହୋଇ ଛାତ୍ରଙ୍କୁ ବାଡିରେ ମାଡମାରି ଲହୁଲୁହାଣ କରିଥିଲେ । ସ୍କୁଲ ଛୁଟି ପରେ ଛାତ୍ରଜଣଙ୍କ ଛୋଟେଇ ଛୋଟେଇ ଘରେ ପଂହଚିବା ଥିଲେ । ପିଲାଟିର ଅବସ୍ଥା ଦେଖି ପରିବାର ଲୋକେ ପଚରାଉଚରା ପରେ ବାପା ବୁଲୁ ପୁଅକୁ ନେଇ ହରଭଙ୍ଗା ଥାନାରେ ଶିକ୍ଷକ ନାଁରେ ଏତେଲା ଦେଇଥିବା ଜଣାପଡିଛି ।
ଦଣ୍ଡମୁକ୍ତ ଅଂଚଳରେ ଶିକ୍ଷକଙ୍କ ଏଭଳି ବର୍ବରତାକାଣ୍ଡକୁ ସମାଜସେବୀ ଅବକାଶ ସାହୁ ନାପସନ୍ଦ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସର୍ମ୍ପକରେ ହରଭଙ୍ଗା ଥାନା ଆଇ.ଆଇ.ସି ପୁଷ୍ପାଞ୍ଜଳି ରାଉତରାୟଙ୍କୁ ପଚାରିବାରୁ ଏତଲା ଉପରେ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
Comments are closed.